ଖରିଫ ଚାଷ ପାଇଁ ଇନ୍ଦ୍ରାବତୀରୁ ଆରମ୍ଭ ହେଲା ଜଳ ଯୋଗାଣ: ୪୨୯ଟି ଗାଁର ୧ ଲକ୍ଷ ୧୫ ହଜାର ୬୧୫ ହେକ୍ଟର ଚାଷଜମି ହେବ ଜଳ ସେଚିତ

ଭବାନୀପାଟଣା,୭।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଖରିଫ ଚାଷ ଆରମ୍ଭ ହୋଇଛି । ହେଲେ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ଚାଷୀମାନେ ପାଣି ପାଇଁ ହନ୍ତସନ୍ତ ହେଉ ଥିବାବେଳେ ଏପଟେ ଶୁକ୍ରବାରଠାରୁ ଇନ୍ଦ୍ରାବତୀ ବହୁମୁଖି ଜଳ ବିଦ୍ୟୁତ ପ୍ରକଳ୍ପରୁ କେନାଲ ମାଧ୍ୟମରେ ପାଣି ଛଡାଯାଇଛି । ଏଥିରେ ଜିଲାରେ ମୋଟ ୪୨୯ଟି ଗାଁର ୧ ଲକ୍ଷ ୧୫ ହଜାର ୬୧୫ ହେକ୍ଟର ଚାଷଜମି ଜଳ ସେଚିତ ହେବ । ଏହି କେନାଲ ପାଣି ଆସିବା ପରେ ବର୍ଷା ନ ହେଲେ ମଧ୍ୟ ଚାଷୀ ତାଙ୍କର ଚାଷକାର୍ଯ୍ୟ କରିପାରିବେ । ଯାହାକୁ ନେଇ ସ୍ଥାନୀୟ ଚାଷୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଚଳିତ ବର୍ଷ ଜିଲାରେ ଲାଞ୍ଜିଗଡ଼ ନିର୍ବାଚନମଣ୍ଡଳୀର ୨୪ ହଜାର ୭୪୭ ହେକ୍ଟର, ଧର୍ମଗଡ଼ ନିର୍ବାଚନମଣ୍ଡଳୀର ୪୪ ହଜାର ୮୭୫.୯୬ ହେକ୍ଟର,ଜୁନାଗଡ଼ ନିର୍ବାଚନମଣ୍ଡଳୀର ୪୪ ହଜାର ୮୫୭ ହେକ୍ଟର ଓ ଭବାନୀପାଟଣା ନିର୍ବାଚନମଣ୍ଡଳୀର ୫୦୮୨ ହେକ୍ଟରକୁ ମିଶାଇ ସର୍ବମୋଟ ୧ ଲକ୍ଷ ୧୫ ହଜାର ୬୧୫ ହେକ୍ଟର ଚାଷଜମିରେ ଜଳ ସେଚନ ଲକ୍ଷ ରଖାଯାଇଛି। ଏଥିରେ ଜିଲାର ଜୟପାଟଣା, କଲମପୁର, ଜୁନାଗଡ଼, କୋକସରା, ଧର୍ମଗଡ଼, ଗୋଲାମୁଣ୍ଡା, ଭବାନୀପାଟଣା ଓ କେସିଙ୍ଗା ଆଦି ୮ଟି ବ୍ଳକର ୪୨୯ ଗାଁର ଚାଷୀ ଉପକୃତ ହେବେ।