ବ୍ୟାଙ୍କିଙ୍ଗ୍‌ ସଙ୍କଟ ପ୍ରଶ୍ନ ଶୁଣି ଖବରଦାତା ସମ୍ମିଳନୀ ଅଧାରୁ ପଳାଇଗଲେ ଆମେରିକା ରାଷ୍ଟ୍ରପତି

ଓ୍ବାଶିଂଟନ,୧୪।୩: ବ୍ୟାଙ୍କ୍‌ ବୁଡିଯିବା ପ୍ରଶ୍ନ ଶୁଣି ଖବରଦାତା ସମ୍ମିଳନୀ ଅଧାରୁ ପଳାଇଗଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌। ଏହାର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଛି। ସିଲିକନ ଭ୍ୟାଲି ବ୍ୟାଙ୍କ ବୁଡ଼ିଯିବା ପରେ ବ୍ୟାଙ୍କିଙ୍ଗ ସଙ୍କଟ ସହ ଜଡିତ କିଛି ପ୍ରଶ୍ନର ଉତ୍ତର ଦେବାକୁ ରାଷ୍ଟ୍ରପତିଙ୍କୁ କୁହାଯାଇଥିଲା। କିନ୍ତୁ ବାଇଡେନ୍‌ ସେମାନଙ୍କୁ ଅଣଦେଖା କରି ମଧ୍ୟଭାଗରେ ଖବରଦାତା ସମ୍ମିଳନୀ ଛାଡିଥିଲେ। ହ୍ବାଇଟହାଉସର ୟୁଟ୍ୟୁବ ଚ୍ୟାନେଲରେ ବାଇଡେନଙ୍କ ୱାକଆଉଟର ଭିଡିଓ ଅପଲୋଡ କରାଯାଇଥିଲା, ଯାହାକୁ ୪ ମିଲିୟନରୁ ଅଧିକ ଥର ଦେଖାଯାଇଛି।
ଯେତେବେଳେ ବାଇଡେନ ଏକ ସ୍ଥିର ବ୍ୟାଙ୍କିଙ୍ଗ ବ୍ୟବସ୍ଥା ବଜାୟ ରଖିବା ଏବଂ ଐତିହାସିକ ଅର୍ଥନୈତିକ ସଂସ୍କାର ପାଇଁ ପଦକ୍ଷେପ ନେବା ଆବଶ୍ୟକ ବୋଲି କହିଥିଲେ, ଯେତେବେଳେ ଜଣେ ଖବରଦାତା ପଚାରିଥିଲେ,ଆପଣ ଆଶା କରୁଛନ୍ତି କି ଅନ୍ୟ ବ୍ୟାଙ୍କଗୁଡିକ ସିଲିକନ ଭ୍ୟାଲି ବ୍ୟାଙ୍କ ଭଳି ବିଫଳ ହେବେ? ଆପଣ ଆମେରିକୀୟମାନଙ୍କୁ ନିଶ୍ଚିତ କରିପାରିବେ କି ଆଗକୁ ଏହା ଘଟିବ ନାହିଁ? ଏହି ପ୍ରଶ୍ନର ଉତ୍ତର ନ ଦେଇ ବାଇଡେନ ସେଠାରୁ ପଳାଇ ଯାଇଥିଲେ।
ଆମେରିକାର ରାଷ୍ଟ୍ରପତି ଖବରଦାତାଙ୍କ ଉତ୍ତର ନ ଦେଇ ଚାଲିଯିବା ଏହା ନୂଆ ଘଟଣା ନୁହେଁ। ଚାଇନା ଗୁପ୍ତଚର ବେଲୁନ ଘଟଣା ସମ୍ପର୍କରେ ମନ୍ତବ୍ୟ ଦେବାକୁ ବାଇଡେନ ମନା କରିଦେଇଥିଲେ।

Share