ସକାଳ ୮ରୁ ୪ଟା ଯାଏ ଆସିବନି ପାଣି

ଭୁବନେଶ୍ୱର,୭।୧୦(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଶୁକ୍ରବାର ଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ରହିବ। ସକାଳ ୮ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଜଳ ଯୋଗାଣ ବନ୍ଦ ହେବା ନେଇ ଓ୍ବାଟ୍‌କୋ (ଓ୍ବାଟର କର୍ପୋରେସନ୍‌ ଅଫ୍‌ ଓଡ଼ିଶା ଲିମିଟେଡ୍‌) ପକ୍ଷରୁ ସୂଚନା ଦିଆଯାଇଛି। ଏନେଇ ରାଜଧାନୀବାସୀ ଯେପରି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ନିତ୍ୟ ବ୍ୟବହାର୍ଯ୍ୟ ପାଇଁ ଆଗୁଆ ପାଣି ସଂରକ୍ଷିତ ରଖିବା ପାଇଁ ୱାଟକୋ ପକ୍ଷରୁ ଅନୁରୋଧ କରାଯାଇଛି। ପଳାଶୁଣୀ ମୁଖ୍ୟ ଜଳ ଯୋଗାଣ ପାଇପଲାଇନରେ ଜରୁରୀ ମରାମତି ହେବାକୁ ଥିବାରୁ ୮ଘଣ୍ଟା ଧରି ଜଳ ଯୋଗାଣ ବନ୍ଦ ରହିବ। ପ୍ରଥମ ଥର ପାଇଁ ଦୀର୍ଘ ସମୟ ଧରି ଜଳ ଯୋଗାଣ ବନ୍ଦ ରଖିବାକୁ ଓ୍ବାଟ୍‌କୋ ନିଷ୍ପତ୍ତି ନେଇଛି। ତେବେ ଅପରାହ୍ନ ୪ଟା ପରେ ଜଳ ଯୋଗାଣ ସ୍ବାଭାବିକ ଭାବେ ଚାଲିବ ବୋଲି ସୂଚନା ଦିଆଯାଇଛି।