ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଜାରି: ସାଢ଼େ ୧୦ଟା ସୁଦ୍ଧା ୧୦ ପ୍ରତିଶତ ଭୋଟିଂ

ସୁନ୍ଦରଗଡ,୧୬।୨(ଡି.ଏନ୍‌.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବୁଧବାର ସୁନ୍ଦରଗଡ଼ ଜିଲାରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସକାଳ ୭ଟାରୁ ଜିଲାର ବଡଗାଁ, କୁଆରମୁଣ୍ଡା, ବଣାଁଇଗଡ ଏବଂ ଲାଠିକଟା ବ୍ଲକର ୯ଟି ଜିଲା ପରିଷଦ ଜୋନରେ ବର୍ତ୍ତମାନ ସୁଦ୍ଧା ଶାନ୍ତି ଶୃଙ୍ଖଳାର ସହ ମତଦାନ ଚାଲିଛି। ଲୋକମାନେ ସକାଳୁ ଲମ୍ବା ଲାଇନ୍‌ରେ ଠିଆ ହୋଇ ନିଜର ମତଦାନ ସାବସ୍ତ୍ୟ କରିଛନ୍ତି। ତେବେ ପୂର୍ବାହ୍ନ ୧୦.୨୫ଟା ସୁଦ୍ଧା ବଡଗାଁର ୧୯୭ ଓ୍ବାର୍ଡରେ ୬୩୨୬ ମତଦାନ ହୋଇଥିବା ବେଳେ କୁଆଁରମୁଣ୍ଡାର ୨୭୧ ଓ୍ବାର୍ଡରେ ୮୦୧୭, ଲାଠିକଟା ୨୩୩ ଓ୍ବାର୍ଡରେ ୯୫୪୬ ଏବଂ ବଣାଇଁଗଡ଼ର ୧୭୨ ଓ୍ବାର୍ଡରେ ୪୧୮୭ ମତଦାନ ହୋଇଛି। ସୂଚନାଯୋଗ୍ୟ, ଜିଲାର ବଡଗାଁ ବ୍ଲକର ୨ଟି, କୁଆଁରମୁଣ୍ଡା ବ୍ଲକର ୨ଟି, ଲାଠିକଟା ବ୍ଲକର ୨ଟି ଏବଂ ବଣାଇଁଗଡ ବ୍ଲକର ୨ଟି ଜିଲା ପରିଷଦ ଜୋନରେ ମତଦାନ ଅନୁଷ୍ଠିତ ହେଉଛି। ଏହି ନିର୍ବାଚନରେ ୪୨ଜଣ ଜିଲା ପରିଷଦ ପ୍ରାର୍ଥୀ, ୩୪୩ ଜଣ ସରପଞ୍ଚ ପ୍ରାର୍ଥୀ, ୨୬୦ଜଣ ସମିତି ସଭ୍ୟ ପ୍ରାର୍ଥୀ ଏବଂ ୫୮୨ଜଣ ଓାର୍ଡ ମେମ୍ବରଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର। ପ୍ରଥମ ପର୍ଯ୍ୟାୟରେ ମୋଟ ୨ଲକ୍ଷ ୮୧ହଜାର ୫୫ଜଣ ମତଦାତା ୮୭୩ ଗୋଟି ବୁଥରେ ପଞ୍ଚାୟତ ନିର୍ବାଚନ ପାଇଁ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିବେ।