ଆମେରିକାରେ ଜଳ ତାଣ୍ଡବ: ୩୦ ମୃତ

ନ୍ୟୁୟର୍କ, ୩ା୯:ଘୂର୍ଣ୍ଣିଝଡ଼ ‘ଇଦା’ ପ୍ରଭାବରେ ଆମେରିକାର ନ୍ୟୁୟର୍କ, ନ୍ୟୁଜର୍ସି, ପେନ୍‌ସିଲଭାନିଆ ସହରରେ ବର୍ଷା ରେକର୍ଡ ଭାଙ୍ଗିଛି। ଏଥିଯୋଗୁ ସେଠାରେ ବନ୍ୟା ପରିସ୍ଥିତି ଉପୁଜିଛି। ରାସ୍ତାଘାଟ ଭାସି ଯାଇଥିବାବେଳେ ସାଧାରଣ ଜୀବନଯାତ୍ରା ବହୁଳ ପ୍ରଭାବିତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ନ୍ୟୁୟର୍କ ମେୟର ବିଲ୍‌ ଡେ ବ୍ଲାସିଓ ପ୍ରଥମ ଥର ଲାଗି ଆକସ୍ମିକ ବନ୍ୟାଜନିତ ଜରୁରିକାଳୀନ ସ୍ଥିତି ଘୋଷଣା କରିଛନ୍ତି। ବନ୍ୟାରେ ନ୍ୟୁୟର୍କ, ନ୍ୟୁଜର୍ସି ଓ ପେନ୍‌ସିଲଭାନିଆ ସମେତ ଆଉ କେତେକ ଅଞ୍ଚଳରେ ୩୦ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ୨ରୁ ଅଧିକ ଶିଶୁ ରହିଛନ୍ତି। ଫସିଥିବା ଲୋକଙ୍କୁ ବଞ୍ଚାଇବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏଥିସହ ଜନସାଧାରଣ ବାହାରକୁ ନ ବାହାରି ନିରାପଦ ସ୍ଥାନରେ ସୁରକ୍ଷିତ ଭାବେ ରହିବା ପାଇଁ ପରାମର୍ଶ ଦିଆଯାଇଛି। କେବଳ ଏମର୍ଜେନ୍ସି ଗାଡ଼ିଗୁଡ଼ିକୁ ଛାଡ଼ିଦେଲେ ଅନ୍ୟ ଯାନବାହନ ଚଳାଚଳ ବନ୍ଦ ରହିଛି। ରାସ୍ତାରେ ଛିଡ଼ା ହୋଇଥିବା ବସ୍‌, କାର୍‌ ଆଦି ଅନେକ ଗାଡ଼ି ବନ୍ୟାପାଣିରେ ସମ୍ପୂର୍ଣ୍ଣ ବୁଡ଼ିଯାଇଛି। ରେଳଷ୍ଟେଶନ ସମେତ ସବ୍‌ଓ୍ବେ ପ୍ଲାଟଫର୍ମ ଜଳମଗ୍ନ ହୋଇଛି। ନ୍ୟୁୟର୍କ ଏବଂ ନ୍ୟୁଜର୍ସି ବିମାନବନ୍ଦରରେ ବିମାନ ଚଳାଚଳକୁ ବାତିଲ କରି ଦିଆଯାଇଛି। ନଦୀଗୁଡ଼ିକରେ ବନ୍ୟାପାଣି ଉଛୁଳିବାରେ ଲାଗିଛି। ଅନେକଙ୍କ ଘରେ ପାଣି ପଶିଯାଇଥିବାରୁ ଲୋକେ ସମସ୍ୟାରେ ପଡ଼ିଛନ୍ତି। ପାଓ୍ବାର ଗ୍ରୀଡ଼କୁ କ୍ଷତିରୁ ବଞ୍ଚାଇବା ପାଇଁ ଉଦ୍ୟମ ଚାଲିଛି।

Share