Categories: ଖେଳ

ୱେଲ୍ସ ଦଳ, ପୁଅକୁ ସମର୍ଥନ ପାଇଁ ରାଉରକେଲାରେ ମା’ବାପା

ରାଉରକେଲା ଅଫିସ,୧୬।୧: ରାଉରକେଲା ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ରବିବାର ପ୍ରଥମ ମ୍ୟାଚ୍‌ ସ୍ପେନ ଓ ୱେଲ୍ସ ଦଳ ମଧ୍ୟରେ ଖେଳାଯାଇଥିଲା। ୱେଲ୍ସ ଦଳ ତାର ପ୍ରଥମ ମ୍ୟାଚ୍‌ରେ ଇଂଲଣ୍ଡ ଠାରୁ ୫-୦ ଗୋଲରେ ପରାସ୍ତ ହୋଇଥିବା ବେଳେ ରବିବାର ଦ୍ୱିତୀୟ ମ୍ୟାଚ୍‌ ସ୍ପେନ ସହିତ ଖେଳିଥିଲା। ଉକ୍ତ ଦଳର ୧୨ନଂ. ଖେଳାଳି ଷ୍ଟିଫେନ କେଲିଙ୍କୁ ସମର୍ଥନ କରିବା ପାଇଁ ତାଙ୍କ ବାପା ବେନ କେଲି ଓ ମା’ ଏଲି କେଲି ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ପହଞ୍ଚତ୍ଥିଲେ। ଷ୍ଟିଫେନଙ୍କୁ ଯେତେବେଳେ ୧୧ ବର୍ଷ ହୋଇଥିଲା ତାଙ୍କର ହକି ଖେଳ ପ୍ରତି ରୁଚି ଦେଖି ମା’ ଏଲି ପୁଅକୁ ହକି ଖେଳିବାକୁ ପ୍ରେରଣା ଦେଇଥିଲେ।

ପୁଅ ଷ୍ଟିଫେନ ମିଡ୍‌ ଫିଲ୍‌ଡର ଭାବେ ୱେଲ୍ସ ଦଳରେ ଖେଳୁଥିବାରୁ ତାଙ୍କୁ ଦେଶ ପାଇଁ ଭଲ ଖେଳ ପ୍ରଦର୍ଶନ ପାଇଁ ଉତ୍ସାହିତ କରିଥିଲେ। ଏହି ଦମ୍ପତି ବିର୍ସା ମୁଣ୍ଡା ଷ୍ଟାଡିୟମର ଇଷ୍ଟଷ୍ଟାଣ୍ଡରେ ବସି ୱେଲ୍ସ ଦଳକୁ ସମର୍ଥନ କରିବା ସହ କମନ ଷ୍ଟିଫେନ, ପ୍ଲେଇଂ ଆଟାକିଂ ବୋଲି ବାରମ୍ବାର କହୁଥିଲେ। ମାତ୍ର ୱେଲ୍ସ ଦଳ ୫-୧ ଗୋଲରେ ସ୍ପେନଠାରୁ ପରାଜୟ ହେବାରୁ ଯଦି ୱେଲ୍ସ ଦଳ ପ୍ରଥମରୁ ଆକ୍ରାମକ ଭାବେ ଖେଳିଥାନ୍ତା ତେବେ ନିଶ୍ଚୟ ଜିତିଥାନ୍ତା ବୋଲି ବେନ ମତପ୍ରକାଶ କରିଥିଲେ। ୱେଲ୍ସ ଦଳକୁ ଦୁଇଟି ପେନାଲ୍‌ଟି ସୁଯୋଗ ମିଳିଥିଲେ ମଧ୍ୟ ଦଳ ତାର ଫାଇଦା ଉଠାଇପାରି ନ ଥିଲା। ଫଳରେ ୱେଲ୍ସ ଦଳର ମନୋବଳ ଭାଙ୍ଗି ପଡିଥିବା ଏଲି କହିଥିଲେ। ତଥାପି ୱେଲ୍ସ ଦଳ ଖେଳର ୪ର୍ଥ କ୍ୱାର୍ଟର୍ସରେ ଆକ୍ରମକ ଖେଳ ପ୍ରଦର୍ଶନ କରିଥିବାବେଳେ ଦଳର ଫରଓ୍ବାର୍ଡ ଖେଳାଳି ଜେମ୍ସ କାରସନ୍‌ ପ୍ରଥମ ଗୋଲ କରିଥିଲେ। ଖେଳରେ ହାର୍‌ ଜିତ୍‌ ଲାଗି ରହିଛି, ତଥାପି ଆଗାମୀ ମ୍ୟାଚ୍‌ରେ ଦଳ ଭଲ ଖେଳ ପ୍ରଦର୍ଶନ କରିବ ବୋଲି ଷ୍ଟିଫେନଙ୍କ ବାପା ଓ ମା’ ମତ ଦେଇଥିଲେ।

Share