ପାଣିଟାଙ୍କି ନିର୍ମାଣକୁ ବର୍ଷେ ପୂରିଲା, କାର୍ଯ୍ୟକ୍ଷମ ହେଉନି: ପାନୀୟଜଳ ଯୋଗାଣ ନେଇ ବିଡିଓଙ୍କ ଦ୍ୱାରସ୍ଥ ଗ୍ରାମବାସୀ

ଲାଞ୍ଜିଗଡ଼,୨୫।୪(ରମେଶ ଚନ୍ଦ୍ର ନାୟକ):କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତ ଅନ୍ତର୍ଗତ ତଳକାଳିମା ଗାଁରେ ପାନୀୟ ଜଳ ସମସ୍ୟା ଲାଗି ରହିଛି। ପାନୀୟଜଳ ଯୋଗାଇବାକୁ ନେଇ ଗ୍ରାମବାସୀ ଶୁକ୍ରବାର ଲାଞ୍ଜିଗଡ଼ ବିଡିଓଙ୍କ ଦ୍ବାରସ୍ଥ ହୋଇ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି। ତଳକାଳିମା ଗ୍ରାମବାସୀ ବର୍ଷବର୍ଷ ଧରି ଦୂଷିତ ପାଣି ପିଉଛନ୍ତି। ଗାଁରେ ବସୁଧା ଜଳଯୋଗାଣ ପାଇଁ ଟାଙ୍କି ନିର୍ମାଣ ହୋଇ ବର୍ଷେ ହେଲାଣି କିନ୍ତୁ ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକ୍ଷମ ହେଉନାହିଁ।
ଏହି ଗାଁରେ ୫୫ରୁ ଊଦ୍ଧର୍‌ବ ପରିବାର ରହୁଛନ୍ତି। ୩ ଶହରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଗାଁର ମୁଖ୍ୟ ସମସ୍ୟା ହେଉଛି ପାନୀୟଜଳ। ପଞ୍ଚାୟତ ମୁଖ୍ୟାଳୟଠାରୁ ମାତ୍ର ୫ କିମି ଦୂରରେ ଥିବାବେଳେ ବର୍ଷବର୍ଷ ଧରି ଏହି ଗାଁରେ ପାନୀୟଜଳର ସମସ୍ୟା ଲାଗିରହିଛି। ଗ୍ରାମରେ ୨ଟି ନଳକୂଅ ଅଛି। କିନ୍ତୁ ୨ଟି ଯାକ ନଳକୂପରୁ ମାର୍ଚ୍ଚରୁ ହିଁ କମ ପରିମାଣର ପାଣି ବାହାରୁଛି। ଗୋଟିଏ ହାଣ୍ଡି ପାଣି ପାଇଁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡୁଛି। ତେଣୁ ଏହି ଦୁଇଟି ନଳକୂପରେ ୫୫ରୁ ଊଦ୍ଧର୍‌ବ ପରିବାରଙ୍କୁ ପାଣି ନିଅଣ୍ଟ ହେଉଛି ବୋଲି ଗାଁ ଲୋକେ କହିଛନ୍ତି। ୨୦୨୨ ମସିହାରେ ଗାଁରେ ୨ଟି ଗଭୀର ନଳକୂଅ ଖୋଳାଯାଇଥିଲା। କାର୍ଯ୍ୟକ୍ଷମ କରିବା ପାଇଁ ସ୍ଥାନୀୟ ସରପଞ୍ଚ, ବ୍ଳକ ପ୍ରଶାସନ ନିକଟରେ ବାରମ୍ବାର ଦାବି କରିବା ପରେ ୨୦୨୪ରେ ଗାଁରେ ନିର୍ମାଣ ହୋଇଛି ବସୁଧା ପାଣି ଟାଙ୍କି। ଘରକୁ ଘର ପାଣି ପାଇପ ଲାଇନ ସଂଯୋଗ ମଧ୍ୟ ହୋଇଛି। କିନ୍ତୁ ସମ୍ପୂର୍ଣ୍ଣ ହୋଇ ୧ ବର୍ଷ ବିତିଯାଇଥିଲେ ମଧ୍ୟ କାର୍ଯ୍ୟକ୍ଷମ ହେଉନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅନ୍ୟ ପଟେ କାମ ସାରି ଠିକାଦାର ଗାୟବ ହୋଇଯାଇଥିବା ବେଳେ ବ୍ଲକ ଜଳଯୋଗାଣ ଦାୟିତ୍ୱରେ ଥିବା ବିଭାଗୀୟ ଯନ୍ତ୍ରୀ ଗ୍ରାମବାସୀଙ୍କ ଅଭିଯୋଗକୁ ଅତି ହାଲୁକାରେ ନେଉଛନ୍ତି। ତେବେ ଉକ୍ତ ଗାଁରେ ଗ୍ରୀଷ୍ମପ୍ରବାହ ଯୋଗୁ ପାନୀୟ ଜଳ ସମସ୍ୟା ଦେଖିବାକୁ ମିଳିଛି। ଏହାକୁ ନେଇ ଅସହ୍ୟ ପରେ ଶୁକ୍ରବାର ତଳକାଳିମା ଗ୍ରାମର ପଲି ମାଝୀ, ଡାକେ ମାଝୀ, ମଦନ ମାଝୀ, ଘନ ନାଏକ, କୃଷ୍ଣ ନାଏକ, ସୁକାନ୍ତ ନାଏକ, ମମତା ନାଏକ, ଉର୍ମିଳା ନାଏକ, ହାରବତୀ ନାଏକ, ତେଲଦେଈ ମାଝୀ, ମିନ୍ଦୁ ଗୌଡ଼, ତୁଳସା ମାଝୀ, ସୁଶୀଳା ନାଏକଙ୍କ ସମେତ ସମସ୍ତ ଗ୍ରାମବାସୀ ଏକତ୍ରିତ ହୋଇ ଲାଞ୍ଜିଗଡ଼ ବ୍ଲକ କାର୍ଯ୍ୟାଳୟ ଯାଇ ବିଡିଓ ଶଶାଙ୍କ ପାତ୍ରଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ଦେବାସହ ସମସ୍ୟାକୁ ଉପସ୍ଥାପନା କରିଛନ୍ତି। ଏହି ସମସ୍ୟାକୁ ଗୁରୁତର ସହିତ ନେଇ ଲାଞ୍ଜିଗଡ ବିଡିଓ ପାତ୍ର ଯେକୌଣସି ମାଧ୍ୟମରେ ହେଉ ଶନିବାରଠାରୁ ପିଇବା ପାଣି ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି।

 

Dharitri – Odisha’s No.1 Odia Daily

 

Share