ଦିଗପହଣ୍ଡି, ୧୭ା୭ (ଅଶେଷ ନାଥ ମିଶ୍ର): ଖରିଫ ଧାନ ଚାଷ ନିମନ୍ତେ ଚଳିତ ବର୍ଷ ମଧ୍ୟ ଦିଗପହଣ୍ଡି ବ୍ଲକ୍ ଖମାରି ଗାଁ ନିକଟରେ ଥିବା ଘୋଡ଼ାହାଡ଼ ଡ୍ୟାମରେ ୨୪ତାରିଖ ଶୁକ୍ରବାର ଘୋଡ଼ାହାଡ଼ ପାଣି ପଞ୍ଚାୟତ ଶୀର୍ଷ କମିଟି ଓ ଜଳସେଚନ ବିଭାଗ ମିଳିତ ଆନୁକୂଲ୍ୟରେ ବୃଷ୍ଟିଯଜ୍ଞ ଓ ଡ୍ୟାମର ମୁଖ୍ୟଦ୍ବାର ପୂଜା କରାଯାଇଛି। ସଭାପତି ରମେଶ ଚନ୍ଦ୍ର ପାତ୍ରଙ୍କ ସଂଯୋଜନାରେ ଘୋଡ଼ାହାଡ଼ ଜଳସେଚନ ବିଭାଗ ସହକାରୀନ ନିର୍ବାହୀ ଯନ୍ତ୍ରୀ ଇଂ.ଗଙ୍ଗାଧର ଦାସ, ସହକାରୀ ଯନ୍ତ୍ରୀ ଇଂ.କ୍ଷୀରୋଦ ବେହେରା, ଇଂ.ଦେବରାଜ ଗୌଡ଼, ଅନୁଜ ଯନ୍ତ୍ରୀ ଇଂ.ରାଜ କୁମାର ପ୍ରଧାନ, ପୂର୍ବତନ ସଭାପତି ବିଦ୍ୟାଧର ମହାପାତ୍ର, କୋଷାଧ୍ୟକ୍ଷ ରାମନାଥ ବିଷୋୟୀ, ସ୍ଥାନୀୟ ସରପଞ୍ଚ ପ୍ରତିନିଧି ଚିତ୍ରସେନ ଗୌଡଙ୍କ ସମେତ ୨୧ ଟି ପାଣି ପଞ୍ଚାୟତ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଖରିଫ ଧାନ ଚାଷ ନିମନ୍ତେ ଡ୍ୟାମରୁ ବାମ ଓ ଡାହାଣ କେନାଲ ଯୋଗେ ଆସନ୍ତା ଶୁକ୍ରବାର ଠାରୁ ପାଣି ଛଡାଯିବା ନେଇ ନିଷ୍ପତ୍ତି ହୋଇଛି। ଡ୍ୟାମ ସ୍ଥିତ ଶ୍ରୀହନୁମାନ ମନ୍ଦିର ପରିସରରେ ବର୍ଷାକୁ ଆବାହନ କରି ମୁଖ୍ୟ ପଣ୍ଡିତ ରଞ୍ଜନ ତ୍ରିପାଠୀଙ୍କ ଦ୍ବାରା ପ୍ରଥମେ ବୃଷ୍ଟିଯଜ୍ଞ କରାଯାଇଥିଲା। ଏଥିରେ ଗୋଲଣ୍ଡା ଗ୍ରାମ ୨ ନଂ.ପାଣି ପଞ୍ଚାୟତ ସମ୍ପାଦକ ନିରଞ୍ଜନ ପାଣିଗ୍ରାହୀ କର୍ତ୍ତା ଭାବେ ପୂଜାର୍ଚ୍ଚନା କରିଥିଲେ। ଘୋଡାହାଡ଼ ଜଳସେଚନ କାର୍ଯ୍ୟାଳୟ କର୍ମଚାରୀ ପ୍ରଦୀପ ଚନ୍ଦ୍ର ମହାନ୍ତି, ବିନୋଦ ଗୌଡ଼, ଅଭିମନ୍ୟୁ ଗୌଡ଼ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଡ୍ୟାମର ଜଳଧାରଣ କ୍ଷମତା ୧୧୭.୮୦ ମିଟର ଥିବା ବେଳେ ଶୁକ୍ରବାର ସୁଦ୍ଧା ଡ୍ୟାମରେ ୯୧.୬୦ ପ୍ରତିଶତ ୧୧୬. ୯୧ ମିଟର ପାଣି ମହଜୁଦ ରହିଥିବା ଘୋଡ଼ାହାଡ଼ ଜଳସେଚନ ଉପଖଣ୍ଡ କାର୍ଯ୍ୟାଳୟ ସହକାରୀ ନିର୍ବାହୀ ଯନ୍ତ୍ରୀ ସୂଚନା ଦେଇଛନ୍ତି।