ନିଶା ସେବନ କରୁଥିଲେ

ବର୍ତ୍ତମାନ କେତେକ ମହିଳା ମଡର୍ନ ଲାଇଫ୍‌ଷ୍ଟାଇଲ୍‌ ଆଳରେ ନିଶା ସେବନ ଓ ଧୂମପାନ ଭଳି ବଦଭ୍ୟାସକୁ ଆପଣେଇ ନେଉଥିବା ଦେଖିବାକୁ ମିଳୁଛି। ହେଲେ ଏହା ଯେ ପରବର୍ତ୍ତୀ ସମୟରେ ସେମାନଙ୍କ ଲାଗି ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର କାରଣ ସାଜୁଛି ସେ ଦିଗରେ ସେମାନେ ସଚେତନ ନୁହନ୍ତି। ତେଣୁ ଜାଣି ରଖନ୍ତୁ ଏଭଳି ବଦଭ୍ୟାସର ଶରୀର ପ୍ରତି ଥିବା ନକାରାତ୍ମକ ପ୍ରଭାବ ସମ୍ପର୍କରେ…

 

ବର୍ତ୍ତମାନ ପାଠ ପଢା ଏବଂ ଜବ୍‌ ଲାଗି ଯାଉଥିବା ଅନେକ କିଶୋରୀ ଓ ଯୁବତୀମାନେ ଧୂମପାନ କରିବାକୁ ଏକ ଷ୍ଟାଇଲ୍‌ ଭାବେ ଗ୍ରହଣ କରି ନେଉଥିବା ଦେଖିବାକୁ ମିଳୁଛି। ହେଲେ ଏହାଦ୍ୱାରା ମାସିକ ଋତୁସ୍ରାବରେ ଅନିୟମିତତା, ଶରୀର ବୃଦ୍ଧିରେ ବ୍ୟାହତ ଏବଂ ପରବର୍ତ୍ତୀ ସମୟରେ ବନ୍ଧ୍ୟାତ୍ୱର କାରଣ ସାଜୁଛି।
ନିଶାଦ୍ରବ୍ୟରେ ଥିବା ନିକୋଟିନ୍‌ ଓ ବିଭିନ୍ନ ପ୍ରକାରର କ୍ୟାନ୍‌ସର ରୋଗ ସୃଷ୍ଟିକାରୀ କାର୍‌ସିନୋଜେନ୍‌, ହୃଦ୍‌ରୋଗ, ଫୁସ୍‌ଫୁସ୍‌ର କର୍କଟରୋଗ ଏବଂ ମସ୍ତିଷ୍କାଘାତ ଆଦି ରୋଗର କାରଣ ସାଜିଥାଏ।
କେବଳ ଏତିକି ନୁହେଁ ନିଶା ଗ୍ରହଣ କରିବା ଦ୍ୱାରା ଜରାୟୁକୁ ରକ୍ତ ଯୋଗାଉଥିବା ଧମନୀ ଅଣଓସାରିଆ ହୋଇଯାଏ। ଫଳରେ ଗର୍ଭପାତ କିମ୍ବା ଗର୍ଭରେ ଶିଶୁ ଭଲ ଭାବେ ବଢି ପାରୁ ନ ଥିବାରୁ ଅପରିଣତ ଶିଶୁ ବା ବିକଳାଙ୍ଗ ଶିଶୁ ଜନ୍ମ ହୋଇଥାଏ। ଏମିତି କି କେତେକଙ୍କ କ୍ଷେତ୍ରରେ ଗର୍ଭରେ ଶିଶୁର ମୃତ୍ୟୁ ହୋଇଥାଏ।
ବର୍ତ୍ତମାନ ଅଧିକାଂଶ ବୟସ୍କା ମହିଳାଙ୍କୁ ଧୂମପାନ କିମ୍ବା ଅନ୍ୟ ନିଶାଦ୍ରବ୍ୟ ଗହଣ କରୁଥିବା ଦେଖିବାକୁ ମିଳୁଛି। ହେଲେ ୫୦ ବର୍ଷରୁ ଊର୍ଦ୍ଧ୍ୱ ମହିଳାଙ୍କଠାରେ ଏହି ଅଭ୍ୟାସ ଆଣ୍ଠୁ, ଗଣ୍ଠି ବାତ ସହ ର୍ୟୁମାଟଏଡ୍‌ ଆର୍ଥ୍ରାଇଟିସ୍‌ ଆଦିର କାରଣ ସାଜିଥାଏ। ମାଢିରୁ ରକ୍ତକ୍ଷରଣ ହେବା ସହ ଦାନ୍ତ ଓ ମାଢି ଦୁର୍ବଳ ହୋଇ ଶୀଘ୍ର ପଡ଼ିଯାଏ।
ମାସିକ ଋତୁସ୍ରାବର ବିରତି ପରେ ଧୂମପାନ କରୁଥିବା ମହିଳାମାନଙ୍କଠାରେ କାଶ, ଶ୍ୱାସ, ହୃଦ୍‌ରୋଗ ଓ ଫୁସ୍‌ଫୁସ୍‌ କର୍କଟ ରୋଗ ସହ ୟୁରିନାରୀ ଟ୍ରାକ୍‌ ଇନ୍‌ଫେକ୍ସନ ଭଳି ରୋଗ ଦେଖାଦେଇଥାଏ।
ଧୂମପାନ ବୟସ୍କ ମହିଳାଙ୍କଠାରେ ମୋତିଆବିନ୍ଦୁ ଭଳି ସମସ୍ୟା ବି ସୃଷ୍ଟି କରିଥାଏ।