Categories: ଜାତୀୟ

ବନ୍ଦୀଙ୍କ ଭୋଟ ଦେବା ଅଧିକାର: କେନ୍ଦ୍ର, ଇସିଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩୧।୧୦: ଜନପ୍ରତିନିଧି ଆଇନରେ ବନ୍ଦୀମାନଙ୍କୁ ଭୋଟ ଅଧିକାର ଦିଆଯାଇ ନ ଥିବାରୁ ଏହାର ବୈଧତାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ଏ ସମ୍ପର୍କିତ ଜନସ୍ବାର୍ଥ ମାମଲା (ପିଆଇଏଲ୍‌)ର ଶୁଣାଣି କରି ସର୍ବୋଚ୍ଚ ଅଦାଲତ ସୋମବାର କେନ୍ଦ୍ର ସରକାର ଓ ନିର୍ବାଚନ କମିଶନ (ଇସି)ଙ୍କୁ ଜବାବ ମାଗିଛନ୍ତି। ଆଇନଜୀବୀ ଜୋହେବ ହୋସେନ୍‌ଙ୍କ ଯୁକ୍ତି ଶୁଣିବା ପରେ ପ୍ରଧାନ ବିଚାରପତି ଉଦୟ ଉମେଶ ଲଲିତ, ଜଷ୍ଟିସ୍‌ ଏସ୍‌. ରବୀନ୍ଦ୍ର ଭଟ୍ଟ ଏବଂ ବେଲା ଏମ୍‌. ତ୍ରିବେଦୀଙ୍କ ଖଣ୍ଡପୀଠ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏବଂ ନିର୍ବାଚନ କମିଶନଙ୍କୁ ନୋଟିସ ଜାରି କରିଛନ୍ତି। ଜନପ୍ରତିନିଧି ଆଇନର ଧାରା ୬୨(୫)ରେ ଜେଲ୍‌ରେ ଥିବା ବ୍ୟକ୍ତିଙ୍କୁ ନିର୍ବାଚନରେ ଭୋଟ ଦେବାରୁ ନିଷେଧ କରାଯାଇଛି। ଏହାର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ୨୦୧୯ରେ ନ୍ୟାଶନାଲ ଲ’ ୟୁନିଭର୍ସିଟିର ତତ୍କାଳୀନ ଛାତ୍ର ଆଦିତ୍ୟ ପ୍ରସନ୍ନ ଭଟ୍ଟାଚାର୍ଯ୍ୟ ସୁପ୍ରିମକୋର୍ଟରେ ପିଟିଶନ ଦାଏର କରିଥିଲେ। ଏହାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୨୯କୁ ଧାର୍ଯ୍ୟ କରାଯାଇଛି।

 

Share