ମୋହନା, ୨୯।୭( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନାରେ ପାନୀୟ ଜଳ ସଙ୍କଟ ଆଶଙ୍କା। ବକେୟା ବିଦ୍ୟୁତ୍ ବିଲ ପୈଠ ନହେବାରୁ ପଞ୍ଚାୟତର ପାନୀୟ ଜଳ ଯୋଗାଣ ପମ୍ପ ହାଉସର ବିଦ୍ୟୁତ ସଂଯୋଗ କାଟି ଦେଇଛି ବିଦ୍ୟୁତ ବିଭାଗ। ଗତ ୬ ମାସ ହେବ ପଞ୍ଚାୟତ ତରଫରୁ କୌଣସି ଟଙ୍କା ପୈଠ କରାଯାଇନଥିବା ହେତୁ ବିଦ୍ୟୁତ ବିଭାଗ ତରଫରୁ ଏକ ପ୍ରିପେ ମିଟର ପରିବର୍ତ୍ତନ କରିଥିଲେ । ଯାହାକି ସମ୍ପୂର୍ଣ ବକେୟା ପୈଠ କରାଗଲେ ମିଟରଟି କାର୍ଯ୍ୟକ୍ଷମ ହେବ । ମଙ୍ଗଳବାର ୬ ଲକ୍ଷ ୧୧ ହଜାର ୩୧୪ ଟଙ୍କାରୁ ଅଧିକ ବିଲ ବକେୟା ଥିବାରୁ ବିଦ୍ୟୁତ ବିଚ୍ଛିନ୍ନ ହୋଇଯାଇଛି । ଫଳରେ ମୋହନା ସହର ସମେତ ଅନେକ ସାହି ଓ ଗାଁରେ ପାନୀୟ ଜଳ ଯୋଗାଣ ବାଧାପ୍ରାପ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଛି।ଗଜପତି ଜିଲା ମୋହନା ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ପାନୀୟ ଜଳ ଯୋଗାଣ ପମ୍ପ ହାଉସ ମାଧ୍ୟମରେ ଦୀର୍ଘଦିନ ଧରି ମୋହନା ସହର ଓ ଆଖପାଖ ଅଞ୍ଚଳକୁ ପାଣି ଯୋଗାଣ କରାଯାଉଥିଲା। କିନ୍ତୁ ବିଦ୍ୟୁତ ବିଲ ବକେୟା ରହିଥିବାରୁ ବିଦ୍ୟୁତ ବିଭାଗ ପକ୍ଷରୁ ପମ୍ପ ହାଉସର ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯାଇଛି। ପମ୍ପ ହାଉସ ନାମରେ ୬ ଲକ୍ଷ ୧୧ ହଜାର ୩୧୪ ଟଙ୍କାରୁ ଅଧିକ ବିଦ୍ୟୁତ ବିଲ ବକେୟା ରହିଛି। ବିଦ୍ୟୁତ କଟିଯିବା ପରେ ପାତ୍ର ସାହି, ତେଲି ସାହି, ବାରି ସାହି, ମାଣିକେଶ୍ୱରୀ ସାହି, କଣ୍ଟେଇକୋଳି, ରଙ୍ଗମାଟିଆ, ଆନନ୍ଦପୁର ସମେତ ବିଭିନ୍ନ ସାହି ଓ ଗାଁରେ ପାନୀୟ ଜଳ ସଙ୍କଟ ଦେଖାଦେବା ଆଶଙ୍କା କରାଯାଉଛି।ବିଦ୍ୟୁତ ବିଲ ବକେୟା ରହିବାରୁ ପାଣି ଯୋଗାଣ ବନ୍ଦ ହେବା ଘଟଣାକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି। ତୁରନ୍ତ ବକେୟା ବିଲ ପୈଠ କରି ପାନୀୟ ଜଳ ଯୋଗାଣ ସ୍ବାଭାବିକ କରିବାକୁ ଦାବି କରିଛନ୍ତି ଲୋକେ। ଯଦି ଶୀଘ୍ର ସମସ୍ୟାର ସମାଧାନ ନହୁଏ, ତେବେ ବଡ଼ ଧରଣର ଆନ୍ଦୋଳନ କରାଯିବ ବୋଲି ସହର ବାସିନ୍ଦା ଚେତାବନୀ ଦେଇଛନ୍ତି। ଅପରପକ୍ଷେ ମୋହନା ସରପଞ୍ଚ ସୁନିତା ମଲିକଙ୍କୁ ଯୋଗାଯୋଗ କରାଯିବାରୁ ଅତିଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ର୍ରୁତି ଦେଇଛନ୍ତି।