ପାଣି ପ୍ରକଳ୍ପ କେବୁଲ ତାର ଚୋରି: ଜଳ ଯୋଗାଣ ବନ୍ଦ

ଆରଡ଼ି,୧୦ା୯(ଡି.ଏନ୍‌.ଏ.): ଭଦ୍ରକ ଜିଲା ଆରଡ଼ି ବସଷ୍ଟାଣ୍ଡ ଓ କୋଇଲଖା ବାତ୍ୟା ଆଶ୍ରୟସ୍ଥଳ ନିକଟସ୍ଥ ଜଳ ପ୍ରକଳ୍ପରୁ ଶୁକ୍ରବାର ରାତିରେ କିଛି ଦୁର୍ବୃତ୍ତ ପ୍ରକଳ୍ପ ଓ ପାଣିପମ୍ପ୍‌କୁ ସଂଯୋଗ କରୁଥିବା କେବୁଲ ତାର କାଟି ନେଇଛନ୍ତି। ଉଭୟ ପ୍ରକଳ୍ପ କର୍ମଚାରୀ ଜଳ ଯୋଗାଣ କରିବାକୁ ଆସି କେବୁଲ ତାର ଚୋରି ହୋଇଥିବା ଜାଣିବାକୁ ପାରିଥିଲେ । ଏନେଇ କର୍ମଚାରୀମାନେ ଆରଡ଼ି ଫାଣ୍ଡିରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତିକରି ଆରଡ଼ି ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି କରିଛି।
ସୂଚନାଯୋଗ୍ୟ, ଆରଡ଼ି ଅଞ୍ଚଳରେ ମାସକ ମଧ୍ୟରେ ୪ଟି ସ୍ଥାନରେ ଚୋରି ହୋଇଛି। ପୋଲିସ ଘଟଣାରେ ସମ୍ପୃକ୍ତ ୨ ଜଣଙ୍କୁ ଧରିବାରେ ସକ୍ଷମ ହୋଇଛି। ଶୁକ୍ରବାର ରାତିରେ ପୋଲିସ ପାଟ୍ରୋଲିଂ ସତ୍ତ୍ବେ କେବୁଲ ତାର ଚୋରି ହେବା ପୋଲିସ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି। କେବୁଲ ତାର ଚୋରି ହେବାରୁ ବିଭିନ୍ନ ଗାଁରେ ଜଳଯୋଗାଣ ବନ୍ଦ ରହିଛି। ସ୍ଥାନୀୟ ଅଞ୍ଚଳରେ ରାତିରେ ବାରମ୍ବାର ବିଦ୍ୟୁତ୍‌ କାଟ ଚୋରି ପାଇଁ ବାଟ ଖୋଲିଛି ବୋଲି ସାଧାରଣରେ ଅଭିଯୋଗ ହୋଇଛି।