ମହାକାଳପଡ଼ା,୧୫।୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ୧୮ ଗାଁରେ ସ୍ଥାପନ ହୋଇଛି ସୁନାମି ଆଲର୍ଟ ଟାୱାର । ବ୍ଲକର ତନ୍ତିଆପାଳ, ଶାସନ, ରଟପଙ୍କ, ନରସିଂହପୁର, ସୁନୀତି, ଜମ୍ବୁ, ଜମ୍ବୁଲକ, କଜଳପାତିଆ, ଦକ୍ଷିଣ ଖୋଳା ଗାଁ ସମେତ ବ୍ଲକ ମୁଖ୍ୟାଳୟରେ ଏକ ଟାୱାର ସ୍ଥାପନ ହୋଇଛି। ଅପରପକ୍ଷରେ ଗଭୀର ସମୁଦ୍ର ନିମ୍ନସ୍ତର ଚଟାଣରେ ଅତ୍ୟଧିକ ଚାପ ସୃଷ୍ଟି ହେଲେ ଫାଟ ହୋଇଥାଏ । ଫଳରେ ସମୁଦ୍ରରେ ଉଚ୍ଚ ତରଙ୍ଗ ସୃଷ୍ଟି ହୋଇ ପ୍ରବଳ ଢେଉ କୂଳକୁ ଆସି ସ୍ଥଳଭାଗରେ ମାଡ଼ ହୋଇ ବିପୁଳ କ୍ଷତି ଘଟାଇଥାଏ। ତେବେ ଗଭୀର ସମୁଦ୍ରରେ ସୁନାମି ସୃଷ୍ଟି ହେବା ୪୫ ମିନିଟ ପୂର୍ବରୁ ଟାୱାରରେ ସାଇରନ ସତର୍କ ସୂଚନା ୨ କି.ମି.ପର୍ଯ୍ୟନ୍ତ ବାଜି ଉଠେ। ଫଳରେ ସ୍ଥାନୀୟ ସମୁଦ୍ର କୁଳିଆ ଲୋକମାନେ ଯୁଦ୍ଧକାଳୀନ ଭିତ୍ତିରେ ଉଚ୍ଚ ସ୍ଥାନକୁ ଯିବାକୁ ସକ୍ଷମ ହୋଇଥାନ୍ତି। ଏ ସମ୍ପର୍କରେ ବିଡିଓ ତଥା ତହସିଲଦାର ରବି ନାରାୟଣ ଆଚାର୍ଯ୍ୟଙ୍କ ମତାମତ ନେବାରେ ସୁନାମି ଆସିବା ପୂର୍ବରୁ ଏହି ଟାୱାରରେ ସତର୍କ ସୂଚନା ମିଳିବ ବୋଲି ସ୍ଥାନୀୟ ଲୋକମାନଙ୍କୁ ସଚେତନ କରାଯାଉଥିବା ବୋଲି କହିଛନ୍ତି।