ଅନ୍ୟ ଦେଶ ସହିତ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଚାହୁଁ: ଜିନପିଙ୍ଗ…

ବେଜିଂ,୨୫।୪ : ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ ଭାରତର ରାଷ୍ଟ୍ରଦୂତ ପ୍ରଦୀପ କୁମାର ରାୱତ ଏବଂ ଆମେରିକାର ରାଷ୍ଟ୍ରଦୂତ ରବର୍ଟ ନିକୋଲାସ ବର୍ନସଙ୍କ ସମେତ ୭୦ ଟି ଦେଶର ରାଷ୍ଟ୍ରଦୂତଙ୍କ ପରିଚୟପତ୍ର ଗ୍ରହଣ କରିଛନ୍ତି। ପୂର୍ବ ଲଦାଖରେ ଚାଇନା ସହ ଚାଲିଥିବା ତିକ୍ତତା ପରେ ରାୱତଙ୍କୁ ଚାଇନାରେ ଭାରତୀୟ ରାଷ୍ଟ୍ରଦୂତ ଭାବରେ ନିଯୁକ୍ତ କରାଯାଇଥିଲା।

ରାଷ୍ଟ୍ରଦୂତଙ୍କ ସହ ବୈଠକରେ ଜିନପିଙ୍ଗ ତାଙ୍କ ସମ୍ବୋଧନରେ କହିଛନ୍ତି, ଆମେ ପୃଥିବୀର ସମସ୍ତ ଦେଶ ସହ ସମ୍ପର୍କକୁ ମଜବୁତ କରିବାକୁ ପ୍ରସ୍ତୁତ ଏବଂ ଏହି ସମ୍ପର୍କ ସମାନତା ଏବଂ ପାରସ୍ପରିକ ଲାଭ ଉପରେ ଆଧାରିତ ହେବ। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରାଷ୍ଟ୍ରଦୂତମାନଙ୍କୁ ଜିନପିଙ୍ଗ କହିଛନ୍ତି ,ଆଶା କରାଯାଉଛି ସମସ୍ତ ରାଷ୍ଟ୍ରଦୂତ ଚାଇନାକୁ ଭଲଭାବରେ ବୁଝିବେ ଏବଂ ପାରସ୍ପରିକ ସହଯୋଗ ଏବଂ ବନ୍ଧୁତ୍ୱର ସେତୁ ଭାବରେ କାର୍ଯ୍ୟ କରିବେ।

ତାଙ୍କ ସରକାର ସମସ୍ତ ରାଷ୍ଟ୍ରଦୂତଙ୍କୁ ସେମାନଙ୍କର ଦାୟିତ୍ୱ ପୂରଣ କରିବାରେ ସାହାଯ୍ୟ କରିବେ। ଗତ ତିନିବର୍ଷ ମଧ୍ୟରେ ଚାଇନା କରୋନା ବିରୋଧରେ ଲଢ଼େଇରେ ବହୁ ଦୂର ଯାଇଛି ଏବଂ ଏହି ପ୍ରକ୍ରିୟାରେ ଚାଇନା ମଧ୍ୟ ଅନେକ ଦେଶରୁ ସହାୟତା ପାଇଛି। ଚାଇନା ଏକ ଆଧୁନିକ ସମାଜବାଦୀ ଦେଶ ଗଠନ ଏବଂ ଆଧୁନିକୀକରଣ ପାଇଁ ଜାତୀୟ ନବୀକରଣକୁ ପ୍ରୋତ୍ସାହିତ କରୁଛି ବୋଲି ସେ କହିଛନ୍ତି।

Share