ଅମରପାଲି,୧୪ା୫(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ପଞ୍ଚାୟତର ଚୁବୁକାଦାଦର ଗଁାରେ ପାନୀୟ ଜଳ ସମସ୍ୟା ଦେଖାଦେଇଛି। ଗ୍ରାମରେ ଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ମାସେ ହେଲା ଅଚଳ ହୋଇପଡ଼ିଛି। ବାରମ୍ବାର ଦାବି ପରେ ମଧ୍ୟ ଏହାର ମରାମତି ହେଉ ନ ଥିବା ଅଭିଯୋଗ ହେଉଛି। ତେଣୁ ସମ୍ପ୍ରତି ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ତୁରନ୍ତ ଗ୍ରାମର ଏହି ପାନୀୟ ଜଳ ପ୍ରକଳ୍ପକୁ ମରାମତି କରି ଲୋକଙ୍କୁ ପାନୀୟ ଜଳ ଯୋଗାଇବାର ବ୍ୟବସ୍ଥା କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
ଚୁବୁକାଦାଦର ଗୋଟିଏ ୱାର୍ଡ ବିଶିଷ୍ଟ। ଏହି ଗ୍ରାମର ଲୋକ ସଂଖ୍ୟା ପ୍ରାୟ ୪ ଶହରୁ ଅଧିକ। ଖରା ଯୋଗୁ ଗ୍ରାମରେ ପ୍ରତିବର୍ଷ ପାନୀୟ ଜଳ ସମସ୍ୟା ଦେଖା ଦେଉଥିଲା। ଏଣୁ ବିଭାଗ ପକ୍ଷରୁ ଗ୍ରାମରେ ଏକ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କରାଯାଇଥିଲା। ଏଥିପାଇଁ ଗଁା ମୁଣ୍ଡରେ ଏକ ଓଭର ହେଡ ପାଣି ଟାଙ୍କି ସହ ନିକଟସ୍ଥ ଏକ କୂଅରେ ବୋରୱେଲ ମଧ୍ୟ ଖନନ ହୋଇଥିଲା। ଗ୍ରାମରେ ପାଇପ ଲାଇନ ବିଛାଇ ବିଭିନ୍ନସ୍ଥାନରେ ଷ୍ଟାଣ୍ଡ ପୋଷ୍ଟ ମଧ୍ୟ ନିର୍ମାଣ କରାଯାଇଥିଲା। ପ୍ରକଳ୍ପ ଚାଲିଲା ପରେ ଗଁାକୁ ଜଳ ଯୋଗାଣ ହେଉଥିଲା। ମାତ୍ର ମାସେ ହେଲା ପ୍ରକଳ୍ପ ଅଚଳ ହୋଇପଡ଼ିଛି। ଏହାସହ ବିଭିନ୍ନସ୍ଥାନରେ ଷ୍ଟାଣ୍ଡ ପୋଷ୍ଟ ଭାଙ୍ଗିଯାଇଛି। ଆଉ କେତେକ ସ୍ଥାନରେ ପାଇପ ଲାଇନ ଫାଟି ଯାଇଛି। ଫଳରେ ପାନୀୟ ଜଳ ଯୋଗାଣ ସମ୍ଭବ ହୋଇପାରୁନାହିଁ। ଏବେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଗଁାରେ ଥିବା କୂପ, ପୋଖରୀ, ନାଳ ଆଦି ଜଳାଶୟ ଶୁଖିଲା ପଡ଼ିଛି। ଗ୍ରାମରେ ଥିବା ନଳକୂପ ମଧ୍ୟରୁ କେତେକ ଅଚଳ ହୋଇ ପଡ଼ିଛି। ଆଉ କେତେକରୁ ଆବଶ୍ୟକଠାରୁ କମ ପାଣି ବାହାରୁଛି। ଅନ୍ୟ କେତେଗୋଟି ନଳକୂପରୁ ଫ୍ଲୋରାଇଡ ଓ ଲୌହ ଯୁକ୍ତ ପାଣି ବାହାରୁଥିବା ତାହା ପାନୀୟ ଉପଯୋଗୀ ହୋଇପାରୁନାହିଁ। ଲୋକେ ପାନୀୟ ଜଳ ସହିତ ସ୍ନାନ, ଶୌଚ, ରୋଷେଇ ପାଇଁ ପାଣି ନ ପାଇ ହଇରାଣ ହେଉଛନ୍ତି। ଏହା ବ୍ୟତୀତ ଗ୍ରାମର ଗୃହପାଳିତ ପ୍ରାଣୀଙ୍କ ଅବସ୍ଥା ଆହୁରି ସଙ୍ଗୀନ ହୋଇପଡୁଛି। ଗ୍ରାମର ଜଳାଶୟଗୁଡ଼ିକ ମଧ୍ୟ ପୁନରୁଦ୍ଧାର କରାଯାଉ ନ ଥିବାରୁ ପ୍ରତିବର୍ଷ ଗ୍ରୀଷ୍ମରେ ପାନୀୟ ଜଳ ସମସ୍ୟା ଦେଖା ଦେଇଥାଏ। ଲୋକେ ବାଧ୍ୟ ହୋଇ ଗଁା ମୁଣ୍ଡରେ ଥିବା ଏକ କୂପରୁ ପାଣି ନେଉଛନ୍ତି। ଫଳରେ ଅନେକ ସମୟରେ ପାଣି ଆଗ ନେବାକୁ କୂପ ନିକଟରେ ପାଟତୁଣ୍ଡ ହେଉଛି। ଏ ନେଇ ପ୍ରକଳ୍ପରୁ ଜଳ ଯୋଗାଣ କରିବା ଦାୟିତ୍ୱରେ ଥିବା ସତ୍ୟ ପଧାନଙ୍କୁ ପଚାରିବାରେ ଗ୍ରାମର କେତେଜଣ ଲୋକ ପାଇପ ଭାଙ୍ଗି ବାଇପାସ କରି ପାଣି ନେଉଥିବାରୁ ତଳମୁଣ୍ଡର ଲୋକେ ପାଣି ପାଉନାହାନ୍ତି। ଏଥିସହ ଏବେ ମଟର ଖରାପ ହୋଇପଡ଼ିଛି। ଏହାର ମରାମତି ପାଇଁ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଛୁ। ମଟର ମରାମତି ହେଲେ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ ବୋଲି ସେ କହିଛନ୍ତି। ବୀରମହାରାଜପୁର ଆରଡବ୍ଲ୍ୟୁଏସ୍ଏସ୍ ଯନ୍ତ୍ରୀ ମଞ୍ଜୁଲତା ଗୌଡଙ୍କୁ ପଚାରିବାରେ ଏହାକୁ ମରାମତି କରି ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଶୀଘ୍ର କରାଯିବ ବୋଲି ସେ କରିଛନ୍ତି। ତେବେ ପ୍ରଶାସନ, ଜନ ପ୍ରତିନିଧି ଓ ବିଭିନ୍ନ ରାଜନୈତିକ ନେତୃବୃନ୍ଦ ଗ୍ରାମର ପାନୀୟ ଜଳ ଯୋଗାଣ ସମସ୍ୟା ଦୂର କରି ସାଧାରଣଲୋକଙ୍କୁ ପାନୀୟ ଜଳ ଯୋଗାଇବାକୁ ସାଧାରଣରେ ଦାବି ହେଉଛି।