ପାଣି ପାଇଁ ଡହଳବିକଳ

ରାଉରକେଲା,୨୪।୬(ସଙ୍ଗୀତା ଜେନା): ରାଉରକେଲା ଇସ୍ପାତ କାରଖାନା ଶିଳ୍ପାଞ୍ଚଳ ତଥା ରଘୁନାଥପାଲି ନିର୍ବାଚନ ମଣ୍ଡଳୀ ଅଧୀନ ସେକ୍ଟର-୧ ଖରିଆବାହାଲ ବସ୍ତିରେ ପାଣି ସମସ୍ୟା ଉତ୍କଟ ହୋଇଛି। ଖରାଦିନ ଆରମ୍ଭ ହେଲେ ପାଣି ପାଇଁ ବସ୍ତିବାସିନ୍ଦା ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବା ଅଭିଯୋଗ ହୋଇଛି।
ସୂଚନା ଅନୁସାରେ, ସେକ୍ଟର-୧ ଖରିଆବାହାଲ ବସ୍ତିର ଜନସଂଖ୍ୟା ପ୍ରାୟ ୭ ହଜାର। ଏହି ବସ୍ତି ଅଞ୍ଚଳ ଆର୍‌ଏମ୍‌ସି କି ପଞ୍ଚାୟତ ଅଧୀନରେ ଯାଉନାହିଁ। ଫଳରେ ବସ୍ତିକୁ ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ ମିଳିପାରୁନାହିଁ। ବସ୍ତିବାସୀଙ୍କର କେବଳ ଭୋଟ୍‌ଦାନ ଅଧିକାର ଥିବାବେଳେ ସେମାନେ ସବୁକ୍ଷେତ୍ରରେ ସମ୍ପୂର୍ଣ୍ଣ ଭାବେ ଅବହେଳିତ ଅବସ୍ଥାରେ ରହିଛନ୍ତି। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବସ୍ତିରେ ନଳକୂପ ଖନନ କରାଯାଇଥିଲା। ବର୍ତ୍ତମାନ ସେହି ନଳକୂପରୁ ପାଣି ବାହାରୁନାହିଁ। ବସ୍ତିରେ ଥିବା କୂଅ ଶୁଖିଲା ପଡିଛି। ଏଭଳି ସ୍ଥିତିରେ ୧୦କିମି ଦୂର ଏକ ଟ୍ୟାପ୍‌ରୁ ବସ୍ତିବାସୀ ଦୈନିକ ପାଣି ସଂଗ୍ରହ କରିବାକୁ ବାଧ୍ୟ ହେଉଛନ୍ତି। ବସ୍ତିରେ ଜଳ ସମସ୍ୟାକୁ ନେଇ ସ୍ଥାନୀୟ ବାସିନ୍ଦା ଅଶୋକ ଦାସ କୁହନ୍ତି, ବାହାରୁ ଅଟୋ ଯୋଗେ ପାଣି ସଂଗ୍ରହ କରିବାକୁ ପଡୁଛି। ପାଣି ପାଇଁ କାମକୁ ଯାଇପାରୁନାହୁଁ। ଘରକୁ ସଂଯୋଗ ହୋଇଥିବା ପାଇପ୍‌ ଜଳଯୋଗାଣ କାର୍ଯ୍ୟକାରୀ ହେଉନି। ଜଣେ ଭିନ୍ନକ୍ଷମ ମହିଳା ଦୁଃଖିନୀ ବାର୍ଲା କୁହନ୍ତି, ବସ୍ତିରେ ପାଣି ସମସ୍ୟା ସବୁଦିନିଆ। ଲୋକେ ନଦୀ, ନାଳ ଓ କମ୍ପାନୀ କ୍ୱାର୍ଟର ଗୁଡ଼ିକରୁ ମାଗିଯାଚି ପାଣି ଆଣୁଛନ୍ତି। କିନ୍ତୁ ମୋତେ ଖରାମାସରେ ପାଣି କିଣିବାକୁ ପଡୁଛି। ସହଦେବ ଲାକ୍ରା କହିଛନ୍ତି, ନିର୍ବାଚନ ସମୟରେ ଏଠାରେ ରାଜନେତାଙ୍କ ପାଦ ପଡ଼େ। ଭିନ୍ନ ଭିନ୍ନ ଦଳର ରାଜନେତାଙ୍କୁ ଗୁହାରି କରାଯାଇଛି ହେଲେ ସମସ୍ୟାର ସମାଧାନ ହୋଇନି। କେବଳ ଆଶ୍ୱାସନା ମିଳୁଛି। ବସ୍ତିରେ ଦୈନିକ ଭାବେ ପାଣି ପାଇଁ ଗଣ୍ଡଗୋଳର ସୂତ୍ରପାତ ହେଉଛି। ଏପରିକି ଥାନାର ଦ୍ୱାରସ୍ଥ ହେବାକୁ ମଧ୍ୟ ପଡ଼ୁଛି। ଅନୁରୂପ ଭାବେ ସୁଷମା ଦାସ, ସୋମବାରୀ ହେମ୍ବ୍ରମ, ରଶ୍ମି ଦାସ, ମହାଦେବ ଲାକ୍ରା, ଫୁକଲି ଦାସ, ମନିତା ଭଗତ, ମଧୁ ଦାସ ପ୍ରମୁଖ ଅନୁରୂପ ଅଭିଯୋଗ କରିଛନ୍ତି। ଖରିଆବାହାଲ ବସ୍ତିର କିଛି ଅଞ୍ଚଳକୁ ବେଳେବେଳେ ଆରଏସପି ପକ୍ଷରୁ ପାନୀୟ ଜଳଯୋଗାଣ କରାଯାଉଛି। ହେଲେ ଆମ ପାଇଁ କୌଣସି ବ୍ୟବସ୍ଥା କରାଯାଉନାହିଁ ବୋଲି ସେମାନେ କହିଥିଲେ। ଏ ନେଇ ରଘୁନାଥପାଲୀ ନିର୍ବାଚନମଣ୍ଡଳୀର କଂଗ୍ରେସ ନେତା ପ୍ରଶାନ୍ତ ସେଠୀ କୁହନ୍ତି, ପାଣି ଯୋଗାଣ ପାଇଁ କୋଟି କୋଟି ଟଙ୍କାର ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ ସମ୍ପୃକ୍ତ ଅଞ୍ଚଳରେ ଲୋକଙ୍କୁ ପାଣି ନ ମିଳିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ପ୍ରାୟ ୧ମାସ ତଳେ ପାଣି ପାଇଁ ଆର୍‌ଏସ୍‌ପି ସହରସେବା ବିଭାଗ ଘେରାଉ କରାଯାଇଥିଲା। ତେବେ ବସ୍ତିବାସୀଙ୍କ ଅଧିକାର ପାଇଁ ପୁନଃ ଲଢ଼େଇ କରାଯିବ। ଆରଏସପି କର୍ତ୍ତୃପକ୍ଷଙ୍କୁ ସମାଧାନ ପାଇଁ କୁହାଯିବ ବୋଲି ସେଠୀ କହିଛନ୍ତି। ଏ ସମ୍ପର୍କରେ ମତାମତ ପାଇଁ ରଘୁନାଥପାଲି ବିଧାୟକ ସୁବ୍ରତ ତରାଇଙ୍କୁ ତାଙ୍କ ମୋବାଇଲ ନମ୍ବର ୯୪୩୮୧୩୧୦୨୫ରେ ଯୋଗାଯୋଗ କରାଯାଇଥିଲା। ମାତ୍ର ସେ ଫୋନ ରିସିଭ ନ କରିବାରୁ ତାଙ୍କ ମତାମତ ମିଳିପାରିନାହିଁ।