ବସୁଧାରୁ ମିଳୁନି ପାଣି, ଖୋଲାକୂଅ ଭରସା

ନୂଆପଡ଼ା,୨୨।୩(ମକାରୁ ବେମାଲ): ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡା ପଞ୍ଚାୟତ ଗାତିବେଡା ଗାଁରେ ଜଳ ସଙ୍କଟ ଦେଖାଦେଇଥିବା ବେଳେ କୂଅ ପାଣି ଉପରେ ଲୋକେ ନିର୍ଭର କରି ଚଳୁଛନ୍ତି। ସୁନାବେଡା ଅଭୟାରଣ୍ୟ ଭିତରେ ଅବସ୍ଥିତ ଗାତିବେଡା ଗାଁରେ ୩ଟି ପଡା ମକରଦମପଡା, ଦୋହେଲପଡା ଓ ସରଗିପଡା ରହିଛି। ଦୁଇ ୱାର୍ଡ ବିଶିଷ୍ଟ ଗାଁରେ ୨ଶହ ପରିବାରର ଏକ ହଜାରରୁ ଊର୍ଦ୍ଧ୍ୱ ଜନସଂଖ୍ୟା ରହିଥିବା ବେଳେ ୧୨ଟି ନଳକୂଅ ରହିଛି। ସେଥି ମଧ୍ୟରୁ ୨ଟି ସମ୍ପୂର୍ଣ୍ଣ ଅଚଳ ହୋଇଯାଇଥିବା ବେଳେ ବାକି ନଳକୂଅରେ ଅଳ୍ପ ଅଳ୍ପ ପାଣି ବାହାରୁଛି। ସେହି ନଳକୂଅରେ ଲାଲ ରଙ୍ଗର ପାଣି ବାହାରୁଥିବାରୁ ଲୋକେ ଡରି ଯାଇ କୂଅ ପାଣି ଉପରେ ନିର୍ଭର କରି ଚଳୁଛନ୍ତି। ନଳକୂଅରେ ଲାଲ ରଙ୍ଗର ପାଣି ବାହାରୁଥିଲେ ମଧ୍ୟ ସରକାରୀ ଭାବେ ପରୀକ୍ଷା କରାଯାଇନାହିଁ। ଲୋକେ ଫ୍ଲୋରାଇଡ ଯୁକ୍ତ ପାଣି ହୋଇଥିବ ବୋଲି ଅନୁମାନ କରି ନଳକୂଅ ପାଣି ବ୍ୟବହାର କରୁନାହାନ୍ତି। ଗାଁରେ ବସୁଧା ଯୋଜନାରେ ଓଭର ଟାଙ୍କି ନିର୍ମାଣ ହୋଇ ପାଇପ ମଧ୍ୟ ବିଛାଯାଇଛି। ପରୀକ୍ଷା ମୂଳକ ଭାବେ ଗୋଟିଏ ସପ୍ତାହ ପାଣି ମଧ୍ୟ ଗାଁକୁ ଦିଆଯାଇଥିଲା। ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ଅବହେଲା ଯୋଗୁ ପାଣି ଦେଉ ନ ଥିବାରୁ ଲୋକେ ବାଧ୍ୟ ହୋଇ କୂଅ ପାଣି ବ୍ୟବହାର କରୁଛନ୍ତି। ଗାଁ ଭିତରେ ୩ ଫୁଟ ଗଭୀର ଗାତରେ ବାଲି ଦେଇ ପାଇପ ପୋତିବା ନିୟମ ଥିବା ବେଳେ ଠିକାଦାର ଅଧାରୁ ଏକ ଫଟ ଗଭୀର ଗାତରେ ବିନା ବାଲିରେ ପାଇପ ପୋତିଛନ୍ତି। ପାଇପ ସବୁ ଉପରେ ରହିଥିବାରୁ ଅଧିକ ଓଜନିଆ ଗାଡି ଗଲେ ପାଇପ ସବୁ ଫାଟି ଯାଉଛି। ଓଭର ଟାଙ୍କିଠାରୁ ଗାଁ ପର୍ଯ୍ୟନ୍ତ ୫/୬ ସ୍ଥାନରେ ପାଇପ ଫାଟି ଯାଇଛି। ଏ ସଂକ୍ରାନ୍ତରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ କର୍ଣ୍ଣପାତ କରୁନାହାନ୍ତି। ଗାତିବେଡା ଗାଁରେ ଗଭୀର ନଳକୂପ କରାଯାଇନାହିଁ। ସୁନାବେଡାଠାରେ ଗଭୀର ନଳକୂପ କରି ସୁନାବେଡା ଟାଙ୍କିରେ ପାଣି ଭର୍ତ୍ତି କରି ଗାତିବେଡା ଟାଙ୍କିକୁ ଯାଉଛି। ପାହାଡିଆ ଅଞ୍ଚଳ ହୋଇଥିବାରୁ ଟାଙ୍କିକୁ ପାଣି ଯାଇ ପାରୁନାହିଁ। ଗ୍ରାମବାସୀ କହିବା ମୁତାବକ ଆମକୁ ବସୁଧା ଯୋଜନା ପାଣି ମିଳୁନାହିଁ। ଘୋଘେର ନାଳା ପାଖରେ ଥିବା କୂଆ ପାଣି ବ୍ୟବହାର କରୁଛୁ। ଖୋଲା କୂଅ ହୋଇଥିବାରୁ ଗଛ ଡାଳପତ୍ର ପଡି ପାଣି ଖରାପ ହୋଇଯାଉଛି। ସେହି କୂଅରେ ଛାଉଣି କରିଦେଲେ ପାଣି ଭଲ ରହି ବ୍ୟବହାର ଯୋଗ୍ୟ ହୋଇପାରନ୍ତା କିମ୍ବା ସେହି କୂଅରେ ମୋଟର ବସାଇ ଟାଙ୍କିକୁ ପାଣି ନିଆ ଗଲେ ସୁବିଧାରେ ପାଣି ପାରିବୁ ବୋଲି ପର୍ଶୁରାମ ମାଝି, ଶ୍ରୀପାଲ ସିଂ ଧରୁଆ, ଅମର ସିଂ ମାଝି, ତୁଳାରାମ ମାଝି, ଭରତୁ ଧରୁଆ, ଭାଗ୍ୟବତି ମାଝି, ଭଳଭଦ୍ର ମାଝି, ରୁକ୍ମଣୀ ମାଝି, ସୂର୍ଯ୍ୟକାନ୍ତି ମାଝି, ଉର୍ମିଳା ମାଝି, ବାସମତି ମାଝି, ଶିବ ଚରଣ ଧରୁଆ ପ୍ରମୁଖ ଦାବି କରିଛନ୍ତି।