ଦିନକୁ ୧୧ ମିନିଟ୍‌ ଚାଲିଲେ ଅକାଳ ମୃତ୍ୟୁ ଭୟ କମିବ

ଲଣ୍ଡନ୍‌, ୨।୩: ବୟସ ହେବା ପୂର୍ବରୁ ଘଟୁଥିବା ମୃତ୍ୟୁକୁ ଅକାଳ ବିୟୋଗ କୁହାଯାଏ। ବର୍ତ୍ତମାନ ସମୟରେ ଯୁବକ ତଥା ଯୁବତୀଙ୍କ ଅକାଳମୃତ୍ୟୁକୁ ନେଇ ଅନେକ ଖବର ପ୍ରକାଶ ପାଇବାରେ ଲାଗିଛି। ଏ ପ୍ରକାର ବିପଜ୍ଜନକ ସ୍ଥିତିରୁ ନିଜକୁ ସୁରକ୍ଷିତ ରଖିବା ସକାଶେ ପ୍ରତ୍ୟେକ ଦିନ ୧୧ ମିନିଟ୍‌ ବ୍ୟାୟାମ୍‌ ବା ଚାଲିବା ଆବଶ୍ୟକ। ଏପରି କରିବା ଦ୍ୱାରା ଅକାଳ ମୃତ୍ୟୁର ଡର ରହିବ ନାହିଁ ବୋଲି ବ୍ରିଟିଶ୍‌ ଜର୍ନାଲ ଅଫ୍‌ ସ୍ପୋର୍ଟସ୍‌ମେଡିସିନ୍‌ରେ ଉଲ୍ଲେଖ କରାଯାଇଛି।

ଶାରୀରିକ କ୍ରିୟା ଦ୍ୱାରା ହୃଦ୍‌ଜନିତ ରୋଗ, କ୍ୟାନ୍‌ସର ଭଳି ରୋଗକୁ ମଧ୍ୟ ଦୂର କରାଯାଇପାରିବ।
ସପ୍ତାହରେ ୧୫୦ ମିନିଟ୍‌ ବ୍ୟାୟାମ କରିବା ଶରୀର ପକ୍ଷେ ହିତକାର ବୋଲି ବ୍ରିଟେନ୍‌ର ନ୍ୟାଶନାଲ ହେଲ୍‌ଥ ସର୍ଭିସ୍‌ (ଏନ୍‌ଏଚ୍‌ଏସ୍‌) ପକ୍ଷରୁ କୁହାଯାଇଛି। ବିଶେଷଜ୍ଞମାନେ ୩୦ ନିୟୁତ ଲୋକଙ୍କୁ ନେଇ ଏ ସମ୍ପର୍କିତ ଅଧ୍ୟୟନ କରିଛନ୍ତି।

ସୁସ୍ଥ ରହିବା ଏବଂ ଦୀର୍ଘାୟୁ ହେବାକୁ ପ୍ରତ୍ୟେକ ବ୍ୟକ୍ତିଙ୍କ ଆଶା ଥାଏ ସେଥିପାଇଁ ୭ ଦିନରେ ୧୫୦ ମିନିଟ୍‌ର ବ୍ୟାୟାମ ନିତାନ୍ତ ଆବଶ୍ୟକ ବୋଲି କେମ୍ବ୍ରିଜ୍‌ ମେଡିକାଲ୍‌ ରିସର୍ଚ୍ଚ କାଉନ୍‌ସିଲ (ଏନ୍‌ଆର୍‌ସି)ର ଡା. ସୋରେନ୍‌ ବ୍ରେଜ୍‌ କହିଛନ୍ତି। ପ୍ରାରମ୍ଭିକ ସମୟରେ ସପ୍ତାହକୁ ୭୫ମିନିଟ୍‌ ଏକ୍ସରସାଇଜ୍‌ ବା ନିୟମିତ ଚାଲିବା ଜରୁରୀ। ଏହାକୁ ଅଭ୍ୟାସ କଲେ ବ୍ୟାୟାମ କରିବାର ସମୟ ମଧ୍ୟ ଟାର୍ଗେଟ୍‌ ସମୟରେ ପହଞ୍ଚିପାରିବ। ପ୍ରତି ସପ୍ତାହରେ ୧୫୦ ମିନିଟ୍‌ ଶାରୀରିକ କ୍ରିୟା କରିବା ହେତୁ ପ୍ରତି ୬ ଜଣଙ୍କ ମଧ୍ୟରୁ ଜଣଙ୍କ ଅକାଳ ବିୟୋଗ ଦୂର ହେବ ବୋଲି ଅଧ୍ୟୟନ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ତେଲଙ୍ଗାନା ନିର୍ମଳ ଜିଲା କୁବୀର ମଣ୍ଡଳ ଗ୍ରାମରେ ଏକ ବରଯାତ୍ରୀ ପ୍ରଶେସନରେ ନାଚୁଥିବାବେଳେ ଜଣେ ଯୁବକଙ୍କ ହୃଦ୍‌ଘାତରେ ମୃତ୍ୟୁ ଘଟିଥିଲା। ସେହିପରି ଗାଡ଼ି ଚଲାଉଥିବା ବେଳେ କିମ୍ବା କୌଣସି କାମ କରୁଥିବା ସମୟରେ କେତେଜଣଙ୍କ ଅକାଳମୃତ୍ୟୁ ଖବର ପୂର୍ବଦିନମାନଙ୍କରେ ଖବରକାଗଜ ଓ ଗଣମାଧ୍ୟମରେ ପ୍ରକାଶ ପାଇଛି। ଏ ପ୍ରକାର ମୃତ୍ୟୁରୁ ନିଜକୁ ସୁରକ୍ଷିତ ରଖିବାକୁ ହେଲେ ପ୍ରତିଦିନ ବ୍ୟାୟାମ କରିବା ଜରୁରୀ।

 

Share