Categories: ଜାତୀୟ

ବିବାହ ଭୋଜିରେ ସାମିଲ ହୋଇଥିଲେ ୩୦୦ ଅତିଥି, ବେଙ୍ଗଡିଆଁ ମାରି ଫେରିଲେ

ଭିଣ୍ଡ, ୨୦।୫ : କୋଭିଡ୍‌ କଟକଣା ଖାତିର ନ କରି ବିବାହ ଭୋଜିରେ ଯୋଗଦେଇଥିଲେ ଧାର୍ଯ୍ୟ ସଂଖ୍ୟାଠାରୁ ଅଧିକ ଅତିଥିମାନେ। ଖବର ପାଇ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଲକ୍‌ଡାଉନ ଗାଇଡ୍‌ଲାଇନ ପାଳନ କରୁ ନ ଥିବାରୁ ଦଣ୍ଡ ସ୍ବରୂପ ଅତିଥିଙ୍କୁ ବେଙ୍ଗ ଡିଆଁ ମାରିବାକୁ ନିର୍ଦ୍ଦେଶ ଦେଇଥିଲେ ପୋଲିସ ଅଧିକାରୀ। ଘଟଣା ଭିଡିଓର ସୋସିଆଲ ମିଡିଆରେ ଘୁରି ବୁଲୁଛି।

ମଧ୍ୟପ୍ରଦେଶର ଭିଣ୍ଡ ଜିଲାର ଉମରି ଗାଁରେ ଆୟାଜିତ ବିବାହ ଭୋଜିରେ ସାମିଲ ହୋଇଥିଲେ ପାଖାପାଖି ୩୦୦ ଅତିଥି। ପୋଲିସ ଚଢ଼ାଉବେଳେ ବହୁ ଅତିଥି ଖସି ପଳାଇଥିଲେ। କିନ୍ତୁ ପୋଲିସ ହାତରେ ଧରା ପଡ଼ି ଯାଇଥିଲେ କିଛି ଲୋକ। ଧରାପଡ଼ିଥିବା ଲୋକଙ୍କୁ ଦଣ୍ଡ ସ୍ବରୂପ ରାସ୍ତାରେ ବେଙ୍ଗ ଭଳି ଡେଇଁବାକୁ ଦିଆଯାଇଥିଲା ନିର୍ଦ୍ଦେଶ।

ଭିଡିଓରେ ୧୭ ଜଣ ଲୋକ ବେଙ୍ଗ ଭଳି ଡେଇଁ ଡେଇଁ ରାସ୍ତାରେ ଯାଉଥିବା ଦେଖିବାକୁ ମିଳିଛି। ସେମାନଙ୍କ ମଧ୍ୟରୁ ଜଣେ ଡେଉଁ ନ ଥିବାରୁ ଜଣେ ପୋଲିସ କର୍ମୀ ତାଙ୍କୁ ବାଡ଼ାଉଛନ୍ତି। ଏଭଳି ଦଣ୍ଡିତ ହେବା ପରେ ସେମାନଙ୍କୁ ଲକ୍‌ଡାଉନ ଶେଷ ନ ହେବା ପର୍ଯ୍ୟନ୍ତ ବିବାହ ଭଳି କୌଣସି କାର୍ଯ୍ୟକ୍ରମରେ ଏକତ୍ରିତ ନ ହେବାକୁ ଚେତାବନୀ ଦିଆଯାଇଛି।

Share