ରୁଷିକୁଲ୍ୟାରୁ କମୁଛି ଜଳସ୍ତର: ଟଳିଲା ବନ୍ୟା ଆଶଙ୍କା

ପୁରୁଷୋତ୍ତମପୁର, ୨୬।୯ (ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତର ପ୍ରଭାବରେ ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ଅଞ୍ଚଳରେ ଗତ ଚାରିଦିନ ଧରି ଲଗାଣ ବର୍ଷା ଜାରି ରହିଥିଲା। ଏହାଯୋଗୁ ଜନଜୀବନ ପ୍ରଭାବିତ ହୋଇପଡ଼ିଥିଲା। ଏପଟେ ରୁଷିକୁଲ୍ୟା ନଦୀର ଜଳପତ୍ତନ କ୍ରମାଗତ ଭାବେ ବଢ଼ିବା ସହ ନଦୀ ଦୁଇକୂଳ ଛୁଇଁ ଗର୍ଜନ କରୁଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଥିଲା। ତେବେ ବର୍ତ୍ତମାନ ରୁଷିକୁଲ୍ୟା ନଦୀର ଜଳସ୍ତର ଧୀରେ ଧୀରେ କମିବାରେ ଲାଗିଛି। ଫଳରେ ବନ୍ୟା ଆଶଙ୍କା ଟଳିଥିବାରୁ ଲୋକେ ଆଶ୍ୱସ୍ତ ହୋଇଛନ୍ତି।

ପୁରୁଷୋତ୍ତମପୁରଠାରେ ରୁଷିକୁଲ୍ୟା ନଦୀର ବିପଦସଙ୍କେତ ୧୬.୮୩୫ ମିଟର ଥିବାବେଳେ ସତର୍କ ସଙ୍କେତ ୧୫.୮୩୫ ମିଟର ରହିଛି। ତେବେ ଶନିବାର ସକାଳ ସୁଦ୍ଧା ନଦୀର ଜଳସ୍ତର ସତର୍କ ସଙ୍କେତଠାରୁ ତଳକୁ ଖସି ୧୫.୫୭ ମିଟରରେ ପ୍ରବାହିତ ହେଉଥିଲା। ଜଳସ୍ତର କମିବା ପରେ ଅଞ୍ଚଳବାସୀଙ୍କ ମନରୁ ବନ୍ୟା ଭୟ ଦୂର ହୋଇଛି। ଲୋକେ ପୁଣି ନିଜ ନିଜ କାମଧନ୍ଦାରେ ଲାଗିପଡ଼ିଛନ୍ତି। ତେବେ ତଳିଆ ଅଞ୍ଚଳର କିଛି ଚାଷଜମିରେ ଏବେ ବି ପାଣି ଜମି ରହିଛି। ଫଳରେ ଚାଷ ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି।

ଜମିରେ ପାଣି ବୁଡ଼ି ରହିଥିବାରୁ ଚାଷୀମାନେ ଏବେ ଚିନ୍ତାରେ ପଡ଼ିଛନ୍ତି। ବନ୍ୟା ଆଶଙ୍କା ଟଳିଥିଲେ ମଧ୍ୟ ଲଗାଣ ବର୍ଷାର ପ୍ରଭାବରେ ଫସଲର କ୍ଷୟକ୍ଷତି ନେଇ ଚାଷୀଙ୍କ ମଧ୍ୟରେ ଆଶଙ୍କା ଜାରି ରହିଛି।

 

Dharitri – Odisha’s No.1 Odia Daily

 

Share