Categories: ଜାତୀୟ

କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ୨୨ ବର୍ଷ ପରେ ହେଉଛି ଭୋଟିଂ, କର୍ନାଟକରୁ ଖର୍ଗେ, କେରଳରୁ ଥରୁର ଦେବେ ଭୋଟ

ନୂଆଦିଲ୍ଲୀ,୧୭ ।୧୦: କଂଗ୍ରେସ ଦଳ ପାଇଁ ୧୭ ଅକ୍ଟୋବର ୨୦୨୨ ସୋମବାର ଏକ ଐତିହାସିକ ଦିନ । ସୋମବାର କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ସକାଳ ୧୦ଟାରୁ ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ । ଦଳରେ ଦୀର୍ଘ ୨୨ ବର୍ଷ ପରେ ଅଧ୍ୟକ୍ଷ ପଦ ପାଇଁ ଭୋଟିଂ ହେଉଛି । ଏପଟେ ପ୍ରାୟ ୨୪ ବର୍ଷ ପରେ ଗାନ୍ଧୀ ପରିବାର ବାହାରୁ କେହି ଜଣେ ବ୍ୟକ୍ତି ଅଧ୍ୟକ୍ଷ ହେବାକୁ ଯାଉଛନ୍ତି । କେବଳ ସେତିକି ନୁହେଁ ୧୩୭ ବର୍ଷର ଇତିହାସରେ ଅଧ୍ୟକ୍ଷ ପଦ ପାଇଁ ୬ଷ୍ଠ ଥର ପାଇଁ ନିର୍ବାଚନ ହେଉଛି । କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖର୍ଗେ ଓ ଶଶି ଥରୁରଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେଉଛି ।
ଏହି ନିର୍ବାଚନରେ ୯୦୦୦ରୁ ଅଧିକ କଂଗ୍ରେସ ଡେଲିଗେଟସ୍ ଭୋଟ ଦେବେ ବୋଲି ଅନୁମାନ କରାଯାଉଛି । ସାରା ଦେଶରେ ୩୬ଟି ମତଦାନ କେନ୍ଦ୍ର ଓ ୭ ବୁଥ ରହିଛି । ଏହା ଭିତରୁ ୬ଟି ଉତ୍ତର ପ୍ରଦେଶରେ ରହିଛି । ଗୋଟିଏ ବୁଥରେ ୨୦୦ ଭୋଟ ଦିଆଯାଇ ପାରିବ । ୧୯ ଅକ୍ଟୋବରରେ ମତଗଣନା ହେବ । ଏଆଇସିସି ମହାସଚିବ, ରାଜ୍ୟ ପ୍ରଭାରୀ, ସଂଯୁକ୍ତ ସଚିବ ନିଜ ରାଜ୍ୟର ଏଆଇସିସି ମୁଖ୍ୟାଳୟରେ ଭୋଟ ଦେଇପାରିବେ ।
କଂଗ୍ରେସ ମୁଖ୍ୟାଳୟ ସହ ସାରା ଦେଶରେ ଥିବା କଂଗ୍ରେସ କମିଟିର କାର୍ଯ୍ୟାଳୟରେ ଭୋଟ ଗ୍ରହଣ କରାଯିବ । ଦଳର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଓ ଦଳ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସୋମବାର ଦିନ ପ୍ରାୟ ୧୨ଟାରେ ୨୪ ଆକବର ରୋଡ ଅର୍ଥାତ୍ କଂଗ୍ରେସ ମୁଖ୍ୟାଳୟରେ ଭୋଟ ଦେବେ । ଏପଟେ ରାହୁଲ ଗାନ୍ଧୀଙ୍କ ସମେତ ପ୍ରାୟ ୪୭ ଡେଲିଗେଟସ୍ କର୍ନାଟକର ବେଲ୍ଲୋରୀରେ ଭୋଟ ଦେବେ । କାରଣ ଏଠାରେ ଏମାନେ ଭାରତ ଯୋଡୋ ଯାତ୍ରାରେ ସାମିଲ ହୋଇଛନ୍ତି । ବେଲ୍ଲୋରିର ସଂଗନାକଲ୍ଲୁରେ ଥିବା କ୍ୟାମ୍ପ ସ୍ଥାନରେ ଭୋଟ ଦେବେ । ଏପଟେ ଶଶି ଥରୁର ଥିରୁଭାନନ୍ତପୁରମ ଓ ଖର୍ଗେ କର୍ନାଟକର ବେଙ୍ଗାଲୁରୁରେ ଭୋଟ ଦେବେ ବୋଲି ଜଣାପଡିଛି ।

Share