ବଜାରରେ ପାଣି, ମୁଖ୍ୟରାସ୍ତାରେ ଦୋକାନୀ

ରାଉରକେଲା,୨୬।୬(ବିପ୍ଲବ ରଞ୍ଜନ ଦାଶ): ରାଉରକେଲା ମାତାପୂଜା ଦୈନିକ ବଜାରରେ ବର୍ଷା ପାଣି ଯୋଗୁ ବ୍ୟବସାୟୀମାନେ ମୁଖ୍ୟରାସ୍ତାରେ ବିକ୍ରିବଟା କରୁଥିବା ଦେଖିବାକୁ ମିଳିଛି। ଫଳରେ ଯାନବାହନ ଚଳାଚଳରେ ଅସୁବିଧା ସହ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଛି।
ରେଲଓ୍ବେ କଲୋନୀ ମାତାପୂଜା ଦୈନିକ ବଜାରର ଶତାଧିକ ଦୋକାନୀ ଦୀର୍ଘ ୨୦ ବର୍ଷ ହେଲା ରାଉରକେଲା ରେଲଓ୍ବେ ଆଇଓଡବ୍ଲ୍ୟୁ ବିଭାଗକୁ ଦୈନିକ ୧୦ଟଙ୍କା ଲେଖାଏଁ ଟିକସ ପ୍ରଦାନ କରି ଆସୁଛନ୍ତି। ଏହାସତ୍ତ୍ୱେ ମାତାପୂଜା ବଜାରରେ ବିଭାଗ ପକ୍ଷରୁ ନା ଦୋକାନୀଙ୍କ ପାଇଁ ପିଣ୍ଡି ତିଆରି ହୋଇଛି ନା ବଜାରରେ କଂକ୍ରିଟକରଣ କରାଯାଇଛି। ଦୋକାନୀମାନଙ୍କ ପାଖରୁ ଲକ୍ଷ ଲକ୍ଷ ଟଙ୍କା ଟିକସ ଆଦାୟ କରାଯାଇଥିଲେ ମଧ୍ୟ ବଜାର ଭିତ୍ତିଭୂମି ଉନ୍ନତୀକରଣ ପାଇଁ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ ହେଉଛି। ଫଳରେ ବର୍ଷା ସମୟରେ ଦୋକାନ ବଜାର ଖୋଲିବା ବେପାରୀଙ୍କ ପାଇଁ କଷ୍ଟକର ହେଉଛି। ରାଉରକେଲା ସହରରେ ଦୁଇଦିନ ହେଲା ଲଗାଣ ବର୍ଷା ଜାରି ରହିଥିବା ବେଳେ ବଜାର ପ୍ରାଙ୍ଗଣରେ ବର୍ଷାପାଣି ଜମି ରହିଥିବାରୁ ଦୋକାନୀମାନେ ବାଧ୍ୟହୋଇ ରବିବାର ମୁଖ୍ୟରାସ୍ତାରେ ସେମାନଙ୍କ ପସରା ଖୋଲିଥିବା କହିଛନ୍ତି। ଏ ନେଇ ଦୋକାନୀ କାରୋ ସାହୁ, ସନ୍ତୋଷ ସାହୁ, ଧର୍ମା ରାଓ ଓ ବିକାଶ ଯାଦବ କୁହନ୍ତି, ଆମେ ଦୈନିକ ଟିକସ ଆକାରରେ ୧୦ଟଙ୍କା ଲେଖାଏଁ ଦେଉଛୁ। ମାତ୍ର ବିଭାଗ ପକ୍ଷରୁ ଦୋକାନ ଖୋଲିବା ପାଇଁ ବଜାର ପ୍ରାଙ୍ଗଣର ଉନ୍ନତୀକରଣ ହେଉନାହିଁ। ଉଲ୍ଲେଖନୀୟ, ମାତାପୂଜା ଦୈନିକ ବଜାର ସହରର ଏକ ପୁରାତନ ବଜାର। ଏହି ବଜାର ଉପରେ ରେଲଓ୍ବେ କଲୋନୀ, ବାସନ୍ତୀ କଲୋନୀ ସହ ଆଖପାଖ ଅଞ୍ଚଳର ହଜାର ହଜାର ଖାଉଟି ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପାଇଁ ନିର୍ଭର କରନ୍ତି। ଏ ନେଇ ରେଲଓ୍ବେ ଆଇଓଡବ୍ଲ୍ୟୁ ଜୁନିୟର ଇଞ୍ଜିନିୟର ତୁହିନ ଶତପଥିଙ୍କୁ ପଚାରିବାରୁ ସେ କହିଲେ, ସମସ୍ତ ଦୋକାନୀଙ୍କ ପାଖରୁ ଦୈନିକ ୧୦ଟଙ୍କା ଲେଖାଏଁ ଟିକସ ନିଆଯାଉଛି। ମାତ୍ର ମୁଖ୍ୟରାସ୍ତାରେ ବଜାର ଖୋଲିବା ତାଙ୍କ ନିଜସ୍ବ କଥା। ଏଥିରେ ଆମ ବିଭାଗର କୌଣସି ଭୂମିକା ନାହିଁ। ଦୁଇମାସ ହେଲା ମୁ ବିଭାଗରେ ଯୋଗ ଦେଇଛି। ବଜାର ସମସ୍ୟା ବିଷୟରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ବିଚାର ବିମର୍ଶ କରାଯିବ ବୋଲି ସେ କହିଥିଲେ।