କେନାଲରେ ଆସିଲା ପାଣି: ଉପକୃତ ହେବେ ଚାଷୀ

ଡେଲାଙ୍ଗ,୩।୫(ରଶ୍ମିରଞ୍ଜନ ପ୍ରଧାନ): କେନାଲ ପାଣି ପାଇଁ ବହୁ ପ୍ରତୀକ୍ଷା ପରେ ଏବେ ତା’ର ଅନ୍ତ ଘଟିଛି। ମାଛପଡ଼ା ମାଇନରରେ କେନାଲ ପାଣି ଛଡ଼ାଯିବାରୁ ତାହା ଶେଷମୁଣ୍ଡରେ ପହଞ୍ଚତ୍ବା ପରେ ସ୍ଥାନୀୟ ବାସିନ୍ଦା ଖୁସିବ୍ୟକ୍ତ କରିଛନ୍ତି। ତେବେ ଏହି କେନାଲ ପାଣି ଦ୍ୱାରା ସ୍ଥାନୀୟ ଅଞ୍ଚଳର ହଜାର ହଜାର ଚାଷୀ ଉପକୃତ ହେବେ। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଓ ପ୍ରଚଣ୍ଡ ରୌଦ୍ରତାପ ଜାରି ରହିବା ଫଳରେ ଗଡ଼ିଆ ପୋଖରୀ ସବୁ ଶୁଖିଲା ପଡ଼ି ରହିଛି। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଗାଈ, ଛେଳି, ମେଣ୍ଢା ପର୍ଯ୍ୟନ୍ତ ପିଇବା ପାଣି ପାଇଁ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳୁଛି। ସେହିପରି ଏହି କେନାଲ ପାଣି ନ ଆସିବାରୁ ଅନେକ ଦିନ ହେଲା ଚାଷୀ ଧାନ ଫସଲ କରିବାରେ ବହୁତ ହଇରାଣ ହରକତ ହେଉଥିଲେ। ସୂଚନା ଥାଉକି, ଅରିସଲ ମୁଖ୍ୟ କେନାଲକୁ ସଂଯୋଗ କରୁଥିବା ମାଛପଡ଼ା ମାଇନରରେ ଅନାମନା ଘାସ, ଗଛ ଲତାରେ ପରିପୂର୍ଣ୍ଣ ହେବା ସହିତ ପୋତି ହୋଇ ରହିଥିଲା। ସ୍ଥାନୀୟ ବାସିନ୍ଦା ବିଭାଗୀୟ ଯନ୍ତ୍ରୀଙ୍କ ସହିତ ସ୍ଥାନୀୟ ବିଧାୟକଙ୍କ ଏନେଇ ଦୃଷ୍ଟି ଆକର୍ଷଣ କରିଥିଲେ। ଜଳ ସେଚନ ବିଭାଗ ପକ୍ଷରୁ କେନାଲର ସଫେଇ ଓ ପୁନରୁଦ୍ଧାର ନିମନ୍ତେ ଟେଣ୍ଡର ପ୍ରକ୍ରିୟା କରାଯାଇ ଠିକାଦାର ଚୟନ କରାଯାଇଥିଲା। ଏପ୍ରିଲ ୧ରୁ ଯୁଦ୍ଧକାଳୀନ ଭିତ୍ତିରେ କାମ ଆରମ୍ଭ କରାଯାଇ ବନ୍ଧର ସଫେଇ ସହିତ କେନାଲବନ୍ଧର ଦୁର୍ବଳ ସ୍ଥାନଗୁଡିକରେ ମାଟି ପକାଇବା, ଘଳିଆଗୁଡ଼ିକ ବନ୍ଦ କରିବା, ଜଳ ଶ୍ରୋତପଥକୁ ଲେବୁଲ କରିବା ଆଦି କାମ ହେଇଥିଲା। ପରେ ୨୮ ତାରିଖରେ କେନାଲରେ ପାଣି ଛଡ଼ା ଯାଇଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହି କେନାଲ ଉପରେ ଖେଲାଉର, ବ୍ରାହ୍ମଣତରବୋଇ, ଓଡତରବୋଇ, ରେଞ୍ଚ, ହୁମର, ପଞ୍ଚୁପଲ୍ଲା, ଗୁଆଳିପଡ଼ା, ମାଛପଡ଼ା ପ୍ରମୁଖ ଗ୍ରାମଗୁଡ଼ିକର ଅନେକ ଚାଷୀ ନିର୍ଭର କରିଥାନ୍ତି। ଅନ୍ୟପଟେ କେନାଲ ପାଣି ଶେଷମୁଣ୍ଡରେ ପହଞ୍ଚତ୍ବା ପରେ ଏବେ ଖରାରେ ଶୁଖିଲା ପଡ଼ିଥିବା ଗଡିଆ ପୋଖରୀରେ ପାଣି ପରିପୂର୍ଣ୍ଣ ହୋଇଛି। ଏନେଇ ଅଞ୍ଚଳବାସୀ ସ୍ଥାନୀୟ ବିଧାୟକଙ୍କ ସମେତ ଜଳ ସେଚନ ବିଭାଗକୁ କୃତଜ୍ଞତା ଜ୍ଞାପନ କରିଛନ୍ତି।