ରାତି ପାହିଲେ ପାଣି ଚିନ୍ତା

ଖପ୍ରାଖୋଲ,୧୪ା୬(ଅଭୟ ତ୍ରିପାଠୀ): ପ୍ରବଳ ଗରମ ସହ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ଜଳାଶୟ ପାଣି କମିବାରେ ଲାଗିଛି। ଗଭୀର ନାଳକୂଅ ହେଉ କି ନଳକୂଅରୁ ବାହାରୁନି ଆବଶ୍ୟକ ପାଣି। ଏଥିଯୋଗୁ ବଲାଙ୍ଗୀର ଜିଲା ଖପ୍ରାଖୋଲ ପଞ୍ଚାୟତ ଗୁଣ୍ଡୁରୁପାଲି ଗାଁର ୮ଶହରୁ ଊର୍ଦ୍ଧ୍ୱ ଲୋକେ ପାଣି ପାଇଁ ଏବେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି ପାହିଲେ ସେମାନଙ୍କୁ ପାଣିଚିନ୍ତା ଘାରୁଛି।
ଗୁଣ୍ଡୁରୁପାଲି ଗାଁରେ ୫ଟି ନଳକୂଅ ରହିଛି। ଗାଁ ମୁଣ୍ଡ ପ୍ରହରୀ ମଣ୍ଡପ ପାଖରେ ରହିଛି ଏକ ସୋଲାର ଜଳ ପ୍ରକଳ୍ପ। ଏହାର ପାଣିକୁ ପାନୀୟ ଜଳ ଭାବେ ଗ୍ରାମବାସୀ ବ୍ୟବହାର କରିଥାନ୍ତି। ପ୍ରବଳ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ଏଥିରୁ ଆବଶ୍ୟକ ପାଣି ବାହାରୁ ନାହିଁ। ତେଣୁ ପାଣି ସଂଗ୍ରହ ପାଇଁ ଲୋକେ ଗରା, ମାଠିଆ, ବାଲଟି ରଖି ଘଣ୍ଟାଘଣ୍ଟା ଅପେକ୍ଷା କରି ରହୁଥିବା ଦେଖିବାକୁ ମିଳୁଛି। ଏଥିପାଇଁ ବହୁ ସମୟରେ ପାଟିତୁଣ୍ଡ ହେଉଛି। ପ୍ରକଳ୍ପ ମରାମତି କରି ନିରବଚ୍ଛିନ୍ନ ଜଳ ଯୋଗାଣ ପାଇଁ ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରି ଆସୁଥିଲେ ମଧ୍ୟ କିଛି ସୁଫଳ ମିଳି ନ ଥିବା ଗ୍ରାମବାସୀ କ୍ଷୋଭର ସହ କହିଛନ୍ତି। ତୁରନ୍ତ ପାନୀୟ ଜଳ ସମସ୍ୟାର ସମାଧାନ ନ କଲେ ଆନ୍ଦୋଳନ କରାଯିବ ବୋଲି ୱାର୍ଡସଭ୍ୟ ସନ୍ତୋଷ ବାଗ, ଟିକେଲାଲ ନିଆଲ ପ୍ରମୁଖ ଚେତାବନୀ ଦେଇଛନ୍ତି। ଏନେଇ ଗ୍ରାମ୍ୟ ଜଳଯୋଗାଣ ବିଭାଗ ସହକାରୀ ଯନ୍ତ୍ରୀ ଶ୍ୟାମ କୁମାରଙ୍କୁ ପଚାରିବାରୁ ସୋଲାର ପମ୍ପରୁ କମ୍‌ ପାଣି ବାହାରୁଛି। ଅନ୍ୟ ଏକ ଗଭୀର ନଳକୂଅରୁ ତୁରନ୍ତ ଜଳଯୋଗାଣ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି।