ନୂଆଦିଲ୍ଲୀ,୯।୪: କେରଳମ୍, ଆସାମ ଓ ପୁଡୁଚେରୀର ମୋଟ ୨୯୬ ଆସନରେ ଗୁରୁବାର ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ସକାଳୁ ସକାଳୁ ଲାଇନରେ ଛିଡା ହୋଇ ଲୋକେ ଭୋଟ ଦେଉଛନ୍ତି। ସେଥିରୁ କେରଳମ୍ର ୧୪୦, ଆସାମ ୧୨୬ ଓ ପୁଡୁଚେରୀର ୩୦ ଆସନରେ ଭୋଟ ଗ୍ରହଣ କରାଯିବ। ଏହା ପୂର୍ବରୁ କେରଳମ୍, ଆସାମ ଓ ପୁଡୁଚେରୀରେ ମଙ୍ଗଳବାର ନିର୍ବାଚନ ପ୍ରଚାର ଶେଷ ହୋଇଥିଲା।
କେରଳମ୍ରେ ମୁଖ୍ୟମନ୍ତ୍ରୀ ପିନାରୟୀ ବିଜୟନ୍ଙ୍କ ନେତୃତ୍ୱାଧୀନ ବାମ ଗଣତାନ୍ତ୍ରିକ ସାମ୍ମୁଖ୍ୟ (ଏଲ୍ଡିଏଫ୍) ତୃତୀୟ ଥର ପାଇଁ କ୍ଷମତା ଦଖଲ ଉଦ୍ୟମ ଚଳାଇଛି। ଏଭଳି ସଫଳତା ପୂର୍ବରୁ କୌଣସି ମେଣ୍ଟକୁ ମିଳି ନ ଥିବାରୁ ଏଲ୍ଡିଏଫ୍ ଏଥର ପୁନଃ ବିଜୟ ସୁନିଶ୍ଚିତ କରିବା ପାଇଁ ଧୂଅଁାଧାର ପ୍ରଚାର କରିଥିଲା। ଏହାର ସ୍ଲୋଗାନ ରହିଥିଲା, ଏଲ୍ଡିଏଫ୍ର କୌଣସି ବିକଳ୍ପ ନାହିଁ। ଅନ୍ୟପକ୍ଷେ ଭାଜପାର ଅଭ୍ୟୁଦୟ ଉଭୟ ଏଲ୍ଡିଏଫ୍ ଏବଂ କଂଗ୍ରେସ ନେତୃତ୍ୱାଧୀନ ସଂଯୁକ୍ତ ଗଣତାନ୍ତ୍ରିକ ସାମ୍ମୁଖ୍ୟ (ୟୁଡିଏଫ୍) ସ୍ଥିତିକୁ ଦୁର୍ବଳ କରିପାରେ ବୋଲି କୁହାଯାଉଛି। କାରଣ ୨୦୨୪ ଲୋକ ସଭା ନିର୍ବାଚନରେ ଭାଜପା ଏହି ଦକ୍ଷିଣ ଭାରତୀୟ ରାଜ୍ୟରେ ଖାତା ଖୋଲି ଗୋଟିଏ ଆସନ ଦଖଲ କରିବାରେ ସକ୍ଷମ ହୋଇଥିଲା। ୟୁଡିଏଫ୍ ମଧ୍ୟ ଲୋକ ସଭା ଓ ପୌର ନିର୍ବାଚନରେ ମିଳିଥିବା ସଫଳତାକୁ ଦୋହରାଇବାକୁ ଉଦ୍ୟମ ଚଳାଇଛି। ଏଲ୍ଡିଏଫ୍ ଗତ ୧୦ ବର୍ଷ ସରକାରରେ ହୋଇଥିବା ଜନମଙ୍ଗଳକାରୀ ଯୋଜନାଗୁଡ଼ିକର ଅବତାରଣା କରି ଭୋଟରଙ୍କୁ ନିଜ ଆଡ଼କୁ ଆକର୍ଷିତ କରିଛି। କଂଗ୍ରେସ ଏଥର କଲେଜ ଛାତ୍ରୀଛାତ୍ର ଓ ମହିଳା ଭୋଟରଙ୍କୁ ଭୋଟ ହାତେଇବା ପାଇଁ ଅନେକ ମନଲୋଭା ପ୍ରତିଶ୍ରୁତି ଦେଇଛି।
ଉତ୍ତର ପୂର୍ବାଞ୍ଚଳର ପ୍ରମୁଖ ରାଜ୍ୟ ଆସାମରେ ଭାଜପା ତୃତୀୟ ଥର ପାଇଁ କ୍ଷମତା ଦଖଲ ଉଦ୍ୟମ ଚଳାଇଥିବାବେଳେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଦ୍ୱିତୀୟ ଥର ଶାସନ କରିବାକୁ ଅଣ୍ଟା ଭିଡ଼ିଛନ୍ତି। ସେ ମୁସ୍ଲିମ ବିରୋଧୀ ମନ୍ତବ୍ୟ, ହିନ୍ଦୁତ୍ୱ ଏଜେଣ୍ଡା ଓ ସ୍ଥାନୀୟ ନେତୃତ୍ୱ ରାଜନୀତିକୁ ଜୋର୍ ଦେଇଛନ୍ତି। ହିମନ୍ତ ବିଶେଷକରି ୪୦ ଲକ୍ଷ ମହିଳା ଭୋଟରଙ୍କୁ ଓରୁନୋଦୋଇ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତରଣର ଲାଭ ଦେଇ ସେମାନଙ୍କ ମନ ଜିଣିବାକୁ ଉଦ୍ୟମ କରିଛନ୍ତି। ଭାଜପାର ଅନ୍ୟ ପ୍ରମୁଖ ପ୍ରତିଶ୍ରୁତିଗୁଡ଼ିକ ମଧ୍ୟରେ ରହିଥିଲା, ବେଆଇନ ଜବରଦଖଲ ଉଚ୍ଛେଦ, ଆସାମରୁ ପ୍ରବାସୀଙ୍କୁ ବିତାଡ଼ନ, ଏକକ ନାଗରିକ ସଂହିତା (ୟୁସିସି) କାର୍ଯ୍ୟକାରୀ ଏବଂ ୨ ଲକ୍ଷ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା। କଂଗ୍ରେସ ନେତା ଗୌରବ ଗୋଗୋଇଙ୍କ ପାକିସ୍ତାନ ଲିଙ୍କ୍ ଥିବା ଅଭିଯୋଗ ଆଣି ହିମନ୍ତ ବିରୋଧୀ ଦଳକୁ ହରଡ଼ଘଣାରେ ପକାଇବାକୁ ଚେଷ୍ଟା କରିଛନ୍ତି। ଅନ୍ୟପକ୍ଷେ କଂଗ୍ରେସ ହିମନ୍ତଙ୍କ ସ୍ତ୍ରୀ ୟୁଏଇ, ଆଣ୍ଟିଗୁଆ, ବରମୁଡା ଓ ଇଜିପ୍ଟ ପାସ୍ପାର୍ଟ ରଖିଥିବା ଅଭିଯୋଗ ଆଣିଛି। ହିମନ୍ତ ପରାଜିତ ହେଲେ ତାଙ୍କ ସ୍ତ୍ରୀ ଏହି ଦେଶଗୁଡ଼ିକୁ ପଳାୟନ କରିପାରନ୍ତି ବୋଲି ସମାଲୋଚନା କରିଛି। ଆସାମରେ କଂଗ୍ରେସ ୬ଟି ଦଳକୁ ନେଇ ଗଠିତ ମେଣ୍ଟର ନେତୃତ୍ୱ ନେଉଛି। ସେହିପରି ପଣ୍ଡିଚେରୀରେ ୨୦୨୧ରୁ ଅଲ୍ ଇଣ୍ଡିଆ ଏନ୍.ଆର୍. କଂଗ୍ରେସ (ଏଆଇଏନ୍ଆର୍ସି) ନେତା ଏନ୍. ରଙ୍ଗାସ୍ବାମୀଙ୍କ ନେତୃତ୍ୱାଧୀନ ଏନ୍ଡିଏ ସରକାର ଚାଲିଛି। ଏହି କେନ୍ଦ୍ରଶାସିତ ଅଞ୍ଚଳର ମାତ୍ର ୩୦ ଆସନରେ ଭୋଟ ଗ୍ରହଣ କରାଯିବ। ଏଠି ଜାତୀୟ ରାଜନୀତି ତୁଳନାରେ ପ୍ରାର୍ଥୀମାନଙ୍କ ବ୍ୟକ୍ତିଗତ ଲୋକ ସମ୍ପର୍କ ଏକ ବଡ଼ ଭୂମିକା ନେଇପାରେ ବୋଲି କୁହାଯାଉଛି। ଏହି ୨ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ସରକାର ବିରୋଧୀ ହାଓ୍ବା ନ ଥିବା କୁହାଯାଉଛି। ତେବେ କେଉଁ ରାଜ୍ୟ କିଏ ଦଖଲ କରିବ ତାହା ମେ’ ୪ରେ ଭୋଟ ଗଣତି ପରେ ଜଣାପଡ଼ିବ।

