ନୂଆଦିଲ୍ଲୀ,୩୧।୭: ସିଜେପି ନେତା ଅଭିଜିତ୍ ଦୀପକେ ଭାଜପା ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, ଭାଜପାରେ ଯୋଗଦେବା ପାଇଁ ତାଙ୍କୁ ମିଳିଥିବା ପ୍ରସ୍ତାବ ପ୍ରତ୍ୟକ୍ଷ ଓ ପରୋକ୍ଷରେ ଧମକପୂର୍ଣ୍ଣ ଥିଲା। ଅଭିଜିତ୍ଙ୍କ କହିବା ଅନୁଯାୟୀ, ତାଙ୍କୁ କୁହାଯାଇଥିଲା ଯେ ଭାଜପାରେ ଯୋଗ ଦେଲେ ତାଙ୍କର ଓ ତାଙ୍କ ପରିବାରର ଭବିଷ୍ୟତ ସୁରକ୍ଷିତ ଓ ସୁଖମୟ ହେବ। ଏହାକୁ ପ୍ରତ୍ୟାଖ୍ୟାନ କରି ସେ ପ୍ରଶ୍ନ କରିଛନ୍ତି, ‘ମୁଁ ମୋଦି ଓ ଶାହାଙ୍କ ନାତି ବୟସର। ପିଲାଙ୍କୁ ଧମକାଇବା ଯଦି ରାଜନୀତି, ତେବେ ସେହି କ୍ଷମତାର ମୂଲ୍ୟ କ’ଣ? ଆନ୍ଦୋଳନକାରୀ ଯୁବପିଢ଼ିଙ୍କ ସଂସ୍କାର ଭ୍ରଷ୍ଟ ବୋଲି ବାବା ରାମଦେବ ଦେଇଥିବା ବକ୍ତବ୍ୟ ଉପରେ କଟାକ୍ଷ କରି ଅଭିଜିତ୍ କହିଛନ୍ତି, ଲୋକତନ୍ତ୍ର, ଶିକ୍ଷା ଓ ନିଜ ଭବିଷ୍ୟତ ପାଇଁ ଲଢ଼େଇ କରିବା ଯଦି ଅପସଂସ୍କୃତି, ତେବେ ସେମାନେ ସେହି କାମ ଜାରି ରଖିବେ।
ସୁପ୍ରିମକୋର୍ଟଙ୍କ ଦ୍ୱାରା ପତଞ୍ଜଳିର ଭ୍ରମାତ୍ମକ ବିଜ୍ଞାପନ ଓ ଦ୍ରବ୍ୟଗୁଡ଼ିକ ଉପରେ ଲଗାଯାଇଥିବା କଟକଣା କଥା ମନେପକାଇ ଦେଇ ଅଭିଜିତ୍ କହିଛନ୍ତି, ଅନ୍ୟକୁ ଉପଦେଶ ଦେବା ପୂର୍ବରୁ ରାମଦେବ ନିଜ ସଂସ୍ଥାର ତ୍ରୁଟି ସୁଧାରିବା ଉଚିତ। ସେହିପରି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହାଙ୍କ ନିର୍ଦ୍ଦେଶରେ ଦିଲ୍ଲୀରେ ଜୁଲାଇ ୨୦ରେ ଛାତ୍ରଙ୍କ ଉପରେ ପୋଲିସ ବଳପ୍ରୟୋଗ କରିଥିଲା, ସେ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଅଭିଜିତ୍ କହିଛନ୍ତି। ସେ ଆହୁରି କହିଛନ୍ତି, ଦେଶରେ ଗଣତନ୍ତ୍ର ଏବେ ବିପଦରେ। ଦେଶର ବଡ଼ ବଡ଼ ସଂସ୍ଥାଗୁଡ଼ିକ ଏକଚ୍ଛତ୍ରବାଦକୁ ରୋକିବା ପରିବର୍ତ୍ତେ ନୀରବଦଦ୍ରଷ୍ଟା ସାଜିଛନ୍ତି।
ଏହାକୁ ରୋକିବା ପାଇଁ କେବଳ ବିରୋଧୀ ଦଳ ନୁହେଁ, ସାଧାରଣ ଜନତାଙ୍କୁ ମଧ୍ୟ ଏକାଠି ହେବାକୁ ପଡ଼ିବ। ବିଦେଶରୁ ଫଣ୍ଡିଂ ଅଭିଯୋଗ ଉପରେ ପ୍ରଶ୍ନ ହେବାରୁ ଅଭିଜିତ୍ କହିଛନ୍ତି, ‘ଯଦି ସିଜେପି ଆନ୍ଦୋଳନକୁ ବିଦେଶରୁ ଫଣ୍ଡିଂ ମିଳୁଛି ବୋଲି କୁହାଯାଉଛି, ତେବେ ଏହା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହାଙ୍କ ବିଫଳତା। ଯଦି ସେ ଏହା ରୋକିପାରୁନାହାନ୍ତି, ତେବେ ସେ କି ପ୍ରକାର ‘ଚାଣକ୍ୟ’?