ବରଗଡ଼,୧୧।୬(ପ୍ରେମାନନ୍ଦ ଖମାରୀ):ସଫେଇ ଗାଡ଼ି ଅଛି, ସଫେଇ କର୍ମଚାରୀ ମଧ୍ୟ ଅଛନ୍ତି। କିନ୍ତୁ ସହରରୁ ନିଷ୍କାସିତ ମଇଲା, ଆବର୍ଜନା ପକାଇବା ପାଇଁ ସ୍ଥାୟୀ ଡମ୍ପିଂୟାର୍ଡ଼ କିମ୍ବା ଜାଗା ନାହିଁ। ବରଗଡ଼ ପୌର ପରିଷଦରେ ଏହା ବର୍ତ୍ତମାନ ଏକ ବଡ଼ ସମସ୍ୟା ପାଲଟିଛି। ଏଭଳି ସମସ୍ୟା ଯୋଗୁ ବିଭିନ୍ନ ସମୟରେ ସହରରୁ ମଇଲା, ଆବର୍ଜନା ଉଠାଯାଉ ନାହିଁ। ଫଳରେ ତାହା ସହରର ବିଭିନ୍ନ ସ୍ଥାନରେ ସ୍ତୁପ ଭଳି ଗଦା ହେଉଛି। ସେହିପରି ସହରରୁ ଆବର୍ଜନା ଉଠାଇଲେ ମଧ୍ୟ ତାହା କୌଣସି ସ୍ଥାନରେ ପକାଇଲେ ପ୍ରତିବାଦର ସ୍ବର ମଧ୍ୟ ଉଠୁଛି। ଏଭଳି ସ୍ଥିତିରେ ସହରରୁ ଉଠାଯାଇଥିବା ମଇଲା ଆବର୍ଜନା ବୋଝେଇ ଗାଡ଼ି କିଛିଦିନ ହେଲା, ବରଗଡ଼ ପୌର ପରିଷଦ କାର୍ଯ୍ୟାଳୟରେ ଅଟକି ରହିଛି। ସେହିପରି ସହରର ବିଭିନ୍ନ ୱାର୍ଡରେ ସଫେଇ କାର୍ଯ୍ୟ ମଧ୍ୟ ଠପ୍ ହୋଇଯାଇଛି। ଏହି ସମସ୍ୟାର ସମାଧାନ ଦିଗରେ ବିହିତ ପଦକ୍ଷେପ ନେବା ପାଇଁ ପୌରାଧ୍ୟକ୍ଷା କଳ୍ପନା ମାଝୀଙ୍କ ନେତୃତ୍ୱରେ କାଉନସିଲରବୃନ୍ଦ ମଙ୍ଗଳବାର ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ଲେଖି ଜଣାଇଛନ୍ତି।
ସେହିପରି ବୁଧବାର ପୌର ପରିଷଦ କାର୍ଯ୍ୟାଳୟ ସଭାକକ୍ଷରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏହି ସମସ୍ୟାର କାରଣ ନେଇ ପୌରାଧ୍ୟକ୍ଷା ମାଝୀ ସୂଚନା ଦେଇଛନ୍ତି। ସହରରୁ ସଂଗୃହୀତ ମଇଲା, ଆବର୍ଜନା ପକାଇବା ପଇଁ ଜାଗା ଦରକାର। ମାତ୍ର ଏ ନେଇ ଜିଲା ପ୍ରଶାସନ ଏବଂ ସ୍ଥାନୀୟ ବିଧାୟକଙ୍କୁ ଜଣାଇବା ସତ୍ତ୍ୱେ କିଛି ସୁଫଳ ମିଳି ନଥିବା ପୌରାଧ୍ୟକ୍ଷା କହିବା ସହିତ ସବୁଜ, ସୁନ୍ଦର ବରଗଡ଼ ସହର ଗଢ଼ି ତୋଳିବା ପାଇଁ ସମସ୍ତଙ୍କ ସହଯୋଗର ଆବଶ୍ୟକତା ରହିଛି ବୋଲି କହିଛନ୍ତି। ଅନ୍ୟପଟେ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଦେବନନ୍ଦ ସାହୁ କହିଛନ୍ତି, ତେନ୍ତେଲା, ନଦୀପଡ଼ା ବାଲିଟିକ୍ରା ଏବଂ ନାଗେନପାଲିରେ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଜାଗା ରହିଛି। ତେବେ ମୁଖ୍ୟତଃ ଓଦା ଆବର୍ଜନା, ଶୁଖିଲା ଆଦି ୪ପ୍ରକାର ବର୍ଜ୍ୟବସ୍ତୁ ରହିଥିବାବେଳେ ସଫେଇ ଗାଡ଼ିକୁ ତାହା ଦେବାବେଳେ ପୃଥକ୍ଭାବେ ଦିଆଯାଉ ନାହିଁ। ସେଥିପାଇଁ ମଧ୍ୟ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣରେ ମଧ୍ୟ ସମସ୍ୟା ରହୁଛି ଏବଂ ଆଗାମୀ ଅଳ୍ପଦିନ ମଧ୍ୟରେ ଏହାର ସମାଧାନ ହୋଇଯିବ ବୋଲି ସାହୁ କହିଛନ୍ତି।
ତେବେ ବରଗଡ଼ ସହରରେ ଏହି ସମସ୍ୟା ନୂଆଁ ନୁହେଁ। ଦୀର୍ଘଦିନରୁ ଏହି ସମସ୍ୟା ଲାଗି ରହିଛି। ସହର ଉପକଣ୍ଠ ମୁଣ୍ଡାପଡ଼ାରେ ରହିଥିବା ଡମ୍ପିଂୟାର୍ଡରେ ପ୍ରଥମେ ଦୀର୍ଘବର୍ଷ ଧରି ସହରରୁ ନିଷ୍କାସିତ ମଇଲା, ଆବର୍ଜନା ପକାଯାଉଥିଲା। ମାତ୍ର ତାହା ଜନବସତି ଅଞ୍ଚଳରେ ରହିଥିବାରୁ ଦୃଢ଼ ବିରୋଧ କରାଯାଇଥିଲା ଏବଂ ଘଟଣାଟି ନ୍ୟାୟାଳୟ ପର୍ଯ୍ୟନ୍ତ ଯାଇଥିଲା। ଶେଷରେ ନ୍ୟାୟାଳୟର ନିର୍ଦ୍ଦେଶକ୍ରମେ ସେହି ଡମ୍ପିଂୟାର୍ଡ଼ରେ ମଇଲା, ଆବର୍ଜନା ପକାଇବା ବନ୍ଦ କରି ଦିଆଗଲା। ଏହା ପରଠାରୁ ମଇଲା, ଆବର୍ଜନା ପକାଇବା ନେଇ ପୌର ପରିଷଦକୁ ବାର ଶୁଣ୍ଡିପିଣ୍ଡା ହେବାକୁ ପଡୁଛି। କେତେବେଳେ ସହର ଉପକଣ୍ଠ ପାଣିଛତର ନିକଟ ରେଲୱେ ଓଭରବ୍ରିଜ ତ ଆଉକେବେ କଟାପାଲି ଆଦି ଅଞ୍ଚଳକୁ ମଇଲା, ଆବର୍ଜନା ବୋଝେଇ ଗାଡ଼ି ଯାଉଥିଲା ଏବଂ ସେଠାରେ ତାକୁ ପକାଇ ଦିଆଯାଉଥିଲା। ତେବେ ତାକୁ ନେଇ ମଧ୍ୟ ବିରୋଧ ଉଠିଥିଲା। ଏପରିକି କଟାପାଲି ଗ୍ରାମବାସୀ ଡି.ଜେ ବଜାଇ ସଫେଇ ଗାଡ଼ିକୁ ସ୍ବାଗତ ସହିତ ଗ୍ରାମ ପରିକ୍ରମା ଭଳି ଅଭିନବ ପ୍ରତିବାଦ କରିଥିଲେ ଏବଂ ଏହାପରେ ସେଠାରୁ ସଫେଇ ଗାଡ଼ି ଫେରି ଆସିଥିଲା। ତେବେ ବିକଶୀତ ତଥା ସବୁଜ ସୁନ୍ଦର ବରଗଡ଼ର ପରିକଳ୍ପନା କରାଯାଉଛି ବୋଲି ସଭା, ସମିତିରେ ସ୍ଥାନୀୟ ଜନ ପ୍ରତିନିଧିମାନେ କହୁଥିବାବେଳେ ଏପର୍ଯ୍ୟନ୍ତ ସହରରୁ ନିଷ୍କାସିତ ବର୍ଜ୍ୟବସ୍ତୁର ସଠିକ୍ ପରିଚାଳନା କରାଯାଇ ନ ପାରିବା ଏବଂ ତାହା ସହର ମଧ୍ୟରେ ପଡ଼ି ରହି ପୂତିଗନ୍ଧମୟ ପରିବେଶ ସୃଷ୍ଟି ହେବାରୁ ବରଗଡ଼ର ବିକାଶ କେଉଁ ଆଡ଼କୁ ମୁହାଁଉଛି, ତାହା ସହଜରେ ଅନୁମେୟ ବୋଲି ଚର୍ଚ୍ଚା ଚାଲିଛି। କେବଳ ସେତିକି ନୁହେଁ, ସଫେଇ କାର୍ଯ୍ୟ ପାଇଁ ପୌର ପରିଷଦକୁ ଆବଶ୍ୟକ ପାଣ୍ଠି ଠିକ୍ଭାବେ ମିଳୁ ନଥିବା, ସଫେଇ କର୍ମଚାରୀମାନଙ୍କୁ ନିୟମିତ ସେମାନଙ୍କ ପ୍ରାପ୍ୟରାଶି ପ୍ରଦାନ କରା ନଯିବା, ସଫେଇ ପାଇଁ ଉଦ୍ଦିଷ୍ଟ ସାମଗ୍ରୀ କ୍ରୟ ବାବଦକୁ ଅର୍ଥ ବକେୟା ରହିବା ଭଳି ସମସ୍ୟା ଉକ୍ତ ପୌର ପରିଷଦରେ ରହିଛି ବୋଲି ଖୋଦ୍ ପୌରାଧ୍ୟକ୍ଷା ମାଝୀ ଜିଲାପାଳଙ୍କୁ ଲେଖିଥିବା ପତ୍ରରେ ଉଲ୍ଲେଖ କରିଛନ୍ତି। ତେବେ ଏହାର ତ୍ୱରିତ୍ ସମାଧାନ କରା ନଗଲେ ଆଗକୁ ବରଗଡ଼ ସହର ହିଁ ଡମ୍ପିଂୟାର୍ଡ଼ରେ ପରିଣତ ହୋଇଯିବ ବୋଲି ସାଧାରଣରେ ଆଲୋଚନା ହେଉଛି।