Categories: ଜାତୀୟ

ଜଳ ପାରସ ମଣିଠାରୁ ବି ମୂଲ୍ୟବାନ: ମୋଦି

ନୂଆଦିଲ୍ଲୀ,୨୮।୨: ଦେଶରେ ଜଳ ସଂରକ୍ଷଣ ଜରୁରୀ। ଏହା ଜୀବନ ତଥା ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ। ପାରସ ମଣି ଲୁହାକୁ ମଧ୍ୟ ସୁନାରେ ପରିଣତ କରିଥାଏ ବୋଲି କୁହାଯାଇଥାଏ। ସେହିପରି ଜଳର ପ୍ରତି ବୁନ୍ଦାର ସ୍ପର୍ଶ ଜୀବନ ଲାଗି ମୂଲ୍ୟବାନ। ସରକାରଙ୍କ ପକ୍ଷରୁ ଜଳ ସଂରକ୍ଷଣ ନିମନ୍ତେ ବିଭିନ୍ନ ଯୋଜନା ଜାରି ରହିଛି। ଜଳ ସଂରକ୍ଷଣ ପାଇଁ ପ୍ରସ୍ତୁତି ବର୍ଷାଋତୁ ପୂର୍ବରୁ ହେବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ୭୪ ତମ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ଯୋଗଦେଇ ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି। ଆତ୍ମନିର୍ଭର ଭାରତ ଗଠନ କ୍ଷେତ୍ରରେ ବିଜ୍ଞାନର ଯୋଗଦାନ ବେଶ୍‌ ଉଲ୍ଲେଖନୀୟ। ପ୍ରତିରକ୍ଷା କ୍ଷେତ୍ରରୁ ଆରମ୍ଭ କରି ସ୍ବାସ୍ଥ୍ୟ କ୍ଷେତ୍ର ତଥା ମହାକାଶ ଅଭିଯାନ ସବୁଠାରେ ବିଜ୍ଞାନର ଉପଲବ୍ଧି ଅତି ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ପରୀକ୍ଷା ଦେବାକୁ ଯାଉଥିବା ଶିକ୍ଷାର୍ଥୀଙ୍କ ମନୋବଳ ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ କହିଛନ୍ତି ଓ୍ବରିଅର ନ ହୋଇ ଓ୍ବାରିଅର ହେବା ଆବଶ୍ୟକ। ପରୀକ୍ଷା ବିଷୟରେ ଅଧିକ ଅଯଥା ଚିନ୍ତା ନ କରି ପରୀକ୍ଷା ଦେଇ ଯୋଦ୍ଧା ଭଳି ହସି ହସି ଘରକୁ ଫେରିବା ଆବଶ୍ୟକ ବୋଲି ସେ କହିଛନ୍ତି।

Share