ମୁଖ୍ୟ କେନାଲ ପାଣି ବନ୍ଦ, ବଢ଼ିଲା ତାତିର ପ୍ରକୋପ: ଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି…

ବରଗଡ଼,୨୦।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ତାତି ଥମିବାର ନାଁ ନେଉ ନାହିଁ। ଗତ ୧୬ତାରିଖରୁ ବରଗଡ଼ ମୁଖ୍ୟ କେନାଲରେ ପାଣି ଯୋଗାଣ ବନ୍ଦ ହେବା ପରଠୁ ତାତିର ପ୍ରକୋପ ଅସମ୍ଭାଳ ହୋଇ ପଡ଼ିଛି। ସକାଳ ୯ଟାରୁ ତାତି ଅନୁଭୂତ ହେଉଛି। ପଦାକୁ ବାହାରିବା କଷ୍ଟସାଧ୍ୟ ହୋଇ ପଡୁଛି। ଏହା ସାଙ୍ଗକୁ ବେଳେବେଳେ ଗୁଳଗୁଳି, ଗ୍ରୀଷ୍ମ ପ୍ରବାହ ଜନ ଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ବେଳେବେଳେ ବିଦ୍ୟୁତ୍‌ କାଟ୍‌ ଯୋଗୁ ଘରେ ଥିଲେ ମଧ୍ୟ ଜୀବନ ଆହୁରି ଦହଗଞ୍ଜ ହୋଇ ପଡୁଛି। ଜିଲାରେ ଯେଭଳି ତାତି ଅନୁଭୂତ ହେଉଛି, ଏବେ ଏଠାରେ ତାପମାତ୍ରା ୪୫ଡିଗ୍ରୀ ଟପି ଯାଇଥିବା ଅନୁମାନ କରାଯାଉଛି। ଏଭଳି ସ୍ଥିତିରେ ଯଦି କେହି ପଦାକୁ ବାହାରୁଛନ୍ତି, ବିନା ଗାମୁଛା, ଛତା, ଟୋପି, ଓଢ଼ଣୀ ସାହାଯ୍ୟ ନେଇ ବାହାରେ ରହିବା କାଠିକର ପାଠ ହୋଇ ପଡୁଛି।
ଏଭଳି ସ୍ଥିତିରେ ଲୋକେ ଏବେ ରାସ୍ତାପାର୍ଶ୍ୱରେ ପୂର୍ବରୁ ରହିଥିବା ପୁରୁଣା ଗଛ ଏବଂ ଦୋକାନ ଗୃହ ବାରଣ୍ଡାକୁମନେ ପକାଉଛନ୍ତି। ରାସ୍ତା ପ୍ରଶସ୍ତୀକରଣରେ ବରଗଡ଼ ସହରଠୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ବହୁପୂର୍ବରୁ ରହିଥିବା ଅନେକ ଗଛ ଗୁଡ଼ିକୁ କାଟି ଦିଆଯାଇଛି। ଅନ୍ୟପଟେ ତାତି ବୃଦ୍ଧି ଯୋଗୁ ଏବେ ପଥିକମାନଙ୍କୁ ଆଶ୍ରୟସ୍ଥଳୀ ଖୋଜିବାକୁ ପଢୁଛି। ଏତେ ଟାଣଖରା ସତ୍ତ୍ୱେ ପ୍ରଶାସନ ପକ୍ଷରୁ ଅସ୍ଥାୟୀ ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇ ନାହିଁ। ଫଳରେ ପଥିକମାନଙ୍କୁ ଖୁବ୍‌ ହଟହଟାର ସମ୍ମୁଖୀନ ହେବାକୁ ପଡୁଛି। ଅସ୍ଥାୟୀ ବସଷ୍ଟପ୍‌, ଟ୍ରେକର, ଅଟୋଷ୍ଟାଣ୍ଡ୍‌ ଗୁଡ଼ିକରେ ଯାତ୍ରୀମାନଙ୍କ ସମସ୍ୟା ଆହୁରି ବଢ଼ି ଯାଇଛି। ଟାଣଖରା, ତାତିରୁ ଆଶ୍ରୟ ନେବା ପାଇଁ ସେମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ପରିଲକ୍ଷିତ ହେଉଛି।
ସେହିପରି ପର୍ଯ୍ୟାପ୍ତ ଜଳଛତ୍ର ମଧ୍ୟ ଦେଖିବାକୁ ମିଳୁ ନାହିଁ । କାଁ ଭାଁ ଅଳ୍ପ କିଛିସ୍ଥାନରେ ତାହା ରହିଛି। ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ବିଭିନ୍ନ ସ୍ଥାନରେ ବେଳେବେଳେ ଥଣ୍ଡା ପାନୀୟ ବିତରଣ କରୁଥିବାବେଳେ ବରଗଡ଼ ପୋଲିସ ଏଥର ପ୍ରଥମଥର ପାଇଁ କେତେକ ସ୍ଥାନରେ ଜଳସେବା କେନ୍ଦ୍ର ଖୋଲିଛି। ସେହିପରି ଜୀବନ, ଜୀବିକା ପାଇଁ ଟାଣଖରା ସତ୍ତ୍ୱେ ରାସ୍ତାପାର୍ଶ୍ୱରେ ଆଖୁରସ, ସରବତ, ଦହିବରା, ତରଭୁଜ ଆଦି ଉଠାଦୋକାନୀମାନେ ବିକ୍ରି କରୁଛନ୍ତି। ରାସ୍ତାରେ ଯାତାୟାତ କରୁଥିବା ଲୋକେ ତାହା ସେବନ କରି ସାମୟିକ ଆଶ୍ୱସ୍ତି ଲାଭ କରୁଛନ୍ତି।

Odisha’s No.1 Odia Daily

Share