ନିଦରୁ ଉଠ, ସତ କୁହ

ନୂଆଦିଲ୍ଲୀ,୯ା୫: ଦେଶର ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହୋଇ ପ୍ରାଣ ହରାଉଥିବା କରୋନା ରୋଗୀଙ୍କ ସଂଖ୍ୟା ଲୁଚାଯାଉଛି। ବିଶେଷକରି ଭାଜପା ଶାସିତ ରାଜ୍ୟଗୁଡ଼ିକରେ କୋଭିଡ୍‌-୧୯ ଆକ୍ରାନ୍ତ ଆଖି ବୁଜିଲେ ସେମାନଙ୍କ ପ୍ରକୃତ ସଂଖ୍ୟା ସରକାର ସାମ୍ନାକୁ ଆଣିବାକୁ କୁଣ୍ଠାବୋଧ କରୁଥିବା ନଜରକୁ ଆସିଛି। ଏହି ପରିପ୍ରେକ୍ଷୀରେ ଇଣ୍ଡିଆନ୍‌ ମେଡିକାଲ ଆସୋସିଏଶନ୍‌ (ଆଇଏମ୍‌ଏ) କେନ୍ଦ୍ର ସରକାରଙ୍କୁ ପତ୍ର ଲେଖି ଉଦ୍‌ବେଗ ପ୍ରକାଶ କରିଛି। କୋଭିଡ୍‌ଜନିତ ମୃତ୍ୟୁସଂଖ୍ୟା କାହିଁକି ଲୁଚାଉଛ ବୋଲି ଏଥିରେ ପ୍ରଶ୍ନ କରାଯାଇଛି। ନିଦ୍ରିତ ଅବସ୍ଥାରୁ ଜାଗ୍ରତ ହୋଇ କୋଭିଡ୍‌-୧୯ ଜନିତ ସଙ୍କଟର ମୁକାବିଲା ଦିଗରେ ପଦକ୍ଷେପ ନେବାପାଇଁ ଆଇଏମ୍‌ଏ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟକୁ କହିଛି।
ମହାମାରୀ ମୁକାବିଲା ପାଇଁ ଆଇଏମ୍‌ଏ ସଦସ୍ୟ ଓ ଅନ୍ୟ ସହକର୍ମୀମାନେ ଦେଉଥିବା ଉପାଦେୟ ପ୍ରସ୍ତାବକୁ କେନ୍ଦ୍ର ସରକାର ଅଳିଆଗଦାରେ ଫିଙ୍ଗିଦେଉଥିବା ପତ୍ରରେ ଉଲ୍ଲେଖ କରାଯାଇଛି। ପ୍ରକୃତ ବାସ୍ତବତାକୁ ନ ବୁଝି ସରକାର ମହାମାରୀ ସମ୍ପର୍କରେ ନିଷ୍ପତ୍ତି ନେଉଥିବା ଏଥିରେ କୁହାଯାଇଛି।
ବିଭିନ୍ନ ରାଜ୍ୟ ଅଲଗା ଅଲଗା ଭାବେ ୧୦ରୁ ୧୫ ଦିନ ଲକ୍‌ଡାଉନ ଘୋଷଣା କରୁଛନ୍ତି। ଏହାକୁ ଆଇଏମ୍‌ଏ ବିରୋଧ କରିଛି। ଏହା ବଦଳରେ ସାରା ଦେଶରେ ଏକ ଯୋଜନାବଦ୍ଧ ଲକ୍‌ଡାଉନ ଲାଗୁ କରିବା ପାଇଁ ଗତ ୨୦ ଦିନ ହେଲା ଆଇଏମ୍‌ଏ ସରକାରଙ୍କ ଉପରେ ଚାପ ପକାଇଆସୁଛି। ଏହାଦ୍ୱାରା ଅଧିକ ସଂକ୍ରମିତଙ୍କ ଚିକିତ୍ସା ପାଇଁ ହସ୍ପିଟାଲଗୁଡ଼ିକ ନିଜକୁ ପ୍ରସ୍ତୁତ କରାଇବା ସହ ଆବଶ୍ୟକତା ପୂରଣ ଲାଗି ସମୟ ପାଇପାରିବେ। ଲକ୍‌ଡାଉନ ଦ୍ୱାରା ସଂକ୍ରମଣକୁ ରୋକାଯାଇପାରିବ। ସାର୍ବଜନୀନ ଟିକାକରଣ କାର୍ଯ୍ୟକାରୀ କରିବାରେ ବିଳମ୍ବକୁ
ନେଇ ଆସୋସିଏଶନ ପ୍ରଶ୍ନ କରିଛି। ସମସ୍ତଙ୍କୁ ଟିକା ଦେବା ପାଇଁ ପର୍ଯ୍ୟାପ୍ତ ଟିକା ଉପଲବ୍ଧ ନ ହେବା ଓ ଦାମ୍‌ରେ ପାର୍ଥକ୍ୟକୁ ନେଇ ମଧ୍ୟ ଆଇଏମ୍‌ଏ ପ୍ରଶ୍ନ ଉଠାଇଛି। ବିଭିନ୍ନ ରାଜ୍ୟରେ ମେଡିକାଲ ଅକ୍ସିଜେନ୍‌ ଅଭାବ ଦେଖାଦେଇଛି। ଡାକ୍ତରମାନେ ସଂକ୍ରମଣର ଶିକାର ହେଉଛନ୍ତି। ଏହାବ୍ୟତୀତ ଗବେଷଣା ବଢ଼ାଇବା ଉପରେ ମଧ୍ୟ ଆଇଏମ୍‌ଏ ଜୋର୍‌ ଦେଇଛି। ସ୍ବାସ୍ଥ୍ୟସେବା ବଜେଟ ପରିମାଣ ବଢ଼ାଇ ଜିଡିପିର ୮ ପ୍ରତିଶତ କରିବା ପାଇଁ ଆସୋସିଏଶନ ପ୍ରସ୍ତାବ ଦେଇଛି।

Share