Categories: ଜାତୀୟ

ଶେଷ ହେଲା ପ୍ରଥମ ପର୍ଯ୍ୟାୟ ମତଦାନ: ୫ଟା ଯାଏ ୫୯ ପ୍ରତିଶତ ଭୋଟିଂ, ତାପିରେ ସର୍ବାଧିକ

ଅହମ୍ମଦାବାଦ,୧।୧୨: ଗୁଜୁରାଟ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଶେଷ ହୋଇଛି। ଭୋଟ ଦେବାର ସମୟ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ରହିଥିଲା। ଗୁରୁବାର ଗୁଜୁରାଟ ବିଧାନସଭାର ମୋଟ ୧୮୨ଟି ଆସନ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୮୯ଟି ଆସନ ପାଇଁ ଭୋଟ ଗ୍ରହଣ କରାଯାଇଛି। ଏଥିରେ ସୌରାଷ୍ଟ୍ର-କଚ୍ଛ ଏବଂ ଦକ୍ଷିଣର ୧୯ଟି ଜିଲା ସାମିଲ ରହିଛି। ପ୍ରଥମ ପର୍ଯ୍ୟାୟରେ ୭୮୮ପ୍ରାର୍ଥୀଙ୍କ ଭାଗ୍ୟ ସ୍ଥିର ହେବ। ଅନ୍ୟପଟେ ଅନ୍ତିମ ମତଦାନ ସଂଖ୍ୟାକୁ ଅପେକ୍ଷା କରାଯାଇଛି। ହେଲେ ସନ୍ଧ୍ୟା ୫ଟା ଯାଏ ୫୯.୨୪ ପ୍ରତିଶତ ମତଦାନ ହୋଇଛି ବୋଲି ନିର୍ବାଚନ ଆୟୋଗ କହିଛନ୍ତି। ସେହିପରି ତାପୀରେ ସର୍ବାଧିକ ୭୨.୩୨ ପ୍ରତିଶତ ଏବଂ ଆମରେଲିରେ ସର୍ବନିମ୍ନ ୫୨.୭୩ ପ୍ରତିଶତ ରେକର୍ଡ କରାଯାଇଛି। ସୂଚନାଯୋଗ୍ୟ, ଗୁରୁବାର ୧୪,୩୮୨ ଭୋଟ ବୁଥ୍‌ କେନ୍ଦ୍ରରେ ମତଦାନ ଆରମ୍ଭ ହୋଇଥିଲା। ସେଥିମଧ୍ୟରୁ ୩,୩୧୧ ସହରାଞ୍ଚଳ ଏବଂ ୧୧,୦୭୧ ଗ୍ରାମାଞ୍ଚଳ ରହିଛି। ଭୋଟିଂ ଉପରେ ନଜର ରଖିବା ପାଇଁ ୧୩,୦୬୫ ମତଦାନ କେନ୍ଦ୍ରରୁ ଲାଇଭ ୱେବକାଷ୍ଟ କରାଯାଇଥିଲା। ୨୭ବର୍ଷ ଧରି ଗୁଜରାଟରେ ଭାଜପା କ୍ଷମତାରେ ରହିଛି। ଏବେ ଦଳ କ୍ରମାଗତ ସପ୍ତମ ଥର ପାଇଁ କ୍ଷମତା ହାସଲ କରିବାକୁ ଚେଷ୍ଟା କରୁଛି। ଏଥର ଭାଜପାର ଲଢ଼େଇ କେବଳ କଂଗ୍ରେସ ବିରୋଧରେ ନୁହେଁ ବରଂ ଆମ ଆଦମୀ ପାର୍ଟି (ଏଏପି) ସହିତ ମଧ୍ୟ ରହିଛି। ଯିଏ ନିଜକୁ ମୁଖ୍ୟ ବିରୋଧୀ ଦଳ ଭାବେ ପ୍ରମାଣ କରିବାକୁ ଚେଷ୍ଟା କରୁଛି।

Share