ଭୋଟ ଜାଲିଆତି ଅଭିଯୋଗ: ପୁନଃ ଗଣତି ଦାବି

ନବରଙ୍ଗପୁର, ୫ା୩(ବି.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଜୋନ୍‌-୧ର କଂଗ୍ରେସ ଜିଲା ପରିଷଦ ପ୍ରାର୍ଥୀ ହାରାବତୀ ଗଣ୍ଡ ଭୋଟ ପୁନଃ ଗଣତି କରିବାକୁ ଜିଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବି କରିଛନ୍ତି। ଭୋଟ ଜାଲିଆତି ହୋଇଥିବା ନେଇ ସେ ଅଭିଯୋଗ କରିଛନ୍ତି।
ହାରାବତୀଙ୍କ ଅଭିଯୋଗ ପ୍ରକାରେ ସେ ଝରିଗାଁ ବିଡିଓଙ୍କୁ ଭେଟି ଜୋନ୍‌-୧ର ନିର୍ବାଚନ ସମ୍ବନ୍ଧୀୟ ସରକାରୀ ତଥ୍ୟ ସଂଗ୍ରହ କରିଥିଲେ। କେତୋଟି ବୁଥ୍‌ରେ ପୋଲିଂ ସଂଖ୍ୟାରୁ ଅଧିକ ଭୋଟ ଗଣତି ବେଳେ ବାହାରିଥିଲା। ତେଣୁ ଭୋଟ ଜାଲିଆତି ହୋଇଛି ଯାହା ଜନମତକୁ କୁଠାରାଘାତ ବୋଲି ନିଜ ଅଭିଯୋଗ ପତ୍ରରେ ସେ ଉଲ୍ଲେଖ କରିଛନ୍ତି। ତେଣୁ ଏହାର ନିରପେକ୍ଷ ତଦନ୍ତକରି ଜନମତକୁ ଉଚିତ ନ୍ୟାୟ ପ୍ରଦାନ କରିବାକୁ ହାରାବତୀ ଜିଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ଗୁହାରି କରିଛନ୍ତି।