W, W, W, W…୪ ବଲ୍‌ରେ ୪ ଉଇକେଟ! ଡବଲ ହ୍ୟାଟ୍ରିକ ନେଇ ଇତିହାସ ରଚିଲେ ବୈଷ୍ଣବୀ

ନ୍ୟୁ ଚଣ୍ଡୀଗଡ଼,୭।୧୧: ଭାରତୀୟ ମହିଳା କ୍ରିକେଟ୍‌ରେ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି ଷ୍ଟାର ସ୍ପିନର ବୈଷ୍ଣବୀ ଶର୍ମା। ମାତ୍ର ୪ଟି ବଲ୍‌ରେ ଲଗାତାର ୪ଟି ଉଇକେଟ ନେଇ ଡବଲ ହ୍ୟାଟ୍ରିକ ହାସଲ କରିଛନ୍ତି ସେ। ଏହି ସଫଳତା ସହ ହୁମୈରା କାଜିଙ୍କ ପରେ ଡବଲ ହ୍ୟାଟ୍ରିକ ନେବାରେ ବୈଷ୍ଣବୀ ହୋଇଛନ୍ତି ଦ୍ୱିତୀୟ ଭାରତୀୟ ମହିଳା କ୍ରିକେଟର।

୨୦୨୬ ମହିଳା ଟି-୨୦ ଟ୍ରଫିରେ ମଧ୍ୟପ୍ରଦେଶ ପକ୍ଷରୁ ଖେଳୁଛନ୍ତି ବୈଷ୍ଣବୀ। ନ୍ୟୁ ଚଣ୍ଡୀଗଡ଼ରେ ମଧ୍ୟପ୍ରଦେଶ ଓ ଆନ୍ଧ୍ର ମଧ୍ୟରେ ମ୍ୟାଚ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ବଲ୍‌ରେ କମାଲ ଦେଖାଇଥିଲେ ବୈଷ୍ଣବୀ। ଆନ୍ଧ୍ର ଇନିଂସର ଶେଷ ତଥା ୨୦ତମ ଓଭରରେ ସେ ଲଗାତାର ୪ଟି ଉଇକେଟ ନେଇ ଡବଲ ହ୍ୟାଟ୍ରିକ ପୂରଣ କରିଥିଲେ।

୨୦ତମ ଓଭରର ତୃତୀୟ ବଲ୍‌ରେ ହେନ୍ରିଏଟା ପେରେରା, ଚତୁର୍ଥ ବଲ୍‌ରେ ଅଞ୍ଜଳି ସର୍ବାଣୀ, ପଞ୍ଚମ ବଲ୍‌ରେ ଅଖିଳା ପାବନୀ ଏବଂ ଷଷ୍ଠ ବଲ୍ରେ ଶବନମ ଶକିଲଙ୍କୁ ଆଉଟ କରିଥିଲେ ସେ। ଏହି ମ୍ୟାଚ୍‌ରେ ବୈଷ୍ଣବୀ ମୋଟ ୪ ଓଭର ବୋଲିଂ କରି ୨୨ ରନ ଦେଇ ୬ଟି ଉଇକେଟ ଅକ୍ତିଆର କରିଥିଲେ। ତାଙ୍କ ଇକୋନୋମି ରେଟ ଥିଲା ୫.୫୦।
ବୈଷ୍ଣବୀ ଶର୍ମା ଭାରତୀୟ ଦଳ ପାଇଁ ଉଭୟ ଦିନିକିଆ ଓ ଟି-୨୦ ଫର୍ମାଟ୍‌ରେ ଖେଳିସାରିଛନ୍ତି। ସେ ଏପର୍ଯ୍ୟନ୍ତ ୩ଟି ଦିନିକିଆ ଏବଂ ୫ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି। ଦିନିକିଆର ୩ଟି ଇନିଂସରେ ତାଙ୍କ ନାଁରେ ୯ଟି ଉଇକେଟ ରହିଥିବା ବେଳେ ଟି-୨୦ର ୫ଟି ଇନିଂସରେ ସେ ୫ଟି ଉଇକେଟ ନେଇଛନ୍ତି। ଟି-୨୦ରେ ତାଙ୍କ ଇକୋନୋମି ରେଟ ୬.୨୬ ରହିଛି। ପ୍ରଥମେ ବ୍ୟାଟିଂ କରି ଆନ୍ଧ୍ର ଦଳ ୨୦ ଓଭରରେ ୮ ଉଇକେଟ ହରାଇ ୧୨୯ ରନ କରିଥିଲା। ହେନ୍ରିଏଟା ପେରେରା ସର୍ବାଧିକ ୫୯ ରନ କରିଥିଲେ। ଅନ୍ୟ କୌଣସି ବ୍ୟାଟର ୨୫ ରନ୍‌ର ମାଇଲଖୁଣ୍ଟ ଛୁଇଁପାରି ନ ଥିଲେ।

୧୩୦ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ମଧ୍ୟପ୍ରଦେଶ ମାତ୍ର ୧୫.୧ ଓଭରରେ ଗୋଟିଏ ଉଇକେଟ ହରାଇ ୧୩୩ ରନ କରି ବିଜୟ ହାସଲ କରିଥିଲା। ଓପନର ଅନୁଷ୍କା ଶର୍ମା ୫୩ ବଲ୍‌ରେ ଅପରାଜିତ ୮୧ ରନ୍ର ଧୂଆଁଧାର ଇନିଂସ ଖେଳିଥିଲେ। ତାଙ୍କ ଇନିଂସରେ ୫ଟି ଚୌକା ଓ ୬ଟି ଛକା ସାମିଲ ଥିଲା। ଅନ୍ୟ ଓପନର ଆୟୁଷୀ ଶୁକ୍ଳା ୨୯ ବଲ୍‌ରେ ୩୭ ରନ କରିଥିଲେ। ଏଥିରେ ୨ଟି ଚୌକା ଓ ୨ଟି ଛକା ରହିଥିଲା। ଏହିପରି ବୈଷ୍ଣବୀଙ୍କ ଘାତକ ବୋଲିଂ ଏବଂ ଅନୁଷ୍କାଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମଧ୍ୟପ୍ରଦେଶ ଏକ ଦମ୍‌ଦାର ବିଜୟ ହାସଲ କରିଛି।

 

Dharitri – Odisha’s No.1 Odia Daily

 

Share