ଚାହୁଁଥିଲେ ହେବାକୁ ଆକ୍ସନ ହିରୋ, ପାଲଟିଗଲେ ରୋମାଣ୍ଟିକ୍‌ ହିରୋ…

ମୁମ୍ବାଇ: ବଲିଉଡ୍‌ର କିସିଂ ଷ୍ଟାର ଇମ୍ରାନ୍‌ ହାସ୍‌ମୀଙ୍କୁ ବୁଧବାର ୪୨ ବର୍ଷ ପୂରଣ ହୋଇଛି। ୧୯୭୯ ମାର୍ଚ୍ଚ ୨୪ରେ ସେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ଇମ୍ରାନ୍‌ ପ୍ରାଥମିକ ପର୍ଯ୍ୟାୟରେ କ୍ୟାରିୟରରେ ଅସଫଳ ରହିଥିଲେ। ତେବେ ପରବର୍ତ୍ତୀ ସମୟରେ ସେ ବଲିଉଡ୍‌ରେ କିସିଂ ଏବଂ ଲିପଲକ୍‌ ଟ୍ରେଣ୍ଡ ଆରମ୍ଭ କରି ଦର୍ଶକଙ୍କର ପ୍ରଥମ ପସନ୍ଦର ହିରୋ ପାଲଟି ଯାଇଥିଲେ। ଇଣ୍ଡଷ୍ଟ୍ରିରେ ସେ ଆକ୍ସନ ହିରୋ ହେବାକୁ ଆସି ରୋମାଣ୍ଟିକ ହିରୋ ବନିଗଲେ। ୨୦୦୩ରେ ବିକ୍ରମ ଭଟ୍ଟଙ୍କ ଫୁଟପାଥ୍‌ରେ ସେ ଅଭିନୟ କରିଥିଲେ। ୨୦୦୪ରେ ମର୍ଡର ଫିଲ୍ମରେ ଅଭିନୟ କରି ସେ ବେଶ୍‌ ଖ୍ୟାତି ହାସଲ କରିଥିଲେ। ଏହାପରେ ଜେହେର, ଆଶିକି ବନାୟା ଆପ୍‌ନେ, କାଳୟୁଗ, ଅକସାର୍‌, ଗ୍ୟାଙ୍ଗଷ୍ଟର୍‌, ଆଓ୍ବାରାପନ୍‌, ରାଜ ଦ ମିଷ୍ଟ୍ରି କର୍ଟିନ୍ୟୁ, ଦ ଦାର୍ଟି ପିକଚର, ମର୍ଡର-୨, ଜନ୍ନତ-୨, ରାଜ୍‌-୩, ଏକ୍‌ ଥି ଦୟାନ୍‌, ଓ୍ବାନ୍ସ ଅପନ ଏ ଟାଇମ୍‌ ଇନ୍‌ ମୁମ୍ବାଇ, ଆଝାର, ହମାରି ଅଧୁରି କାହାନି, ବାଦଶାହୋ ଆଦି ଫିଲ୍ମରେ ଉଚ୍ଚକୋଟୀର ଅଭିନୟ କରି ପ୍ରଶଂସା ସାଉଁଟିଥିଲେ। ବଲିଉଡ୍‌ରେ ସେ ତାଙ୍କ ଅପୋଜିଟ୍‌ରେ ଥିବା ନାୟିକାଙ୍କ ସହିତ ଅତି ଅନ୍ତରଙ୍ଗ ସିନ କରିଥିଲେ ମଧ୍ୟ କାହା ସହିତ ତାଙ୍କର ଆଫେୟାର୍ସ ନ ଥିବା ନେଇ ସେ ସବୁବେଳେ ବେଶ୍‌ ଚର୍ଚ୍ଚାରେ ରହିଥାନ୍ତି। ୨୦୦୬ରେ ସେ ପରବିନ୍‌ ସହାହାଣୀଙ୍କୁ ବିବାହ କରିଥିଲେ। ଅଭିନୟ ପରେ ସେ ସ୍ତ୍ରୀ ଏବଂ ନିଜ ପରିବାର ସହିତ ସମୟ ବିତାଇବାକୁ ପସନ୍ଦ କରିଥାନ୍ତି।

Share