ପେଟ୍ରୋଲରେ ପାଣି

ଭୁବନେଶ୍ୱର,(ବ୍ୟୁରୋ): ଗତ କିଛି ମାସ ଧରି ପେଟ୍ରୋଲ ଓ ଡିଜେଲ୍‌ ଦର ବଢ଼ିବାରେ ଲାଗିଛି। ଲିଟର ପିଛା ଦର ୧୦୦ ଟଙ୍କା ଛୁଇଁବାକୁ ବସିଲାଣି। ଜରୁରୀ କାମ ନ ଥିଲେ ଲୋକେ ପେଟ୍ରୋଲ ପକାଇବାକୁ ବହୁବାର ଚିନ୍ତା କରୁଛନ୍ତି ା
ଏଭଳି ସମୟରେ କିଛି ଲାଭଖୋର ପେଟ୍ରୋଲ ପମ୍ପ ମାଲିକ ଓ କର୍ମଚାରୀ ଅପମିଶ୍ରିତ ପେଟ୍ରୋଲ୍‌ ବିକ୍ରି କରି ଲୋକଙ୍କୁ ଚୂନ ଲଗାଇବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବୁଧବାର ସ୍ଥାନୀୟ ବରମୁଣ୍ଡାସ୍ଥିତ ଏଚ୍‌ପି ପେଟ୍ରୋଲ ପମ୍ପରେ ପେଟ୍ରୋଲରେ ପାଣି ମିଶାଇ ଅପମିଶ୍ରଣ କରାଯାଉଥିବା ଜଣାପଡ଼ିବାପରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଶହଶହ ଲୋକ ପାଣି ମିଶା ପେଟ୍ରୋଲ୍‌ ବୋତଲ ଧରି ପେଟ୍ରୋଲ ପମ୍ପରେ ବିକ୍ଷୋଭ କରିବା ସହ ଅପମିଶ୍ରଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ଖବରପାଇ ଖଣ୍ଡଗିରି ଓ ଭରତପୁର ଥାନା ପୋଲିସ ପହଞ୍ଚତ୍ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିବା ସହ ପେଟ୍ରୋଲ ପମ୍ପକୁ ସିଲ୍‌ କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଏଥିସହ ଉକ୍ତ ପେଟ୍ରୋଲ୍‌ ପମ୍ପର ମ୍ୟାନେଜରଙ୍କୁ ଥାନାରେ ଅଟକ ରଖାଯାଇ ତେଲର ନମୁନା ଯାଞ୍ଚ ପାଇଁ ପଠାଯାଇଥିବା ପୋଲିସ ସୂଚନା ଦେଇଛି।
ଯେ, ନୟାପଲ୍ଲୀ ଥାନା ସାଲିଆ ସାହିର ସନ୍ତୋଷ କୁମାର ଦାସ ଉକ୍ତ ପେଟ୍ରୋଲ୍‌ ପମ୍ପରୁ ମଙ୍ଗଳବାର ବାଇକରେ ୨୨୦ ଟଙ୍କାର ପେଟ୍ରୋଲ ପକାଇଥିଲେ। ପେଟ୍ରୋଲ୍‌ ପକାଇ କିଛି ବାଟ ଯିବା ପରେ ତାଙ୍କ ଗାଡ଼ି ବନ୍ଦ ହୋଇଯାଇଥିଲା। ଗାଡ଼ି କାହିଁକି ବନ୍ଦ ହେଲା ବୋଲି ସେ ଗ୍ୟାରେଜକୁ ନେଇ ଦେଖିବାବେଳକୁ ଗାଡ଼ି ଟାଙ୍କିରେ ପାଣି ମିଶା ପେଟ୍ରୋଲ ଭର୍ତ୍ତି ଥିବା ଜାଣିବାକୁ ପାଇଥିଲେ। ଏନେଇ ସନ୍ତୋଷ ପେଟ୍ରୋଲ ପମ୍ପର ମ୍ୟାନେଜରଙ୍କୁ ଜଣାଇଥିଲେ। ଖାଲି ସନ୍ତୋଷ ନୁହନ୍ତି, ଏପରି ଶତାଧିକ ବାଇକ ଓ କାର୍‌ ଚାଳକ ପାଣି ମିଶା ପେଟ୍ରୋଲ ପକାଇ ନାନାଦି ହଇରାଣ ହେବା ଜଣାପଡ଼ିବା ପରେ ପେଟ୍ରୋଲ ପମ୍ପରେ ଭିଡ଼ ଜମାଇଥିଲେ। ମ୍ୟାନେଜର ପେଟ୍ରୋଲ ପମ୍ପର ଟାଙ୍କିକୁ ଚେକ୍‌ କରିବା ପରେ ସେଥିରେ ପାଣି ଥିବା ଜାଣିବାକୁ ପାଇଥିଲେ। ଏହାପରେ ଲୋକମାନଙ୍କ ଭିତରେ ଉତ୍ତେଜନା ଦେଖାଯିବା ସହ ପ୍ରାୟ ୨ ଶହ ଲୋକ ଧାରଣା ଦେଇଥିଲେ। ଖଣ୍ଡଗିରି ଥନା ପୋଲିସ ପହଞ୍ଚତ୍ ଟାଙ୍କିର ମ୍ୟାନେଜରଙ୍କୁ ଥାନାକୁ ଉଠାଇନେଇଥିଲା। ଏଥିସହ ଲୋକଙ୍କୁ ବୁଝାଶୁଝା କରିବା ସହ ଟାଙ୍କି ସିଲ୍‌ କରିବା ପରେ ପରିସ୍ଥିିତି ଶାନ୍ତ ପଡ଼ିଥିଲା। ରାଜଧାନୀରେ ପେଟ୍ରୋଲ ପମ୍ପଗୁଡ଼ିକରେ ଅପମିଶ୍ରଣ କରୁଥିବା ବ୍ୟକ୍ତିବିଶେଷଙ୍କ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଲୋକେ ଦାବି କରିଥିଲେ। ପୋଲିସ ଲୋକଙ୍କ ଅଭିଯୋଗ ମୁତାବକ ପେଟ୍ରୋଲର ମାନ ଯାଞ୍ଚ କରିବା ନିମନ୍ତେ ଲାବୋରେଟୋରିକୁ ପଠାଇଛି। ଏଥିସହ ତେଲ ଟ୍ରାନ୍ସପୋର୍ଟ ସମୟରେ ଅପମଶ୍ରିତ ହୋଇଛି ନା ରିଟେଲରଙ୍କୁ ଦେବା ପୂର୍ବରୁ ଅପମିଶ୍ରିତ ହୋଇଛି ସେନେଇ ତଦନ୍ତ ଜାରି ରହିଥିବା ଭରତପୁର ଥାନା ପୋଲିସ ସୂଚନା ଦେଇଛି।