ମାଣ୍ଡୁବାଡ଼ିରେ ପାଣି ପାଇଁ ଉତ୍ତେଜନା: କୂଅରେ କୁକୁର ମୃତଦେହ ଫିଙ୍ଗିଦେଲେ ଦୁର୍ବୃତ୍ତ

ଦାରିଙ୍ଗବାଡ଼ି,୨୦।୧୧(ଅରୁଣ ସାହୁ): ଗୋଟିଏ ପଟେ ବାତ୍ୟା ‘ଅକ୍ୱାନ’କୁ ନେଇ ଅଞ୍ଚଳବାସୀଙ୍କ ଚିନ୍ତା ବଢ଼ିଥିବା ବେଳେ ଅନ୍ୟପଟେ ପିଇବା ପାଣି କୂଅରେ କୁକୁରର ମୃତଦେହ ଫିଙ୍ଗିଦେବା ଘଟଣାକୁ ନେଇ ଦେଖାଦେଇଛି ତୀବ୍ର ଉତ୍ତେଜନା। ଏଭଳି ଅଭାବନୀୟ ଘଟଣା କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଦନେକବାଡ଼ି ପଞ୍ଚାୟତ ଅନ୍ତର୍ଗତ ମାଣ୍ଡୁବାଡ଼ି ଗ୍ରାମରେ ଘଟିଛି।

ସୂଚନା ଅନୁଯାୟୀ, ଗ୍ରାମରେ ଗୋଟିଏ ମାତ୍ର କୂଅ ରହିଛି। ଏହି କୂଅ ଉପରେ ପ୍ରାୟ ୫୦ଟି ପରିବାରର ୧୫୦ ଜଣ ଲୋକ ନିର୍ଭର କରନ୍ତି। ପିଇବା ପାଣିଠାରୁ ଆରମ୍ଭ କରି ରୋଷେଇ, ଘରୋଇ କାର୍ଯ୍ୟ ଏବଂ ଚାଷ ପାଇଁ ମଧ୍ୟ ଏହି କୂଅର ପାଣି ବ୍ୟବହାର କରାଯାଏ। ତେବେ କେହି ଦୁର୍ବୃତ୍ତ କୂଅରେ ଏକ କୁକୁରକୁ ମାରି ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି।

ଶୁକ୍ରବାର ସକାଳେ ଗ୍ରାମର କିଛି ମହିଳା ଘର ପାଇଁ ପାଣି ଆଣିବାକୁ କୂଅ ନିକଟକୁ ଯାଇଥିବା ବେଳେ ପାଣିରେ କୁକୁରର ମୃତଦେହ ଭାସୁଥିବା ଦେଖିଥିଲେ। ଏହି ଖବର ଗ୍ରାମରେ ପ୍ରଚାର ହେବା ପରେ ଗ୍ରାମବାସୀ ଏକାଠି ହୋଇଥିଲେ। କିଏ ଏଭଳି କାଣ୍ଡ ଘଟାଇଛି ଏବଂ ଜାଣିଶୁଣି ଏଭଳି କରାଯାଇଛି କି ନାହିଁ, ତାହାକୁ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା। କୂଅର ପାଣି ଦୂଷିତ ହୋଇଯାଇଥିବାରୁ ଏବେ ପିଇବା ପାଣି ଓ ରୋଷେଇ ପାଇଁ ଜଳ ଯୋଗାଡ଼ କରିବା ଚିନ୍ତାରେ ପଡ଼ିଛନ୍ତି ଗ୍ରାମବାସୀ। ଏନେଇ ଗ୍ରାମର ପ୍ରଦୀପ ବଳିୟାର ସିଂ ଓ ବାସୁ ବଳିୟାର ସିଂ ପ୍ରମୁଖ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଘଟଣା ସମ୍ପର୍କରେ ଜଣାଇବା ପାଇଁ ଗ୍ରାମର ଏକ ପ୍ରତିନିଧି ମଣ୍ଡଳୀ ବିଡିଓ ପ୍ରୀତିରଞ୍ଜନ ରଥଙ୍କୁ ଭେଟିବା ପାଇଁ ଦାରିଙ୍ଗବାଡ଼ି ଅଭିମୁଖେ ବାହାରିଥିବା ଗ୍ରାମବାସୀ କହିଛନ୍ତି।

ଗ୍ରାମବାସୀଙ୍କ ମୁଖ୍ୟ ଦାବି ହେଉଛି, ତୁରନ୍ତ ଟ୍ୟାଙ୍କର ଯୋଗେ ଗ୍ରାମକୁ ପିଇବା ପାଣି ଯୋଗାଇ ଦିଆଯାଉ ଏବଂ କୂଅକୁ ସଫା କରି ବିଶୋଧନ କରାଯାଉ। ଏଥିସହ ଏଭଳି ଅମାନବୀୟ କାର୍ଯ୍ୟ କରିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ଗ୍ରାମବାସୀ ଦାବି କରିବେ ବୋଲି କହିଛନ୍ତି।

 

Dharitri – Odisha’s No.1 Odia Daily

 

Share