ବରଗଡ଼,୮।୬(ପ୍ରେମାନନ୍ଦ ଖମାରୀ): ତାତି ଥମିବାର ନାଁ ନେଉ ନାହିଁ। ଘରେ ହେଉ ଅବା ବାହାରେ ଯେଉଁଠି ରହିଲେ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ଏଭଳି ସ୍ଥଳେ ବରଗଡ଼ ସଦର ବ୍ଲକ ଦେଓଗାଁ ପଞ୍ଚାୟତ ଅନ୍ତର୍ଗତ ଗୋଇସର ଗ୍ରାମରେ ପାନୀୟଜଳ ସଂକଟ ଜୀବନକୁ ଆହୁରି ଦୁର୍ବିସହ କରି ପକାଉଛି। ପାନୀୟଜଳ ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏଭଳି ଅଭିଯୋଗ ନେଇ ସୋମବାର ଗ୍ରାମର ମହିଳାମାନେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟକୁ ପହଞ୍ଚିଥିଲେ। ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇ ଗ୍ରାମବାସୀଙ୍କୁ ପର୍ଯ୍ୟାପ୍ତ ପାନୀୟଜଳ ଯୋଗାଇ ଦେବା ପାଇଁ ସେମାନେ ଦାବି କରିଥିଲେ। ଏହା ସହିତ ଏହି ଦାବି ନେଇ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ସେମାନେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁ ସ୍ମାରକପତ୍ର ଗ୍ରହଣ କରିଥିଲେ।
ସୂଚନା ଅନୁଯାୟୀ, ଉକ୍ତ ଗ୍ରାମରେ ପାନୀୟଜଳ ପ୍ରକଳ୍ପ ରହିଛି। ପ୍ରକଳ୍ପର ଓଭରହେଡ୍ ଟ୍ୟାଙ୍କ(ପାଣିଟାଙ୍କି)ରୁ ଗ୍ରାମବାସୀଙ୍କୁ ପାଇପ୍ ଦ୍ୱାରା ପାନୀୟଜଳ ଯୋଗାଣ ବ୍ୟବସ୍ଥା ରହିଛି। ମାତ୍ର ଗତପ୍ରାୟ ୩ ବର୍ଷ ଏହି ପ୍ରକଳ୍ପ ଠିକ୍ ଭାବେ ଚାଲୁ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଓଭରହେଡ୍ ଟ୍ୟାଙ୍କରେ ପାନୀୟଜଳ ରହି ପାରୁ ନ ଥିବାବେଳେ ଦାୟିତ୍ୱରେ ରହିଥିବା କର୍ମଚାରୀ ମଧ୍ୟ ସେଥିରେ ପାଣି ଭରିବାରେ ଅବହେଳା କରୁଥିବା ଅଭିଯୋଗ ହୋଇଛି। ସେହିପରି କମ୍ ଅଶ୍ୱ କ୍ଷମତା ସମ୍ପନ୍ନ ମୋଟର ପମ୍ପ ଲାଗିଥିବା ଯୋଗୁ ଟାଙ୍କି ଉପରକୁ ପାଣି ଉଠାଇ ନ ପାରିବାରୁ ଏଭଳି ସମସ୍ୟା ଉପୁଜିଥିବା ଗ୍ରାମବାସୀ କହିଛନ୍ତି।
ଉକ୍ତ ଓଭରହେଡ୍ ଟ୍ୟାଙ୍କ ପାଇଁ ୫ ଅଶ୍ୱ କ୍ଷମତା(୫ଏଚପି) ସମ୍ପନ୍ନ ମୋଟରପମ୍ପର ଆବଶ୍ୟକତା ରହିଛି। ମାତ୍ର ୨ ଅଶ୍ୱ କ୍ଷମତା ସମ୍ପନ୍ନ ମୋଟରପମ୍ପକୁ କାମଚଳାଭାବେ ୍ଯଯବହାର କରାଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଫଳରେ ପାନୀୟଜଳ ପ୍ରକଳ୍ପ କିଛି କାମକୁ ଆସୁ ନାହିଁ। ଅନ୍ୟପଟେ ପାନୀୟଜଳ ପାଇଁ ସେମାନଙ୍କୁ ବହୁବିଧ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗ୍ରାମରେ ପାନୀୟଜଳ ପାଇଁ ଅନ୍ୟ କୌଣସି ବ୍ୟବସ୍ଥା ନଥିବା ଯୋଗୁ ସେମାନଙ୍କୁ ବହୁ ଦୂର ଦୂରାନ୍ତରକୁ ପାଣି ଆଣିବା ପାଇଁ ଯିବାକୁ ପଡ଼ୁଥିବା ମହିଳାମାନେ କହିଛନ୍ତି। ଏହି ସମସ୍ୟା ନେଇ ଗ୍ରାମବାସୀ ବାରମ୍ବାର ବିଭାଗୀୟ ଅଧିକାରୀ, କର୍ମଚାରୀଙ୍କ ଦୃଷ୍ଟି ଆକର୍ଷଣ କରି ସାରିଛନ୍ତି। ମାତ୍ର କିଛି ପଦକ୍ଷେପ ନିଆଯାଇ ନ ଥିବା ଯୋଗୁ ସେମାନେ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଧାରଣାରେ ବସିବାକୁ ବାଧ୍ୟ ହୋଇଥିବା ମହିଳାମାନେ କହିଛନ୍ତି। ଗ୍ରାମରେ ଦେଖାଯାଇଥିବା ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସେମାନେ ଦାବି କରିଛନ୍ତି। ଧାରଣାରେ ଗ୍ରାମର ଅନେକ ମହିଳା ସାମିଲ ଥିଲେ।