Categories: ଜାତୀୟ

ବିଶ୍ୱର ୫୦% ବୃହତ୍‌ ହ୍ରଦରେ କମୁଛି ଜଳସ୍ତର

ନୂଆଦିଲ୍ଲୀ, ୨୦।୫: ବିଶ୍ୱର ବୃହତ୍‌ ହ୍ରଦଗୁଡ଼ିକ ଶୁଖିବାରେ ଲାଗିଛି। ଜଳ ଅପଚୟ ଏବଂ ତାପମାତ୍ରା ବୃଦ୍ଧି ଏହାର ମୁଖ୍ୟ କାରଣ ବୋଲି ଆମେରିକାର ୟୁନିଭର୍ସିଟି ଅଫ୍‌ ଭର୍ଜିନିଆ ବିଶେଷଜ୍ଞଙ୍କ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରେ କୁହାଯାଇଛି। ପାଖାପାଖି ୫୦% ବୃହତ୍‌ ହ୍ରଦ ଏ ପ୍ରକାର ଜଟିଳ ସ୍ଥିତି ଦେଇ ଗତି କରୁଥିବା ଜର୍ନାଲ ସାଇନ୍ସରେ ପ୍ରକାଶ ପାଇଥିବା ଅଧ୍ୟୟନ ସମ୍ବନ୍ଧୀୟ ରିପୋର୍ଟରେ ଉଲ୍ଲେଖ କରାଯାଇଛି।
ଅଧ୍ୟୟନର ମୁଖ୍ୟ ଫାଙ୍ଗଫଙ୍ଗ ୟାଓ ହୋଇଥିବାବେଳେ ୟୁନିଭର୍ସିଟି ଅଫ୍‌ କଲୋରାଡୋ ବୋଲ୍‌ଡର, କାନ୍‌ସାସ୍‌ ଷ୍ଟେଟ୍‌ ୟୁନିଭର୍ସିଟି ବିଶେଷଜ୍ଞମାନଙ୍କ ଦ୍ୱାରା ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ବିଶ୍ୱର ୨,୦୦୦ ହ୍ରଦରେ ଜଳ ଶୁଖିବା ଆରମ୍ଭ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ହ୍ରଦ ଜଳ ସମ୍ପର୍କରେ ଅଧ୍ୟୟନ କରାଯିବା ଲାଗି ବିଶେଷଜ୍ଞମାନେ ଆରେ ସାଟେଲାଇଟ ଜରିଆରେ ସଂଗୃହୀତ ୩୦ ବର୍ଷର ତଥ୍ୟକୁ ଏଥିରେ ବ୍ୟବହାର କରିଛନ୍ତି। ୧୯୯୨ରୁ ୨୦୨୦ ମଧ୍ୟରେ ସାଟେଲାଟ ଜରିଆରେ ପୃଥିବୀର ୨,୫୦,୦୦୦ ପରିମିତ ଅଞ୍ଚଳରେ ବ୍ୟାପିଥିବା ୧,୯୭୨ ବୃହତ୍‌ ହ୍ରଦର ସ୍ନାପ୍‌ଶଟ୍‌କୁ ନେଇ ଉକ୍ତ ସର୍ଭେ କରାଯାଇଛି। ଅଧ୍ୟୟନ ମୁତାବକ ବିଶ୍ୱର ୫୩ ପ୍ରତିଶତ ହ୍ରଦରେ ଜଳ ଧାରଣ କମିଛି।
ପରିବର୍ତ୍ତନ, ମନୁଷ୍ୟକୃତ ଜଳ ଅପଚୟ ଯୋଗୁ ବିଶ୍ୱର ୧୦୦ ବଡ଼ ହ୍ରଦର ଆୟତନ କମିଛି। ଏଥିସହ ଜଳ ପରିମାଣ ମଧ୍ୟ ହ୍ରାସ ପାଇଛି। ଉଭୟ ଶୁଷ୍କ ଓ ଆର୍ଦ୍ର ଭୂମି ହ୍ରଦଗୁଡ଼ିକରେ ସମାନ ସ୍ଥିତି ଦେଖିବାକୁ ମିଳିଛି। ପୃଥିବୀର ଦୁଇ-ତୃତୀୟାଂଶ ବଡ଼ ଜଳାଶୟରେ ଜଳର ପରିମାଣ କ୍ରମାଗତ ହ୍ରାସ ପାଇଚାଲିଛି। ଜଳସ୍ତର କମିବା ଯୋଗୁ ବହୁ ହ୍ରଦ ସଙ୍କୁଚିତ ହେବାରେ ଲାଗିଥିବାବେଳେ୨୪% ହ୍ରଦରେ ଜଳ ଧାରଣ ବଢ଼ିଛି। ବିଶେଷ କରି କମ୍‌ ଲୋକ ବାସ କରୁଥିବା ଅଞ୍ଚଳରେ ଥିବା ହ୍ରଦ ଜଳସ୍ତରରେ ବୃଦ୍ଧି ଦେଖିବାକୁ ମିଳିଛି। ଆର୍ମେନିଆର ସେଭାନ ହ୍ରଦ ଜଳ ପରିମାଣ ଗତ ୨୦ ବର୍ଷ ଧରି ବଢ଼ିବାରେ ଲାଗିଛି।

Share