Categories: ଜାତୀୟ

ଅଖିଳେଶଙ୍କଠାରୁ ଛାଡପତ୍ର ଚାହୁଁଛନ୍ତି ରାଜଭର

ଲକ୍ଷ୍ନୌ,୨୦।୭: ସୁହେଲଦେବ ଭାରତ ସମାଜ ପାର୍ଟି ସଭାପତି ଓମପ୍ରକାଶ ରାଜଭର ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବଙ୍କୁ କ୍ରମାଗତ ଭାବେ ଟାର୍ଗେଟ କରିଆସୁଛନ୍ତି। ବୁଧବାର ସେ ଅଖିଳେଶଙ୍କୁ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଘଟିଥିବା ଘଟଣାଗୁଡ଼ିକ ଉପରେ ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ। ଏଥି ସହିତ, ଯଦି ସେ ଅଖିଳେଶ ଯାଦବଙ୍କଠାରୁ ଛାଡପତ୍ର ପାଆନ୍ତି, ତେବେ ସେ ୨୦୨୪ ବିଷୟରେ ଚିନ୍ତା କରିବେ ବୋଲି କହିଛନ୍ତି।
ଓମପ୍ରକାଶ ରାଜଭର କହିଛନ୍ତି, ଅଖିଳେଶ ବନ୍ଦ ଏସି ରୁମରେ ବସି ରାଜନୀତି କରୁଛନ୍ତି। ଦିନେ କଂଗ୍ରେସ ଦଳ ମଧ୍ୟ ଏମିତି ରାଜନୀତି କରୁଥିଲା। ଆଜି କଂଗ୍ରେସର ଭାଗ୍ୟ ଦେଖନ୍ତୁ। ଖାଲି ଏସିରେ ବସି ଟୁଇଟ୍‌ କଲେ ଲୋକ ଭୋଟ ଦେବେ ନାହିଁ।
ଆଗାମୀ ଯୋଜନା ବିଷୟରେ ପଚରାଯାଇଥିବା ପ୍ରଶ୍ନ ଉପରେ ଓମପ୍ରକାଶ ରାଜଭର କହିଛନ୍ତି, ସେ ନିଜେ ଅଖିଳେଶଙ୍କଠାରୁ ଛାଡପତ୍ର ନେଇ ପାରିବେ ନାହିଁ। ଯଦି ଅଖିଳେଶ ପ୍ରଥମେ ତାଙ୍କୁ ଛାଡିବେ, ତେବେ ସେ ୨୦୨୪ ବିଷୟରେ ଚିନ୍ତା କରିବେ।

ସୂଚନାଯୋଗ୍ୟ, ସମାଜବାଦୀ ପାର୍ଟି(ଏସପି)ର ସହଯୋଗୀ ଥିବା ରାଜଭର ୟୁପି ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ଏସପି ସଭାପତିଙ୍କୁ ସର୍ବସାଧାରଣରେ ଟାର୍ଗେଟ କରିବା ଆରମ୍ଭ କରିଥିଲେ। ଏହାକୁ ନେଇ ଉଭୟ ନେତାଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ନିକଟରେ ଅନୁଷ୍ଠିତ ବିଧାନ ପରିଷଦ ନିର୍ବାଚନକୁ ନେଇ ଉଭୟଙ୍କ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଥିଲା। ରାଜଭର ତାଙ୍କ ପୁଅ ଅରବିନ୍ଦ ରାଜଭରଙ୍କୁ ବିଧାନ ପରିଷଦକୁ ପଠାଇବାକୁ ଚାହୁଁଥିଲେ, କିନ୍ତୁ ଅଖିଳେଶ ତାଙ୍କ ସ୍ଥାନରେ ଆରଏଲଡି ସଭାପତି ଜୟନ୍ତ ଚୌଧୁରୀଙ୍କୁ ପଠାଇଥିଲେ।

Share