ବାଇକ୍‌ କିଣିବାକୁ ଯାଉଥିଲେ: ବାଟରୁ ୨ ଲକ୍ଷ ଟଙ୍କା ଛଡାଇନେଲେ ଦୁର୍ବୃତ୍ତ

ଥୁଆମୂଳ ରାମପୁର,୨୭।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଓ କାଶୀପୁର ମୁଖ୍ୟ ରାସ୍ତା ଲାଠିଆଗୁଡା ଛକରେ ଦୁର୍ବୃତ୍ତମାନେ ଜଣେ ବାଇକ୍‌ ଆରୋହୀଙ୍କଠାରୁ ମୋବାଇଲ ଫୋନ୍‌ ଓ ନଗଦ ୨ ଲକ୍ଷ ଟଙ୍କା ଲୁଟି ନେଇ ଚମ୍ପଟ ମାରିଛନ୍ତି। ଏ ନେଇ ଥୁଆମୂଳ ରାମପୁର ଥାନାରେ ଅଭିଯୋଗ ହୋଇଛି। ପୋଲିସ ଅଭିଯୋଗକୁ ଭିତ୍ତି କରି ଏକ ମାମଲା(ନଂ. ୧୫୭/୨୩) ରୁଜୁ କରି ତଦନ୍ତ ଚଳାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଜୟପଟଣା ଥାନା ଅନ୍ତର୍ଗତ ମୁଖିଗୁଡ଼ା ଗ୍ରାମର ସନ୍ତୋଷ କୁମାର ବେହେରା ବାଇକ୍‌ କିଣିବା ପାଇଁ ରାୟଗଡ଼ା ସହରକୁ ଜଣେ ସାଙ୍ଗଙ୍କ ସହ ବାଇକ୍‌ରେ ବାହାରି ଥିଲେ। ସେମାନେ ରାୟଗଡାକୁ ମହୁଲପାଟଣା ରାସ୍ତା ଦେଇ ଲାଠିଆଗୁଡା ପଟୁ ଯାଉଥିଲେ। ଏହି ସମୟରେ ପୂର୍ବରୁ ସୂଚନା ପାଇ ୫ଜଣ ଦୁର୍ବୃତ୍ତ ସେମାନଙ୍କୁ ଛକି ବସିଥିଲେ। ସନ୍ତୋଷଙ୍କ ବାଇକ୍‌ ଆସିବା ଦେଖି ଦୁର୍ବୃତ୍ତମାନେ ଅଟକାଇ ଥିଲେ। ପରେ ସନ୍ତୋଷ ଓ ତାଙ୍କ ଅନ୍ୟ ଜଣେ ସାଥିଙ୍କୁ ମାଡମାରି ସେମାନଙ୍କଠାରୁ ୨ଟି ମୋବାଇଲ ସହିତ ୨ ଲକ୍ଷ ଟଙ୍କା ଛଡେଇ ଫେରାର ହୋଇଯାଇଥିଲେ। ଏ ନେଇ ସନ୍ତୋଷ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି।