ଛତ୍ରପୁର, ୨୪।୧୦ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପକୁ ନେଇ ସମ୍ଭାବ୍ୟ ବାତ୍ୟା ଆଶଙ୍କା ଦେଖାଦେଇଛି। ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ମତ୍ସ୍ୟଜୀବୀଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା ଅକ୍ଟୋବର ୩୦ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି।
ଆଞ୍ଚଳିକ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ବଙ୍ଗୋପସାଗରରେ ଥିବା ଲଘୁଚାପ ଘନୀଭୂତ ହୋଇ ବାତ୍ୟାର ରୂପ ନେବାର ଆଶଙ୍କା ରହିଛି। ଏହା ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ମଧ୍ୟବର୍ତ୍ତୀ ଅଞ୍ଚଳରେ ସ୍ଥଳଭାଗ ଅତିକ୍ରମ କରିପାରେ ବୋଲି ଆକଳନ କରାଯାଉଛି। ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଅତି ପ୍ରବଳ ବର୍ଷା ସହ ତୀବ୍ର ବେଗରେ ପବନ ବହିବାର ଆଶଙ୍କା ରହିଛି।
ଏଭଳି ସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଅକ୍ଟୋବର ୨୨ରୁ ୩୦ ତାରିଖ ପର୍ଯ୍ୟନ୍ତ ସମସ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମୁଦ୍ର ମଧ୍ୟରେ ଥିବା ମତ୍ସ୍ୟଜୀବୀମାନଙ୍କୁ ତୁରନ୍ତ ସ୍ଥଳଭାଗକୁ ଫେରି ଆସିବାକୁ କୁହାଯାଇଛି। ଏହି ସମୟରେ କୌଣସି ମାଛଧରା ଡଙ୍ଗା କିମ୍ବା ଟ୍ରଲରକୁ ସମୁଦ୍ର ମଧ୍ୟକୁ ଯିବାକୁ ଅନୁମତି ମିଳିବ ନାହିଁ।
ଅନ୍ୟପକ୍ଷରେ, ମତ୍ସ୍ୟଜୀବୀଙ୍କ ନିକଟରେ ସତର୍କ ସୂଚନା ପହଞ୍ଚାଇବା ପାଇଁ ସମୁଦ୍ର ମିତ୍ରମାନେ ସହଯୋଗ କରୁଛନ୍ତି। ସମ୍ଭାବ୍ୟ ବାତ୍ୟାକୁ ନେଇ ମତ୍ସ୍ୟଜୀବୀମାନେ ସତର୍କ ରହିବା ସହ ପ୍ରଶାସନର ନିର୍ଦ୍ଦେଶ ପାଳନ କରିବା ଜରୁରୀ ବୋଲି କୁହାଯାଇଛି।