ବାରମ୍ବାର ଅଭିଯୋଗ ପରେ ବି ସମାଧାନ ହେଉନି ଜଳ ସମସ୍ୟା

କୋରୁକୋଣ୍ଡା ୨୦।୩(ଡି.ଏନ. ଏ): ବାରମ୍ବାର ଅଭିଯୋଗ ପରେ ମଧ୍ୟ ସମାଧାନ ହେଉନି ଜଳ ସମସ୍ୟା।ଏଭଳି ଏକ ଅଭିଯୋଗ ଆସିଛି ମାଲକାନଗିରି ଜିଲା କୋରୁକୋଣ୍ଡା ପଞ୍ଚାୟତ ସମିତି ଅଧୀନ ନାକାମାମୁଡି ଗ୍ରାମ ପଞ୍ଚାୟତ ଅଧୀନ ରବା ଗ୍ରାମରୁ। ଗ୍ରାମଟି କୋରୁକୋଣ୍ଡା ବ୍ଲକ ସଦରଠାରୁ ପ୍ରାୟ ଚାଳିଶ କି.ମି. ଦୂରରେ ଥିବାବେଳେ ଗ୍ରାମ ପଞ୍ଚାୟତ ସଦରଠାରୁ ୨୦ କି.ମି.। ଗ୍ରାମରେ ପ୍ରାୟ ୭୦ପରିବାର ବାସକରୁଥିବା ବେଳେ ବହୁଦିନ ଧରି ସେଠାରେ ବସବାସ କରୁଥିବା ପରିବାର ନାଳ ଓ ଝରଣାର ପାଣି ବ୍ୟବହାର କରୁଛନ୍ତି । ଏ ନେଇ ଗ୍ରାମବାସୀ ବହୁବାର ଅଭିଯୋଗ କରିଥିଲେ ମଧ୍ୟ କେହି ନ ଶୁଣିବାରୁ ଶେଷରେ ଗ୍ରାମବାସୀ ଜିଲାପାଳଙ୍କୁ ନିଜର ସମସ୍ୟା ଜଣାଇଥିଲେ। ଜିଲାପାଳଙ୍କୁ ଅଭିଯୋଗ ଶୁଣାଇବା ପରେ ସମସ୍ୟାର ସମାଧାନ କରି ଉକ୍ତ ଗ୍ରାମକୁ ନଳକୂପ ଖୋଳି ସୋଲାର ସାହାଯ୍ୟରେ ପ୍ରତେକ ଘରକୁ ପାଣି ଯୋଗାଇବା ପାଇଁ ଠିକାଦାରଙ୍କୁ ହସ୍ତାନ୍ତର କରାଯାଇଥିଲା। ହେଲେ ଉକ୍ତ ଠିକାଦାର ନଳକୂପ ଖୋଳାଇବା ପରେ ଏବେ ପ୍ରାୟ ଦୁଇ ମାସ ହେବ କାମ ବନ୍ଦ କରି ଦେଇଛନ୍ତ। ଆଗକୁ ଖରାଦିନ ଆସୁଥିବାରୁ ଗ୍ରାମବାସୀ ଏକ ବୈଠକ କରିଥିଲେ। ବୈଠକର ନଷ୍ପତ୍ତି କ୍ରମେ ସୋମବାର ଗ୍ରାମର କିଛି ପୁରୁଷ ଓ ମହିଳା କୋରୁକୋଣ୍ଡା ପଞ୍ଚାୟତ ସମିତିକୁ ଆସି ସେମାନଙ୍କ ସମସ୍ୟାକୁ ନେଇ କୋରୁକୋଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେଦ ବ୍ୟାସ ଭୋଇଙ୍କୁ ଲିଖିତ ଅଭିଯୋଗ କରିଥିଲେ। ତେବେ ଖୁବ୍‌ଶୀଘ୍ର ଉକ୍ତ ଗ୍ରାମକୁ ପାଣି ଦିଆଯିବ ବୋଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ କହିଛନ୍ତି। ଆଗାମୀ ୮ ଦିନ ମଧ୍ୟରେ ଯଦି ଗ୍ରାମକୁ ପାଣି ଯୋଗାଇ ନ ଦିଆଯିବା ତେବେ ଆଗାମୀ ଦିନରେ ସମସ୍ତ ଗ୍ରାମବାସୀ ଆସି ପଞ୍ଚାୟତ ସମିତି ଆଗରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି।