ପାଣି ଖସିଲା, ଦୁର୍ଦ୍ଦଶା ବଢ଼ିଲା

ଅନୁଗୋଳ, ୫ା୮ (ଅମିତ କୁମାର ସାମଲ): ଲଗାଣ ବର୍ଷା ଓ ବନ୍ୟା ଯୋଗୁ ଅନୁଗୋଳ ଜିଲାର ବିଭିନ୍ନ ବ୍ଲକରେ ସୃଷ୍ଟି ହୋଇଥିବା ଜଳାର୍ଣ୍ଣବ ସ୍ଥିତିରେ ଶୁକ୍ରବାର ସୁଧାର ଆସିଛି। ବିଶେଷକରି ମହାନଦୀରେ ବନ୍ୟା ଜଳ ହ୍ରାସ ପାଇଥିବାରୁ ବିପନ୍ନ ଲୋକଙ୍କ ଭୟ ଦୂର ହୋଇଛି। ମୁତୟନ କରାଯାଇଥିବା ଏନ୍‌ଡିଆର୍‌ଏଫ୍‌ ଓ ଓଡ୍ରାଫ ଟିମ୍‌କୁ ପ୍ରଶାସନ ପକ୍ଷରୁ ରିଲିଭ୍‌ କରିଦିଆଯାଇଛି। ବିଭିନ୍ନ ଅଞ୍ଚଳରୁ ବର୍ଷା ଓ ବନ୍ୟା ପାଣି ଖସିବା ପରେ ଅନେକ ସ୍ଥାନରେ ଘର, ରାସ୍ତା କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳୁଛି। ସହସ୍ରାଧିକ ହେକ୍ଟରରେ ଫସଲ ଉଜୁଡ଼ିଯାଇଛି। ପ୍ରଶାସନ ପକ୍ଷରୁ ସମସ୍ୟାରେ ସୁଧାର ଆଣିବାକୁ ଉଦ୍ୟମ କରାଯାଉଛି। ଆଠମଲ୍ଲିକ ଓ ଟିକରପଡ଼ାରୁ ଉଦ୍ଧାର କରି ଅଣାଯାଇଥିବା ଲୋକଙ୍କୁ ଅସ୍ଥାୟୀ ଶିବିରରେ ରଖାଯାଇ ଖାଦ୍ୟ ଓ ପାନୀୟ ଯୋଗାଇ ଦିଆଯାଉଛି। ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ସେଠାରେ ପାରାମେଡିକାଲ କର୍ମଚାରୀ ଓ ଡାକ୍ତରୀ ଟିମ୍‌କୁ ରଖାଯାଇଛି। ଜିଲାରେ କେତେ କ୍ଷୟକ୍ଷତି ହୋଇଛି ତାହାର ସମ୍ପୂର୍ଣ୍ଣ ଆକଳନ ଶେଷ ହୋଇପାରି ନାହିଁ। କିନ୍ତୁ ପ୍ରାଥମିକ ରିପୋର୍ଟ ସରକାରଙ୍କୁ ପ୍ରଦାନ କରାଯାଇଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ଅନୁଗୋଳ ଜିଲାରେ ଲଗାଣ ବର୍ଷା ଓ ବନ୍ୟା ଯୋଗୁ ୬୦୭ ଘର ପ୍ରଭାବିତ ହୋଇଛି। ସେଥିମଧ୍ୟରୁ ୫୮୩ଟି ଘର ଆଂଶିକ ଓ ୨୦ ଘର ଅଧିକ ପ୍ରଭାବିତ ହୋଇଛି। ୪ଟି ଘର ସମ୍ପୂର୍ଣ୍ଣ ମାଟିରେ ମିଶିଯାଇଥିବା ଅଦ୍ୟାବଧି ରିପୋର୍ଟ ପ୍ରଶାସନର ହସ୍ତଗତ ହୋଇଛି। ସେହିଭଳି ୧,୦୪୦ ହେକ୍ଟର ଚାଷ ଜମିରେ ପାଣି ପଶି ଫସଲ ନଷ୍ଟ ହୋଇଛି। ଅଦ୍ୟାବଧି ସମ୍ପୂର୍ଣ୍ଣ କ୍ଷୟକ୍ଷତି ରିପୋର୍ଟ ଆସି ନ ଥିବା ଜିଲା ବିପର୍ଯ୍ୟୟ ଓ ପ୍ରଶମନ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏଥିସହ କିଶୋରନଗର ଅଞ୍ଚଳରେ ପ୍ରାଣୀ ସମ୍ପଦ ପକ୍ଷରୁ ଜିଲା ପ୍ରଶାସନକୁ ଦିଆଯାଇଥିବା ରିପୋର୍ଟ ଅନୁଯାୟୀ ୫ଶହ କୁକୁଡ଼ା ବର୍ଷା ପାଣି ଯୋଗୁ ମରିଯାଇଛନ୍ତି। ଆଠମଲ୍ଲିକ ଓ କିଶୋରନଗର ବ୍ଲକରେ ବହୁ ସ୍ଥାନରେ ରାସ୍ତା କ୍ଷୟକ୍ଷତି ହୋଇଛି। ବଅଁରପାଳ ଓ ପାଲଲହଡ଼ାରେ ୯ଟି ରାସ୍ତା ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି। ମହାନଦୀ ପାଣିରେ ପ୍ରଭାବିତ ହୋଇଥିବା ଲୋକଙ୍କ ପାଇଁ ରନ୍ଧାଖାଦ୍ୟ ଓ ଶୁଖିଲା ଖାଦ୍ୟର ବ୍ୟବସ୍ଥା ପ୍ରଶାସନ ପକ୍ଷରୁ କରାଯାଇଛି। ଆଠମଲ୍ଲିକର କୁଦଗାଁ, ଅନୁଗୋଳର ଟିକରପଡ଼ା, ତାଳଚେର ଓ ପାଲଲହଡ଼ାରେ ଲୋକଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ପ୍ରଦାନ କରାଯାଇଛି। ପାଣି ଛାଡ଼ିଯାଇଥିବାରୁ ଅସ୍ଥାୟୀ ଶିବିରରେ ଥିବା ତାଳଚେର ଓ ପାଲଲହଡ଼ାର ଲୋକ ନିଜ ଘରକୁ ଫେରିଛନ୍ତି। କିନ୍ତୁ ଆଠମଲ୍ଲିକ କୁଦଗାଁର ୧୬୫ ଜଣ ଓ ଟିକରପଡ଼ାର ୨ଶହ ଲୋକଙ୍କୁ ଅସ୍ଥାୟୀ ଶିବିରରେ ରଖାଯାଇ ରନ୍ଧାଖାଦ୍ୟ ପ୍ରଦାନ କରାଯାଉଥିବା ଜିଲା ବିପର୍ଯ୍ୟୟ ଓ ପ୍ରଶମନ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ମହାନଦୀର ଜଳସ୍ତର କମିଥିବାବେଳେ ହୀରାକୁଦରୁ ନିଷ୍କାସନ ହେଉଥିବା ବନ୍ୟାଜଳ ଉପରେ ନଜର ରଖାଯାଇଛି। ତେବେ ଜିଲାରେ ବନ୍ୟା ପରିସ୍ଥିତି ନିୟନ୍ତ୍ରଣରେ ଥିବା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।