Categories: ଜାତୀୟ

ବେଙ୍ଗାଲୁରୁରେ ଉତ୍କଟ ଜଳସଙ୍କଟ: କାର ଧୋଇଲେ ୫ ହଜାର ଟଙ୍କା ଜରିମାନା

ବେଙ୍ଗାଲୁରୁ,୭।୩: ମାର୍ଚ୍ଚ ମାସ ଆରମ୍ଭରୁ କର୍ନାଟକର ରାଜଧାନୀ ବେଙ୍ଗାଲୁରୁରେ ଉତ୍କଟ ଜଳସଙ୍କଟ ଦେଖାଦେଇଛି। ଏହାର ସୁଯୋଗ ନେଇ ମାଫିଆମାନେ ପାଣି ଟ୍ୟାଙ୍କର ଦାମ୍‌ ମନଇଚ୍ଛା ବଢ଼ାଇ ଦେଇଛନ୍ତି। ୧,୦୦୦ ଟଙ୍କାରେ ପୂର୍ବରୁ ମିଳୁଥିବା ଗୋଟିଏ ଟାଙ୍କି ପାଣି ଦାମ୍‌ ହଠାତ୍‌ ବଢ଼ି ୧,୫୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଏବେ କେତେକ ଅଞ୍ଚଳରେ ତାହା ସର୍ବାଧିକ ୨,୦୦୦ ଟଙ୍କାରେ ପହଞ୍ଚିଛି। ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ବେଙ୍ଗାଲୁରୁର ଜଳ ଯୋଗାଣ ଏବଂ ଜଳ ନିଷ୍କାସନ ବୋର୍ଡ ପାନୀୟ ଜଳର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛି। ୱାଟର ବୋର୍ଡର ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, ବଗିଚା, କାର ଧୋଇବା ଏବଂ ନିର୍ମାଣ କାର୍ଯ୍ୟ ଏପରିକି ମନୋରଞ୍ଜନ ଉଦ୍ଦେଶ୍ୟରେ ଜଳ ଅପବ୍ୟବହାର କରାଯାଇପାରିବ ନାହିଁ ବୋଲି ଗାଇଡଲାଇନ୍‌ରେ ଉଲ୍ଲେଖ କରାଯାଇଛ। ଏପରିକି ନିୟମ ଉଲ୍ଲଂଘନକାରୀଙ୍କୁ ୫୦୦୦ ଟଙ୍କା ଜରିମାନା ଦେବାକୁ ପଡିବ ବୋଲି ୱାଟର ବୋର୍ଡ ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଇଛି।

ସୂଚନା ଯୋଗ୍ୟ, ବେଙ୍ଗାଲୁରୁରେ ଦୈନିକ ଜଳ ଆବଶ୍ୟକତା ୨,୬୦୦ରୁ ୨,୮୦୦ ଏମ୍‌ଏଲ୍‌ଡି (ଦିନକୁ ନିୟୁତ ଲିଟର) ହୋଇଥିବା ବେଳେ ଏବେ ୧,୫୦୦ ଏମ୍‌ଏଲ୍‌ଡି କମ୍‌ ମିଳୁଛି। ସେପଟେ ଜଳାଭାବ ଦୂର କରିବା ପାଇଁ ସରକାର ବିକଳ୍ପ ସନ୍ଧାନରେ ରହିଛନ୍ତି।

ଜଳ ପୁନଃଚକ୍ରଣ ଓ ଟ୍ରିଟ୍‌ମେଣ୍ଟ ପାଇଁ ଯୋଜନା ହେଉଛି। ଏପରିକି ଜଳସଙ୍କଟକୁ ନେଇ ରାଜନୈତିକ କାଦୁଅଫିଙ୍ଗା ଆରମ୍ଭ ହୋଇଯାଇଛି। ସରକାର ସପ୍ତାହେ ମଧ୍ୟରେ ଆବଶ୍ୟକ ପଦକ୍ଷେପ ନ ନେଲେ ଆନ୍ଦୋଳନ କରିବ ବୋଲି ଭାଜପା ଚେତାବନୀ ଦେଇଛି। ଅନ୍ୟପକ୍ଷେ ପାଣି ସମସ୍ୟା ନେଇ ଏକ କଣ୍ଟ୍ରୋଲ ରୁମ୍‌ ଖୋଲାଯିବା ସହ ଏକ ହେଲ୍ପଲାଇନ୍‌ ନମ୍ବର ଜାରି କରାଯାଇଛି।

Share