Categories: ଖେଳ

ରବି ଶାସ୍ତ୍ରୀ-ବିରାଟ କୋହଲିଙ୍କୁ ଏହି କ୍ଷେତ୍ରରେ ସର୍ବାଧିକ ଧ୍ୟାନ ଦେବାର ଆବଶ୍ୟକତା ରହିଛି: ଭିଭିଏସ୍‌ ଲକ୍ଷ୍ମଣ

ନୂଆଦିଲ୍ଲୀ,୩୧।୭: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ପୂର୍ବତନ ଭାରତୀୟ କ୍ରିକେଟର ଭିଭିଏସ୍‌ ଲକ୍ଷ୍ମଣ ଦଳକୁ ଏକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି। ଷ୍ଟାର ସ୍ପୋଟ୍ସର ଶୋ’ ଗେମ୍‌ ପ୍ଲାନ ସହ କଥାବାର୍ତ୍ତାରେ ଲକ୍ଷ୍ମଣ କହିଛନ୍ତି, ଭାରତୀୟ ଦଳର ମାନସିକତା ସମ୍ପୂର୍ଣ୍ଣ ଭାବେ ବଦଳିଯାଇଛି ବୋଲି ମୁଁ ବିଶ୍ୱାସ କରେ।

୨୦୨୦ରେ ଅଷ୍ଟ୍ରେଲିଆରେ ବିଜୟ ପରେ ବ୍ରିସବେନ୍‌ ସେମାନେ ଯେଉଁଭଳି ଭାବେ ଦଳକୁ ହରାଇ ସିରିଜ ଜିତିଥିଲେ ତାହା ପ୍ରଶଂସନ। ସେତେବେଳେ ଦଳରେ ଅନେକ ପ୍ରମୁଖ ଖେଳାଳି ଉପଲବ୍ଧ ନ ଥିଲେ। ତଥାପି ଦଳରେ ଅନେକ ମଜଭୂତ ଏବଂ ଦମ୍‌ଦାର ଖେଳାଳି ଅଛନ୍ତି ବୋଲି ଲାଗିଥିଲା। ଏହାଛଡ଼ା ଦ୍ରୁତ ବୋଲରଙ୍କ ୟୁନିଟ୍‌ ଅତ୍ୟନ୍ତ ଶକ୍ତିଶାଳୀ ହୋଇଛି। ଯେଉଁଭଳି ଭାବେ ସାରା ବିଶ୍ୱରେ ସେ ଭଲ ପ୍ରଦର୍ଶନ କରିଛନ୍ତି, ସେମାନଙ୍କର ଆତ୍ମବିଶ୍ୱାସ ଆହୁରି ବଢ଼ିଛି ବୋଲି ଲକ୍ଷ୍ମଣ କହିଛନ୍ତି।

ଏହାଛଡ଼ା ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜରେ ରବି ଶାସ୍ତ୍ରୀ ଏବଂ ବିରାଟ କୋହଲିଙ୍କୁ ଏକ ନିର୍ଦ୍ଦିଷ୍ଟ କ୍ଷେତ୍ର ଉପରେ ଅଧିକ ଧ୍ୟାନ ଦେବା ଉଚିତ ବୋଲି ସେ କହିଛନ୍ତି। ଭାରତୀୟ ଦଳ ବିଦେଶର ପରିସ୍ଥିତିରେ ବିଶେଷକରି ଇଂଲଣଣ୍ଡରେ ଜଣେ କିମ୍ବା ଦୁଇଜଣ ବ୍ୟାଟ୍ସମ୍ୟାନ୍‌ଙ୍କ ଉପରେ ନିର୍ଭର କରିଥାନ୍ତି। ହେଲେ ଯଦି ଆପଣ ଟେଷ୍ଟ ସିରିଜରେ ଇଂଲଣ୍ଡକୁ ପରାସ୍ତ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଏକାଠି ହୋଇ ବ୍ୟାଟିଂ କରିବାକୁ ହେବ। ଭଲ ପ୍ରଦର୍ଶନ କରିବାକୁ ପଡ଼ିବ। ଜଣେ କିମ୍ବା ଦୁଇଜଣ ବ୍ୟାଟ୍ସମ୍ୟାନ ରନ୍‌ ସ୍କୋର କରି ମ୍ୟାଚ୍‌ ଜିତିଯିବେ ବୋଲି ଆଶା କରିପାରିବା ଭୁଲ। ଏହା ଉପରେ ଉଭୟ ଶାସ୍ତ୍ରୀ ଏବଂ କୋହଲି ଅଧିକ ଧ୍ୟାନ ଦେବା ଆବଶ୍ୟକ ବୋଲି ଲକ୍ଷ୍ମଣ କହିଛନ୍ତି।

Share