ମୋହନା,୪।୫(ମନ୍ମଥ ମିଶ୍ର): ଗଜପତି ଜିଲା ଆର.ଉଦୟଗିରି ବ୍ଲକ ରାମଗିରିସ୍ଥିତ କୃଷି ଉଦ୍ୟାନ କାର୍ଯ୍ୟାଳୟ ସମ୍ମୁଖରେ ଦୁଇ ବାଇକ ମୁହାମୁହିଁ ଧକ୍କାହୋଇ ଘଟଣାସ୍ଥଳରେ ଜଣେ ମୃତ, ଛଅ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କ ମଧ୍ୟରେ ଜଣେ ୫ ବର୍ଷର ଶିଶୁ କନ୍ୟା ଥିବା ଜଣାପଡିଛି । ଘଟଣାସ୍ଥଳରେ ରାମଗିରି ପୋଲିସ ପହଞ୍ଚି ଆହତଙ୍କୁ ମେଡ଼ିକାଲରେ ପହଞ୍ଚାଇବା ସହ ଦୁଇଟି ବାଇକ ଜବତ କରି ଏଏସଆଇ ସନ୍ତୋଷ କୁମାର ବେହେରା ତଦନ୍ତ ଭାର ନେଇ ତଦନ୍ତ ଜାରି ରଖିଛନ୍ତି । ମିଳିଥିବା ସୂଚନା ପ୍ରକାରେ ପାତ୍ରବସା ଗ୍ରାମର ଗୋଟିଏ ପରିବାରର ଶିଶୁ କନ୍ୟା ସହିତ ୩ ଜଣ ଏଚ ଏଫ ଡିଲେକ୍ସ (ଓ ଡି ୨୦ ବି ୫୩୩୩ ) ମୋଟର ସାଇକେଲ ଯୋଗେ ରାମଗିରି ନିକଟ ଦଶିରାମପୁର ଗ୍ରାମରେ ଏକ ବାହାଘର ଭୋଜି ଖାଇବାକୁ ଯାଇ ଫେରୁଥିବା ସମୟରେ ବିପରୀତ ଦିଗରୁ ଖାରିପଦା ଗ୍ରାମର ୩ ଜଣ ଯୁବକ ଏଚଏଫଡିଲେକ୍ସ (ଓଡି୦୭ଏଚ୦୫୯୫ ) ମୋଟର ସାଇକେଲ ଯୋଗେ ସେହି ଦାଶିରାମପୁର ଗ୍ରାମକୁ ଭୋଜି ଖାଇବାକୁ ଯାଉଥିବା ବେଳେ ରାମଗିରି ସ୍ଥିତ କୃଷି ଉଦ୍ୟାନ ନିକଟରେ ଦୁଇ ବାଇକ ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇ ଦୁର୍ଘଟଣା ଘଟିଛି । ସମସ୍ତ ଆହତଙ୍କୁ ପୋଲିସ ସମେତ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ରାମଗିରି ପ୍ରାଥମିକ ଚିକିତ୍ସାଳୟକୁ ନିଆଯାଇଥିଲା l ଦୁର୍ଘଟଣାସ୍ଥଳରେ ଉଦୟଗିରି ବ୍ଲକ ଅବାରସିଂ ପଞ୍ଚାୟତର ପାତ୍ରବସା ଗ୍ରାମର ଜୁନେସ ଶବରଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ଥିବା ପାତ୍ରବସା ଗ୍ରାମର ସୂର୍ଯ୍ୟବତୀ ଶବର(୧୮) ରୁକ୍ମଣୀ ଶବର (୫ ) ସରସ୍ବତୀ ଶବର (୧୬) ଓ ଅବାରସିଂ ପଞ୍ଚାୟତ ଖାରିପଦା ଗ୍ରାମର ଶତ୍ରୁଘନ ରଇତ, ଗଣନାଥ ରଇତ, ଶିବରାମ ରଇତ ବୋଲି ପରିଚୟ ମିଳିଛି ।
ଡାକ୍ତର ସୁବ୍ରତ କୁମାର ସାହୁ ଓ ଶ୍ରୀଧର ସାହୁ ପ୍ରାଥମିକ ଚିକିତ୍ସା କରି ଖାରିପଦା ଗ୍ରାମର ଶତ୍ରୁଘନ ରଇତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଅଧିକା ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର ହୋଇଥିବା ବେଳେ ଅନ୍ୟ ଗୁରୁତର ଆହତ ୫ ବର୍ଷର ଶିଶୁ କନ୍ୟା ରୁକ୍ମିଣୀ ଶବର , ସୂର୍ଯ୍ୟବତୀ ଶବର ଓ ସରସ୍ବତୀ ଶବରଙ୍କୁ ଅଧିକା ଚିକିତ୍ସା ପାଇଁ ସ୍ଥାନାନ୍ତର କରିବାପାଇଁ ଆମ୍ବୁଲାନ୍ସ ପହଞ୍ଚିବାରେ ବିଳମ୍ବ ଯୋଗୁ ଗାଡି ଭଡା କରି ବ୍ରହ୍ମପୁର ବଡ଼ ମେଡିକାଲକୁ ପରିବାର ଲୋକ ନେଇଥିଲେ l ଏ ନେଇ ରାମଗିରି ଥାନାରେ ୩୨/୨୬ ରେ ଏକ ମାମଲା ରୁଜୁ କରାଯାଇ ମୃତଦେହ ବ୍ୟବଛେଦ ପାଇଁ ଜଲା ମୁଖ୍ୟ ଚିକିତ୍ସାଳୟ ପାରଳାଖେମୁଣ୍ଡିକୁ ପଠାଯାଇଛି l ମୃତଦେହ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଥାନା ଅଧିକାରୀ ଡି. ଗଜପତି ଦୋରା ସୂଚନା ଦେଇଛନ୍ତି l
Dharitri – Odisha’s No.1 Odia Daily