୭ ମାସ ହେଲା ଜଳ ଯୋଗାଣ ବନ୍ଦ: ଦୂଷିତ ପାଣି ବ୍ୟବହାର କରୁଛନ୍ତି ବେଣାଗାଡ଼ିଆବାସୀ

ଖଣ୍ଡପଡ଼ା,୩ା୧୧(ସ୍ବ.ପ୍ର.): ବିଦ୍ୟୁତ୍‌ ବକେୟା ବିଲ ୧୦ଲକ୍ଷରୁ ଊର୍ଦ୍ଧ୍ୱ। ତା’ସାଙ୍ଗକୁ ବିଦ୍ୟୁତ ଟ୍ରାନ୍ସଫର୍ମରଟି ପୋଡ଼ି ଯିବାର ୬ ମାସରୁ ଅଧିକ ହେଲାଣି । ଗ୍ରାମବାସୀ ୭ ମାସ ହେଲା ପାନୀୟ ଜଳ ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ଫଳରେ ଅଞ୍ଚଳବାସୀ ବିଭିନ୍ନ ଜଳ ଉତ୍ସର ପାଣି ବ୍ୟବହାର କରି ନାନା ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହେଉଛି । ଏହି ସମସ୍ୟା ଖଣ୍ଡପଡ଼ା ବ୍ଲକ୍‌ ଅଧୀନ ବେଣାଗାଡ଼ିଆ ପଞ୍ଚାୟତ ବେଣାଗାଡ଼ିଆ ଗ୍ରାମର ୪ ୱାର୍ଡ ବାସିନ୍ଦାଙ୍କୁ ଚିନ୍ତାରେ ପକାଇଛି । ଲୋକେ ନିକଟସ୍ଥ ନଦୀ, କୂଅ ଓ ପୋଖରୀର ଦୂଷିତ ପାଣି ବ୍ୟବହାର କରୁଛନ୍ତି । ଗ୍ରାମରେ ଥିବା ନଳକୂପର ପାଣି ଫ୍ଲୋରାଇଡ ଯୁକ୍ତ ହୋଇଥିବାରୁ ସେହି ପାଣିକୁ ବ୍ୟବହାର କରି ଲୋକେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ଗ୍ରାମବାସୀ କହିଛନ୍ତି ।

ସୂଚନା ଅନୁଯାୟୀ, ୨୪ଟି ୱାର୍ଡ଼ ତଥା ୭ ମୌଜାକୁ ନେଇ ଗଠିତ ବେଣାଗାଡ଼ିଆ ପଞ୍ଚାୟତ । କେବଳ ବେଣାଗାଡ଼ିଆ ଗ୍ରାମର ୧,୨,୩ ଓ ୪ନଂ. ୱାର୍ଡର ପ୍ରାୟ ୨ ହଜାର ଲୋକମାନଙ୍କ ପାଇଁ ନିର୍ମାଣ କରାଯାଇଥିଲା ପାନୀୟ ଜଳ ଯୋଗାଣ ପ୍ରକଳ୍ପ । ହେଲେ ଗତ ୬ ମାସ ହେବ ବିଦ୍ୟୁତ୍‌ ଟ୍ରାନ୍ସଫର୍ମରଟି ପୋଡ଼ି ଯିବାରୁ ସେହି ପ୍ରକଳ୍ପ ଅଚଳ ହୋଇପଡିଛି । ଅପରପକ୍ଷେ ବେଣାଗାଡ଼ିଆ ପଞ୍ଚାୟତ ଅଧୀନରେ ଥିବା ୫ ଜଳ ଯୋଗାଣ ପ୍ରକଳ୍ପର ବିଦ୍ୟୁତ୍‌ ବକେୟା ବିଲ ପ୍ରାୟ ୧୦ ଲକ୍ଷ ଟଙ୍କାରୁ ଅଧିକ ରହିଛି । ଏ ସଂକ୍ରାନ୍ତରେ ବେଣାଗାଡିଆ ସରପଞ୍ଚ ବଳରାମ ମଲ୍ଲିକଙ୍କ ସହ ଯୋଗାଯୋଗ କରିବାରେ ୧ଲକ୍ଷ ୨୦ ହଜାର ଟଙ୍କା ଡିପୋଜିଟ ହୋଇଥିବା ସୂଚନା ଦେଇଥିଲୋ

ତେବେ ସମ୍ପୂର୍ଣ୍ଣ ବିଲ ପଞ୍ଚାୟତ ପକ୍ଷରୁ ପଇଠ ହୋଇ ନ ଥିବାରୁ ଏହି ସମସ୍ୟା ଲାଗି ରହିଛି । ସମୂହ ସ୍ବାର୍ଥକୁ ଦୃଷ୍ଟିରେ ରଖି ପମ୍ପ ହାଉସକୁ ବିଦ୍ୟୁତ୍‌ ସଂଯୋଗ କରାଯାଇଛିା ଅନ୍ୟ କୌଣସି କାରଣ ଯୋଗୁ ପାନୀୟ ଜଳପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇ ନାହିଁ ବୋଲି ଖଣ୍ଡପଡ଼ା ବିଦ୍ୟୁତ ଉପଖଣ୍ଡ ସହକାରୀ ଯନ୍ତ୍ରୀ ଇଂ. ଅନୀଲ କୁମାର ସାହୁ ସୂଚନା ଦେଇଛନ୍ତି । ଅପରପକ୍ଷେ ଖୁବ୍‌ଶୀଘ୍ର ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ କରାଯାଇ ସମସ୍ୟାର ସମାଧାନ ହେବ ବୋଲି ସରପଞ୍ଚ ବଳରାମ ମଲ୍ଲିକ ପ୍ରକାଶ କରିଛନ୍ତି । ତୁରନ୍ତ ଜଳ ଯୋଗାଣର ବ୍ୟବସ୍ଥା କରା ନ ଗଲେ ଆନ୍ଦୋଳନାମତ୍କ ପନ୍ଥା ଗ୍ରହଣ କରାଯିବ ବୋଲି ସ୍ଥାନୀୟ ବାସିନ୍ଦା ଚେତାବନୀ ଦେଇଛନ୍ତି ।