Categories: ଜାତୀୟ

ବୈଠକରେ ପନିରସେଲଭାମ୍‌ଙ୍କୁ ବୋତଲମାଡ଼

ଚେନ୍ନାଇ,୨୩।୬: ଚେନ୍ନାଇ ଉପକଣ୍ଠ ବନଗରାମଠାରେ ଗୁରୁବାର ଏଆଇଏଡିଏମ୍‌କେ ସାଧାରଣ ପରିଷଦ ବୈଠକରେ ଉତ୍ତେଜନା ଦେଖାଦେଇଛି। ଦଳର କୋର୍ଡିନେଟର ଓ. ପନିରସେଲଭାମ୍‌(ଓପିଏସ୍‌) ଏବଂ ତାଙ୍କର କେତେଜଣ ସମର୍ଥକ ବୈଠକ ଅଧାରୁ ପଳାଇଯାଇଛନ୍ତି। କକ୍ଷତ୍ୟାଗ ବେଳେ ସେମାନଙ୍କ ଉପରକୁ ପାଣି ବୋତଲ ଫିଙ୍ଗାଯିବା ସହ ସେମାନଙ୍କ ବିରୋଧରେ ସ୍ଲୋଗାନ ଦିଆଯାଇଥିବା ଦେଖିବାକୁ ମିଳିଛି। ସୂଚନା ମୁତାବକ, ବୈଠକ ଆରମ୍ଭ ହେବାର ୪୦ମିନିଟ ମଧ୍ୟରେ ପ୍ରବଳ ଉତ୍ତେଜନା ଦେଖାଯାଇଥିଲା। ସମର୍ଥକମାନେ ପାଲାନିସ୍ବାମୀଙ୍କୁ ଏକ ମୁକୁଟ ଓ ଖଣ୍ଡା ଦ୍ୱାରା ସମ୍ମାନିତ କରିବା ସହ ତାଙ୍କ ସପକ୍ଷରେ ସ୍ଲୋଗାନ ଦେଇଥିଲେ। ଏଥିରେ ଅପମାନିତ ଅନୁଭବ କରି ଓପିଏସ୍‌, ଉପସମ୍ପାଦକ ଆର୍‌. ବୈଥିଲିଙ୍ଗମ୍‌ଙ୍କ ସମେତ ସେମାନଙ୍କ ସମର୍ଥକମାନେ ବୈଠକ ଅଧାରୁ ଚାଲିଯାଇଥିଲେ। ଦଳରେ ପନିରସେଲଭାମ୍‌ ଏବଂ ଯୁଗ୍ମ କୋର୍ଡିନେଟର ଇ.କେ. ପାଲାନିସ୍ବାମୀଙ୍କ ମଧ୍ୟରେ କ୍ଷମତା କନ୍ଦଳ ଲାଗିରହିଥିବା ବେଳେ ସାଧାରଣ ପରିଷଦ ବୈଠକରେ ଏକକ ନେତୃତ୍ୱ ଉପରେ ସଦସ୍ୟମାନେ ଦାବି ଉଠାଇବାରୁ ୨୩ଟି ପ୍ରସ୍ତାବ ଉପରେ ଆଲୋଚନା ହୋଇପାରି ନ ଥିଲା। ଦଳର ପ୍ରେସିଡିୟମ ଅଧ୍ୟକ୍ଷ ତାମିଲମଗାନ ହୁସେନ୍‌ ପରବର୍ତ୍ତୀ ସାଧାରଣ ପରିଷଦ ବୈଠକ ଜୁଲାଇ ୧୧ରେ ହେବ ବୋଲି ଘୋଷଣା କରିଛନ୍ତି।

Share