ନୂଆପଡ଼ା,୨୫।୪ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ଥିବା ପତୋରା ଡ୍ୟାମରୁ ଜଳଯୋଗାଣ ବାଧାପ୍ରାପ୍ତ ହୋଇଛି। ଫଳରେ ଜିଲାର ୨ପ୍ରମୁଖ ସହର ଖରିଆରରୋଡ ଓ ନୂଆପଡ଼ାରେ ପାନୀୟଜଳ ସମସ୍ୟା ଦେଖାଦେଇଛି। ଉଭୟ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଜଳସଙ୍କଟ ଦେଖାଦେଇଥିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ନୂଆପଡ଼ା ସହର ହେଉଛି ଜିଲା ସଦର ମହକୁମା ଏବଂ ଖରିଆରରୋଡ ସହର ହେଉଛି ଜିଲାର ବ୍ୟବସାୟିକ ବାଣିଜ୍ୟ କେନ୍ଦ୍ର। ଏହି ୨ସହରରେ ପାନୀୟଜଳ ସଙ୍କଟ ଦୂର କରିବା ଉଦ୍ଦେଶ୍ୟରେ ନୂଆପଡ଼ା ସଦର ବ୍ଲକ ପତୋରାରେ ଥିବା ଉପର ଜୋଙ୍କ ଜଳସେଚନ ପ୍ରକଳ୍ପରେ ମେଗା ଜଳ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଏହି ପ୍ରକଳ୍ପରେ ଦୈନିକ ୧୩.୫ ଏମ୍ଏଲଡି ଜଳ ଯୋଗାଣ କରାଯାଉଛି। ସେଥିରୁ ୮ ଏମ୍ଏଲଡି ଜଳ ଉଭୟ ଖରିଆରରୋଡ ସହର ଏବଂ ନୂଆପଡ଼ା ସହର ପାଇଁ ଦେଇଥିଲାବେଳେ ୫.୫ ଏମ୍ଏଲ୍ଡି ଜଳ ଗ୍ରାମାଞ୍ଚଳ ପାଇଁ ବ୍ୟବହାର କରାଯାଉଛି। କିନ୍ତୁ ସମ୍ପ୍ରତି ଜଳଯୋଗାଣ ବାଧାପ୍ରାପ୍ତ ହେଉଛି। ଫଳରେ ପର୍ଯ୍ୟାପ୍ତ ପରିମାଣର ଜଳଯୋଗାଣ ହୋଇପାରୁନାହିଁ। ଉଭୟ ସହରକୁ ଦୈନିକ ୨ବେଳା ଜଳ ଯୋଗାଣ କରାଯାଉଥିଲା। ସକାଳେ ପ୍ରାୟ ୨ଘଣ୍ଟା ୩୦ ମିନିଟ ଏବଂ ଉପରବେଳା ପ୍ରାୟ ୨ଘଣ୍ଟା ଜଳ ଯୋଗାଣ ହେଉଥିଲା। କିନ୍ତୁ ବର୍ତ୍ତମାନ ସମୟରେ ଜଳଯୋଗାଣ କମ୍ ହେଉଥିବାରୁ ସକାଳେ ଜଳ ଯୋଗାଣ ହେଲେ ଉପର ବେଳା ହେଉନାହିଁ। ତାହା ପୁଣି ସକାଳେ ୨ଘଣ୍ଟା ୩୦ମିନିଟ ସ୍ଥାନରେ ମାତ୍ର ୧ଘଣ୍ଟା ଜଳଯୋଗାଣ ହେଉଛି। ସେଥିରେ ପୁଣି କେଉଁ କେଉଁଦିନ ଜଳ ଯୋଗାଣ ହୋଇପାରୁନାହିଁ। ଯଦିବା ଜଳଯୋଗାଣ ହେଉଛି, ତାହା ପର୍ଯ୍ୟାପ୍ତ ନୁହେଁ। ସମ୍ପ୍ରତି ୧୦ଦିନ ହେବ ନୂଆପଡ଼ା ଖରିଆରରୋଡ ସହରକୁ ଜଳଯୋଗାଣ ହୋଇପାରୁନାହିଁ। ଗ୍ରୀଷ୍ମଋତୁ ଆରମ୍ଭରୁ ଜିଲାର ୨ପ୍ରମୁଖ ସହରରେ ପାନୀୟ ଜଳ ସମସ୍ୟା ଦେଖାଦେଇଥିବାରୁ ସମସ୍ୟାର ନିରାକରଣ ପାଇଁ ଖରିଆରରୋଡ ବିଜ୍ଞାପିତ ଅଞ୍ଚଳ ଓ ନୂଆପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଟ୍ୟାଙ୍କର ଯୋଗେ ଜଳଯୋଗାଣ କରିବାର ନିଷ୍ପତ୍ତି ନିଆଯାଇ କାର୍ଯ୍ୟ ଆରମ୍ଭ କରାଯାଇଛି। ସହରାଞ୍ଚଳରେ ଉତ୍କଟ ପାନୀୟଜଳ ସମସ୍ୟା ଦେଖାଦେଇଥିବାବେଳେ ଗ୍ରାମାଞ୍ଚଳ କଥା କିଏ ପଚାରେ ବୋଲି ବୃଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ଏସଂକ୍ରାନ୍ତରେ ନୂଆପଡ଼ା ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ପ୍ରହଲ୍ଲାଦ ସାହୁଙ୍କୁ ପଚାରିବାରୁ ପତୋରା ମେଗା ଜଳଯୋଗାଣ ପ୍ରକଳ୍ପରେ ଲାଗିଥିବା ୩ଫେଜ ମୋଟରକୁ ପର୍ଯ୍ୟାପ୍ତ ବିଜୁଳି ଯୋଗାଣ ହୋଇପାରୁନାହିଁ। ଫଳରେ ମୋଟର ଟ୍ରିପ୍ ହୋଇଯାଉଛି ବୋଲି କହିଛନ୍ତି। ତଥାପି ଓପିଟିସିଏଲ୍ ସହ ଆଲୋଚନା କରାଯାଇ କଷ୍ଟମାଇଜ ଷ୍ଟାବଲାଇଜର ଲଗାଇବାକୁ କାର୍ଯ୍ୟ ଜାରି ରହିଛି। ଦିନେ ୨ଦିନ ମଧ୍ୟରେ ସମସ୍ୟାର ସମାଧାନ ହୋଇଯିବ। ହେଲେ ଏବେ ପ୍ରକଳ୍ପରେ ପର୍ଯ୍ୟାପ୍ତ ପାଣି ନାହିଁ। ତାହା ମଧ୍ୟ ସମସ୍ୟା କରିପାରେ ବୋଲି କହିଛନ୍ତି। ନୂଆପଡ଼ା ସଦର ବ୍ଲକରେ ଅନେକ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଯେଉଁଠାରେ ଦିନରାତି ପାଣି ପମ୍ପ ଚାଲୁଛି। ଅନ୍ୟପଟେ ଏସି, କୁଲର, ବୈଦ୍ୟୁତିକ ସାମଗ୍ରୀର ବହୁଳ ବ୍ୟବହାର ଯୋଗୁ ବ୍ୟାପକ ମାତ୍ରାରେ ବିଜୁଳି ଖର୍ଚ୍ଚ ହେଉଛି। ଫଳରେ ପତୋରାରେ ଥିବା ମେଗା ଜଳଯୋଗାଣ ପ୍ରକଳ୍ପକୁ ପର୍ଯ୍ୟାପ୍ତ ଭୋଲଟେଜ୍ ମିଳିପାରୁନାହିଁ। ଅନ୍ୟପକ୍ଷରେ ମୋଟର ପୋଡ଼ିଯିବା ଭୟରେ ଦିନେ ୨ଦିନରେ ଥରେ ଅଧଘଣ୍ଟା ପାଇଁ ପାଣି ଦେଉଛନ୍ତି। ନିରବଛିନ୍ନ ବିଦ୍ୟୁତ୍ ସରବରାହ କରିବାକୁ ଜିଲାପାଳ ଗ୍ରାମ୍ୟ ଜଳଯୋଗଣ ବିଭାଗ ଓ ବିଜୁଳି ବିଭାଗ ସହ ବୈଠକ କରି ତୁରନ୍ତ ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପତୋରାକୁ ନିରବଛିନ୍ନ ବିଦ୍ୟୁତ୍ ସରବରାହ ସୁନିଶ୍ଚିତ ହୋଇଗଲେ ୨ସହରର ପାନୀୟ ଜଳ ସମସ୍ୟା ଦୂର ହୋଇଯିବ ବୋଲି ପ୍ରକାଶ କରିଛନ୍ତି।