ପାଣି ପାଇଁ ଗରା, ବାଲ୍‌ଟି ଧରି ବିକ୍ଷୋଭ

ଖଇରା,୨୨।୬(ଡି.ଏନ୍‌.ଏ.): ବାଲେଶ୍ବର ଜିଲା ଖଇରା ବ୍ଲକ ବାଉଁଶଗଡ଼ିଆ ପଞ୍ଚାୟତ ୩ନଂ ଓ୍ବାର୍ଡ କୋହ୍ଲସାହିରେ ପାନୀୟ ଜଳ ଯୋଗାଣର ସ୍ଥାୟୀ ବ୍ୟବସ୍ଥା ନ ହେବା ପ୍ରତିବାଦରେ ବିକ୍ଷୋଭ ହୋଇଛି। ୪୦ ପରିବାର ବୁଧବାର ଖଇରା ବିଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିଡିଓ ପର୍ଶୁରାମ ପଣ୍ଡା ଜଳ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କୁ ପଠାଇ ସମସ୍ୟା ଦୂର କରିବାକୁ ପ୍ରତିଶ୍ରୁତି ଦେଇଥିଲେ ହେଁ ଗ୍ରାମବାସୀ ସ୍ଥାୟୀ ସମାଧାନ ଦାବିରେ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ା ପାନୀୟ ଜଳ ଯୋଗାଣର ବ୍ୟବସ୍ଥା ନ ହେବା ପର୍ଯ୍ୟନ୍ତ ସେମାନେ ଧାରଣାରୁ ଉଠିବେ ନାହିଁ ବୋଲି କହିଛନ୍ତି। ମେ’ ମାସ ଖରାରେ ଗ୍ରାମବାସୀ ଚୁଆରୁ ପାଣି ସଂଗ୍ରହ କରି ପିଉଥିବା ନେଇ ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ। ପରେ ବିଡିଓ ଗ୍ରାମକୁ ଯାଇ ସ୍ଥାୟୀ ସମାଧାନ ପାଇଁ ସୌର ପ୍ରକଳ୍ପ ନିର୍ମାଣ ପ୍ରିତଶ୍ରୁତି ଦେଇଥିଲେ। ଏହାସହ ଅସ୍ଥାୟୀ ଭାବେ ଟ୍ୟାଙ୍କରରେ ଜଳ ଯୋଗାଣର ବ୍ୟବସ୍ଥା କରିଥିଲେ। ମାତ୍ର କିଛି ଦିନ ଟ୍ୟାଙ୍କରରେ ପାଣି ଦେବା ପରେ ବର୍ତ୍ତମାନ ଏହାକୁ ବନ୍ଦ କରାଯାଇଛି। ଏଣୁ ଗ୍ରାମବାସୀ ପୁଣି ଥରେ ପ୍ରତିବାଦ ପାଇଁ ଗରା, ବାଲ୍‌ଟି ଧରି ପ୍ରତିବାଦ କରିବାକୁ ବିଡିଓଙ୍କ କାର୍ଯ୍ୟାଳୟକୁ ଯାଇଥିଲେ।